ମାତାଲ ଗାଡ଼ି ଚାଳକ ସାବଧାନ! କଡ଼ା ଆଭିମୁଖ୍ୟ ଦେଖାଇଲେ ସରକାର, ମଦ ପିଇ ଗାଡ଼ି ଚଳାଇଲେ ଜରିମାନା ସହ ବାତିଲ ହେବ ଡ୍ରାଇଭିଂ ଲାଇସେନ୍ସ ।

361

କନକ ବ୍ୟୁରୋ: ମଦ ପିଇ ଗାଡ଼ି ଚଳାଇଛନ୍ତି କି? ଗାଡ଼ି ଚଳାଇବା ବେଳେ ମୋବାଇଲ ବ୍ୟବହାର କରୁଛନ୍ତି କି? ତେବେ ତୁରନ୍ତ ଏଥିରୁ ନିବୃତ ରୁହନ୍ତୁ । ନହେଲେ ଜରିମାନା ସହ ସାମୟିକ ଭାବେ ବାତିଲ ହୋଇଯିବ ଡ୍ରାଇଭିଂ ଲାଇସେନ୍ସ । ଦେଶରେ ୫ ନମ୍ବର ଦୁର୍ଘଟଣାପ୍ରବଣ ରାଜ୍ୟ ଭାବେ ଓଡ଼ିଶା ଚିହ୍ନଟ ହେବା ପରେ କଡ଼ା ଆଭିମୁଖ୍ୟ ଦେଖାଇଛନ୍ତି ସରକାର । ମଦୁଆ ଡ୍ରାଇଭର ଓ ଟ୍ରାଫିକ ନିୟମ ଉଲଂଘନକାରୀଙ୍କ ଉପରେ ସୁପ୍ରିମକୋର୍ଟ କମିଟି ନିଷ୍ପତି ଅନୁସାରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଆରଟିଓମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିସନର । ସେପଟେ ଡ୍ରାଇଭିଂ ଲାଇସେନ୍ସ ବାତିଲ ପାଇଁ ପୋଲିସ ସୁପାରିଶ କରିଥିଲା, ତାହା କରାଯାଇନଥିବାରୁ ଆରଟିଓମାନଙ୍କୁ ତାଗିଦ କରାଯାଇଛି ।

ଏ ହେଉଛି ସମସ୍ତ ଆରଟିଓଙ୍କୁ ପରିବହନ କମିସନରଙ୍କ ଚିଠି । ମଦ ପିଇ ଗାଡ଼ି ଚଳାଇବା ଓ ଟ୍ରାଫିକ ନିୟମ ଉଲଂଘନ କରୁଥିବା ଗାଡ଼ି ଚାଲକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଲେଖାଯାଇଛି ଏହି ଚିଠି । କେବଳ ଜରିମାନା ନୁହେଁ, ଡ୍ରାଇଭିଂ ଲାଇସେନ୍ସ ସାମୟିକ ବାତିଲ କରିବା ତାଗିଦ କରିଛନ୍ତି ପରିବହନ କମିସନର । ସଡ଼କ ସୁରକ୍ଷାକୁ ନେଇ ଗଠିତ ସୁପ୍ରିମକୋର୍ଟ କମିଟି ଦେଇଥିବା ନିର୍ଦ୍ଦେଶ ଅନୁସାରେ କାହାର ଡ୍ରାଇଭିଂ ଲାଇସେନ୍ସ ସାମୟିକ ଭାବେ ବାତିଲ କରାଯିବ ଜଣାଇ ଦିଆଯାଇଛି ।

କେଉଁମାନଙ୍କ ଡ୍ରାଇଭିଂ ଲାଇସେନ୍ସ ବାତିଲ କରାଯିବ?
ମଦ ପିଇ ଗାଡ଼ି ଚଳାଇବା
ନିର୍ଦ୍ଧାରିତ ଗତି ଠାରୁ ଅଧିକ ବେଗରେ ଗାଡ଼ି ଚଳାଇବା
ନାଲିବତୀ ଜଳୁଥିବା ବେଳେ ନିୟମ ନମାନିବା
ଓଭରଲୋଡିଂ ଓ ମାଲବାହୀ ଗାଡିରେ ଯାତ୍ରୀ ପରିବହନ କରିବା
ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା

ଏହି ସବୁ ତ୍ରୁଟି ଦେଖିଲେ ଡ୍ରାଇଭିଂ ଲାଇସେନ୍ସକୁ ସାମୟିକ ଭାବେ ବାତିଲ କରିବାକୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ କମିଟି । ଏବେ ନଜର ପକାନ୍ତୁ, ୨୦୧୯ ସେପ୍ଟେମ୍ବର ମାସରେ ଓଡ଼ିଶାରେ ମଦୁଆ ଚାଲକଙ୍କ ବିରୋଧରେ କ’ଣ ହୋଇଛି କାର୍ଯ୍ୟାନୁଷ୍ଠାନ । ୩୩୪ ଇ-ଚାଲଣ କଟାଯାଇଥିବା ବେଳେ ୪୯୬ ଡ୍ରାଇଭରଙ୍କ ଲାଇସେନ୍ସ ବାତିଲ ପାଇଁ ସୁପାରିଶ ହୋଇଥିଲା ତେବେ ସାରଥୀ ଡାଟାବେସ୍ ଅନୁସାରେ ମାତ୍ର ୧୨୬ ଜଣଙ୍କ ଡିଏଲ୍ ବାତିଲ ହୋଇଛି ।

ଏହାକୁ ନେଇ ଆରଟିଓମାନଙ୍କୁ ତାଗିଦ କରିଛନ୍ତି ପରିବହନ କମିସନର । ସେପଟେ ପର୍ଯ୍ୟାୟ କ୍ରମେ ସିସିଟିଭି ଲଗାଯାଇ ଜାତୀୟ ରାଜପଥ ଉପରେ ନଜର ରଖାଯିବ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ଓଡ଼ିଶା, ସାରା ଦେଶରେ ୫ ନମ୍ବର ଦୁର୍ଘଟଣାପ୍ରବଣ ରାଜ୍ୟ ଭାବେ ଚିହ୍ନଟ ହୋଇଛି । ତେଣୁ ଦୁର୍ଘଟଣା ହ୍ରାସ କରିବା ପାଇଁ କଠୋର ଆଭିମୁଖ୍ୟ ଦେଖାଇଛନ୍ତି ସରକାର ।