ରାଜଧାନୀରେ ଦ୍ରୁତ ଗତିରେ ଗାଡ଼ି ଚଳାଇଲେ ଜରିମାନା ! ମୋବାଇଲ୍ ନମ୍ବରକୁ ଏବଂ ମେଲକୁ ପହଞ୍ଚିବ ଇ-ଚାଲାଣ

266

କନକ ବ୍ୟୁରୋ : ରାଜଧାନୀ ରାସ୍ତା‌େର ଗାଡ଼ି ଚଳାଉଥିଲେ ସାବଧାନ । ଯଦି ଟ୍ରାଫିକ୍ ସିଗନାଲ୍ ଆପଣ ଭାଙ୍ଗୁଛନ୍ତି ବା ଦ୍ରୁତ ଗତିରେ ଗାଡ଼ି ଚଳାଉଛନ୍ତି ତେବେ ଜରିମାନା ଗଣିବେ । ନିୟମ ଉଲ୍ଲଂଘନ କରି ଘରେ ପହଞ୍ଚିଲା ବେଳକୁ ଆପଣଙ୍କ ମୋବାଇଲ୍‌ ନମ୍ବରକୁ ଏବଂ ମେଲ୍‌ରେ ଇ-ଚାଲାଣ ପହଞ୍ଚିବ । ଏଥିପାଇଁ ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍ ପକ୍ଷରୁ ରାଜଧାନୀର ପ୍ରମୁଖ ସ୍ଥାନରେ ଫିକ୍ସଡ କ୍ୟାମେରା, ପିଟିଜେଡ୍ କ୍ୟାମେରା (୩୬୦ଡିଗ୍ରି ବୁଲୁଥିବା), ଏଏନ୍‌ପିଆର୍‌ (ନମ୍ବର ପ୍ଲେଟ୍ ଉପରେ ନଜର ରଖିବା ପାଇଁ) କ୍ୟାମେରା ଖଞ୍ଜା ଯାଇଛି । ଏହି ତିନି ପ୍ରକାରର କ୍ୟାମେରାରେ ଗାଡ଼ି ଚାଳକଙ୍କ ଉପରେ ନଜର ରହିବ ।

Source:thebetterindia.com

ଏହି କ୍ୟାମେରା ନିୟମ ଉଲ୍ଲଂଘନକାରୀଙ୍କ ଗାଡ଼ିର ଭିଡ଼ିଓ ଉତ୍ତୋଳନ କରିବା ସହ ନମ୍ବର ପ୍ଲେଟ୍‌ରୁ ତଥ୍ୟ ସଂଗ୍ରହ କରି ଇ-ଚାଲାଣ ଜାରି କରିବ । ନିୟମ ଉଲ୍ଲଂଘନକାରୀଙ୍କୁ ମେସେଜ୍ ଓ ମେଲ୍‌ରେ ଦିଆଯାଇଥିବା ଠିକଣାରେ ଧାର‌୍ୟ୍ୟ ସମୟ ମଧ୍ୟରେ ଜରିମାନା ପୈଠ କରିବାକୁ ପଡ଼ିବ । ଯଦି ଜରିମାନା ପୈଠ ନକରନ୍ତି ତେବେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏପରିକି ଯେଉଁମାନେ ଚାଲାଣ ଦେଇ ନଥିବେ ସେମାନେ ଗାଡ଼ିର ଫିଟନେସ୍ ଓ ଇନସ୍ୟୁରାନ୍ସ କରିପାରିବେନି । ଏଥିପାଇଁ ଏହି କ୍ୟାମେରାଗୁଡ଼ିକୁ ‘ବାହନ’ ଡାଟାବେସ୍ ସହ ସଂଯୋଗ କରାଯିବ । ଏହାକୁ ଭୁବନେଶ୍ବର ଅପରେସନ୍ ସେଣ୍ଟର୍‌ରୁ ପରିଚାଳନା କରାଯିବ ।

