ଦିଲ୍ ଜିତି ନେଲେ ଟ୍ରାଫିକ କନେଷ୍ଟବଳ ଜ୍ଞାନେନ୍ଦ୍ର । ହ୍ୱିଲ ଚେୟାରରେ ବସିଥିବା ଭିନ୍ନକ୍ଷମଙ୍କୁ ବାଲିଯାତ୍ରା ପଡିଆରେ ଛାଡିଲେ, ଭିଡିଓ ହେଲା ଭାଇରାଲ 

784

କନକ ବ୍ୟୁରୋ : କମିସନରେଟ ପୋଲିସର We Care We Dareର ନାରା ଆଉ ଏକ ଝଲକ କଟକ ବାଲିଯାତ୍ରା ପଡିଆରେ ଦେଖିବାକୁ ମିଳିଛି । ଯେତେବେଳେ ହ୍ୱିଲଚେୟାରରେ ବସିଥିବା ଜଣେ ଭିନ୍ନକ୍ଷମ ବ୍ୟକ୍ତିଙ୍କୁ ବାଲିଯାତ୍ରାର ଭିଡ ମଧ୍ୟରେ ବାଟ କଢେଇ ନେଇଥିଲେ ଟ୍ରାଫିକ କନେଷ୍ଟବଳ ଜ୍ଞାନେନ୍ଦ୍ର କୁମାର ମଲ୍ଲିକ । ଆଉ ଏଭଳି କରି ସାଧାରଣ ଲୋକଙ୍କ ମନ ଜିତିଛନ୍ତି ଜ୍ଞାନେନ୍ଦ୍ର । ଯାହାର ଭିଡିଓଟି ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି ।


ସୂଚନା ଅନୁଯାୟୀ ଗତକାଲି ବାଲିଯାତ୍ରା ଦେଖିବାକୁ ପହଞ୍ଚିଥିଲେ ହ୍ୱିଲଚେୟାରରେ ବସିଥିବା ଜଣେ ଭିନ୍ନକ୍ଷମ ଯୁବକ । କିନ୍ତୁ ଭିଡ ଏତେ ଥିଲା ଯେ ତାକୁ ପାର କରି ପଡିଆ ମଧ୍ୟକୁ ଯିବା ଭିନ୍ନକ୍ଷମ ଯୁବକଙ୍କ ପକ୍ଷେ ସମ୍ଭବ ନଥିଲା । କିନ୍ତୁ ଏହି ସମୟରେ ସାଥୀ ହୋଇ ସହାୟତାର ହାତ ବଢାଇଥିଲେ ଟ୍ରାଫିକ କନେଷ୍ଟବଳ ଜ୍ଞାନେନ୍ଦ୍ର କୁମାର ମଲ୍ଲିକ । ବାଲିଯାତ୍ରାର ଭିଡ ଭିତରେ ପରିବାରର ସଦସ୍ୟଟିଏ ଭଳି ହ୍ୱିଲ ଚେୟାରକୁ ପଛରୁ ଠେଲି ଠେଲି ଭିନ