ଏହିପରି ଭାବେ ରାଜଧାନୀରେ ରେଡ୍‌ ଲାଇଟ୍‌ ଭାଓଲେସନ୍ ଡିଟେକ୍ସନ ସିଷ୍ଟମ, ସ୍ପିଡ୍ ଭାଓଲେସନ୍ ଡିଟେକ୍ସନ ସିଷ୍ଟମ, ଅଟୋମେଟିକ୍ ନମ୍ବର ପ୍ଲେଟ୍ ରିକୋଗ୍ନିସନ୍ ବ୍ୟବସ୍ଥା ଆରମ୍ଭ ହେବ । ଏହି ବ୍ୟବସ୍ଥା ଡିସେମ୍ବର ୧ରୁ ଆରମ୍ଭ ହେବ । ୬୦ଦିନ ପାଇଁ ଏହାକୁ ପରୀକ୍ଷାମୂଳକ ଭାବେ ଲାଗୁ କରାଯିବ। ଏହାପରେ ଜରିମାନା ଆଦାୟ ହେବ ବୋଲି ନିଷ୍ପତ୍ତି ହୋଇଛି । ଏହି ସ୍ମାର୍ଟ ଟ୍ରାଫିକ୍ ବ୍ୟବସ୍ଥା ଦ୍ବାରା ରାଜଧାନୀରେ ଟ୍ରାଫିକ ପରିଚାଳନା ବ୍ୟବସ୍ଥିତ ହେବା ସହ ସଡ଼କ ଦୁର୍ଘଟଣା କମିବ ବୋଲି ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ କ୍ରିଷନ କୁମାର କହିଛନ୍ତି ।

ଏବେ ରାଜଧାନୀରେ ରୁପାଲି ଛକ, କଳ୍ପନା ଛକ, ବିମାନବନ୍ଦର ଛକ, ନିକୋ ପାର୍କ ଛକ, ପାୱାର ହାଉସ୍ ଛକ, କଳିଙ୍ଗ ହସ୍ପିଟାଲ ଛକ, ପଟିଆ ଛକରେ ରେଡ୍‌ ଲାଇଟ୍‌ ଭାଓଲେସନ୍ ଡିଟେକ୍ସନ ସିଷ୍ଟମ ଲାଗିଛି । ଖୁବ୍ ଶୀଘ୍ର ଆଉ ୮ରୁ ୧୦ଟି ଛକରେ ଏହି ବ୍ୟବସ୍ଥା ଆରମ୍ଭ ହେବ । ଏଥିରେ ଟ୍ରାଫିକ୍ ଛକରେ ଥିବା ନାଲିବତି ସିଗନାଲ୍‌କୁ ଯଦି କେହି ମାନୁ ନଥିବେ ତେବେ ସେମାନଙ୍କ ଠାରୁ ଜରିମାନା ଆଦାୟ ହେବ । ଏହି ବ୍ୟବସ୍ଥାରେ ଉପରୋକ୍ତ ଛକ ଦେଇ ଯାଉଥିବା ପ୍ରତ୍ୟେକ ଗାଡ଼ି ଉପ‌େର ନଜର ରହିବ । ସିଗନାଲ୍‌ରେ ନାଲିବତି ଜଳିବା କ୍ଷଣି ଏହା ନିୟମ ଉଲ୍ଲଂଘନକାରୀଙ୍କୁ ଧରିବ । ଗାଡ଼ିର ପଛପାର୍ଶ୍ବରୁ ଏହା ଫଟୋ ଉଠାଇବା ସହ ନମ୍ବର ପ୍ଲେଟ୍‌ର ଫଟୋ ନେବ । ଏହାସହ ଗାଡ଼ିର ସମସ୍ତ ରେକର୍ଡ ‘ବାହନ’ ଡାଟାବେସ୍‌ରୁ ସଂଗ୍ରହ କରି ଭୁବନେଶ୍ବର ଅପରେସନ୍ ସେଣ୍ଟର (ବିଓସି)କୁ ପଠାଇ ଦେବ । ସେଠାରୁ ଇ-ଚାଲାଣ ନିୟମ ଉଲ୍ଲଂଘନକାରୀଙ୍କ ମୋବାଇଲ୍‌ ନମ୍ବରକୁ ଏବଂ ମେଲ୍‌ ଆଇଡିକୁ ପଳାଇବ ।

image courtesy – starofmysore.com

କୌଣସି ରାସ୍ତାରେ ଟ୍ରାଫିକ୍ ଜାମ୍ ଅଛି କିମ୍ବା କୌଣସି ପ୍ରକାରର ଜରୁରୀକାଳୀନ ପରିସ୍ଥିତି ସୃଷ୍ଟି ହୋଇଛି ତେବେ ଏନେଇ ତୁରନ୍ତ ଲୋକଙ୍କୁ ଜଣାଇ ଦିଆଯିବ । ଏଥିପାଇଁ ୭ଟି ଛକରେ ମାଇକ୍ ଲଗାଇ ପ୍ରଚାର କରାଯିବ । ରୁପାଲି ଛକ, କଳ୍ପନା ଛକ, ବିମାନବନ୍ଦର ଛକ, ନିକୋ ପାର୍କ ଛକ, ପାୱାର ହାଉସ୍ ଛକ, କଳିଙ୍ଗ ହସ୍ପିଟାଲ ଛକ, ପଟିଆ ଛକରେ ଏହି ବ୍ୟବସ୍ଥା ରହିବ। ଏଠାରେ ମାଇକ୍ରୋଫୋନ୍, ଲାଉଡ୍‌ ସ୍ପିକର୍, ଆମ୍ପ୍ଲିଫାୟାର ରହିବ । ଏଠାରେ ଏବେ ଲୋକଙ୍କୁ ଟ୍ରାଫିକ ନିୟମ ବିଷୟରେ ସଚେତନ କରାଯିବ ।

ଦ୍ରୁତ ଗାଡ଼ି ଚାଳକଙ୍କ ଉପରେ ରୋକ୍ ଲଗାଇବା ପାଇଁ ୬ଟି ସ୍ଥାନରେ ସ୍ପିଡ୍ ଡିଟେକ୍ଟର୍‌ ତଥା ସ୍ପିଡ୍ ଭାଓଲେସନ୍ ଡିଟେକ୍ସନ ସିଷ୍ଟମ ଲାଗିଛି । ଏଜିରୁ କ୍ୟାପଟିଲ ହସ୍ପିଟାଲ ଛକ ମଧ୍ୟରେ, ସୈନିକ ସ୍କୁଲ ଛକ ନିକଟରେ, ଜାତୀୟ ରାଜପଥ-୧୬ରେ ବରମୁଣ୍ଡା, ଜୟଦେବ ବିହାର, ବାଣୀବିହାର ଛକରେ, ରଘୁନାଥପୁରରେ ଏବେ ଏହି ବ୍ୟବସ୍ଥ‌ା ଆରମ୍ଭ ହୋଇଛି । ଖୁବ୍ ଶୀଘ୍ର ଆଉ ୪ଟି ସ୍ଥାନରେ ଏହି ସ୍ପିଡ୍ ଡିଟେକ୍ଟର୍‌ ଲାଗିବ । ଏଥିରେ ଦୁଇଟି ଛକ ମଧ୍ୟରେ ଗାଡ଼ିର ଗତି କେତେ ଥିଲା ତାହା ଏକାଧିକ ଫ୍ରେମ୍‌ ମଧ୍ୟରେ ସମୟକୁ ଦେଖି ଚିହ୍ନଟ କରିବ । ଏହାସହ ନମ୍ବର ପ୍ଲେଟ୍‌ର ଫଟୋ ଉଠାଇବ । ଏଥିରେ କେବଳ ଦ୍ରୁତ ଗତି‌େର ଆସୁଥିବା ଗାଡ଼ି ଚିହ୍ନଟ ହେବନି । ଏଥିରେ ପୁଲିସ୍‌ର ହଟ୍‌ ଲିଷ୍ଟ, ୱାଣ୍ଟେଡ୍‌ ଥିବା ଗାଡ଼ି, ଚୋରା ଗାଡ଼ି ବି ସହଜରେ ଚିହ୍ନଟ କରାଯାଇପାରିବ ।

ସ୍ପିଡ୍ ଡିଟେକ୍ଟରରେ ଧରାପଡ଼ିବା ପୂର୍ବରୁ ଆପଣଙ୍କ ଗାଡ଼ିର ସ୍ପିଡ୍ କେ‌େତ ଅଛି ତାହା ରାଡାର୍ ସ୍ପିଡ୍ ସାଇନ୍‌ସ (ଆରଏସ୍‌ଏସ୍‌)ରେ ଜଣାପଡ଼ିଯିବ। ଏଥିପାଇଁ ୧୦ଟି ସ୍ଥା‌ନରେ ରାଡାର ସ୍ପିଡ୍‌ ସାଇନ୍‌ସ ଲାଗିଛି । ଶିଶୁ ଭବନ ଛକ, ନିଉ ଫରେଷ୍ଟ ପାର୍କରୁ ବିମାନବନ୍ଦର, ବିମାନବନ୍ଦରରୁ ବିମାନବନ୍ଦର ଛକ, କ୍ୟାପିଟାଲ ହସ୍ପିଟାଲରୁ ଏଜି ଛକ, ପାୱାର ହାଉସ୍ ଛକରୁ ରାଜଭବନ ଛକ, ପାୱାର ହାଉସ୍ ଛକରୁ କଳିଙ୍ଗ ଷ୍ଟାଡିୟମ, ମହର୍ଷି କଲେଜ ଛକରୁ ସତ୍ୟନଗର, ରସୁଲଗଡ଼ରୁ ବାଣୀବିହାର, ଜୟଦେବ ବିହାରରୁ ସିଆରପିଏଫ୍‌ ଛକ, ବରମୁଣ୍ଡାରୁ ଖଣ୍ଡଗିରି ଛକ ମଧ୍ୟରେ ଏହି ଆରଏସ୍ଏସ୍‌ରେ ଜଣାପଡ଼ିବ । ଏହାଦ୍ବାରା ଗାଡ଼ି ଚାଳକ ଆଗୁଆ ସତର୍କ ହୋଇପାରିବେ । ଦ୍ରୁତ ଗତିରେ ଗାଡ଼ି ଚଳାଉଥିବା ବ୍ୟକ୍ତିଙ୍କୁ ସୁରକ୍ଷିତ ଭାବେ କମ୍ ଗତିରେ ଚଳାଇବାକୁ ଏହା ବାର୍ତ୍ତା ଦେବ ।

ରାଜଧାନୀରେ ୬ଟି ଜାଗାରେ ସ୍ପିଡ୍ ଡିଟେକ୍ଟର ଲାଗିଥିବାବେଳେ ଦ୍ରୁତ ଗାଡ଼ି ଚାଳକଙ୍କଠାରୁ ଜରିମାନା ଆଦାୟ କରିବାକୁ ଲକ୍ଷ୍ୟ ରଖାଯାଇଛି । କିନ୍ତୁ କେତେ ଗତିରୁ ଅଧିକ ଗ‌ାଡ଼ି ଚଳାଇଲେ ଜରିମାନା ଦେବାକୁ ହେବ ସେନେଇ କର୍ତ୍ତୃପକ୍ଷଙ୍କ ପକ୍ଷରୁ କିଛି କୁହାଯାଇନି । ଟ୍ରାଫିକ ଏସିପି କହିଛନ୍ତି ଯେ, ସହର ଭିତରେ ଗାଡ଼ିର ଗତି ୪୦ରୁ ୫୦କିମି ବେଗରେ ଏବଂ ଜାତୀୟ ରାଜପଥ ୧୬ରେ ଗାଡ଼ିର ଗତି ୫୦ରୁ ୬୦କିମି ବେଗରେ ରହିବ । ହେଲେ କେଉଁ ରାସ୍ତାରେ କେତେ ଗତିରେ ଗାଡ଼ି ଚାଲିବ ତାହା ଜିଲ୍ଲାପାଳ ଧାର‌୍ୟ୍ୟ କରିଥାନ୍ତି । ଖୋର୍ଦ୍ଧା ଜିଲ୍ଲାପାଳଙ୍କ ବିଜ୍ଞପ୍ତି ଅନୁଯାୟୀ, ମାର୍କେଟ ଅଞ୍ଚଳରେ ଭାରୀଯାନ ଘଣ୍ଟା ପ୍ରତି ୨୦କିମି ବେଗରେ, ହାଲୁକା ଯାନ ୩୦କିମି ବେଗରେ ଯିବ  । ଅନ୍ୟ ରାସ୍ତାରେ ଭାରୀଯାନ ୬୫କିମି ଏବଂ ହାଲୁକା ଯାନ ୭୫କିମି ବେଗରେ ଯାଇପାରିବ । ଭୁବନେଶ୍ବର ସ୍ମାର୍ଟ ସିଟି ଲିମିଟେଡ୍‌ କର୍ତ୍ତୃପକ୍ଷ ଏନେଇ ପୂରା ଅଜ୍ଞ । ସରକାରୀ ସ୍ତରରେ ଗାଡ଼ିର ଗତି କେତେ ରହିବ ତାହା ସ୍ପଷ୍ଟ ହୋଇପାରି ନଥିବାରୁ କେମିତି ଜରିମାନା ଆଦାୟ ହେବ ତାହା ଦ୍ବନ୍ଦ୍ବରେ ପକାଇଛି ।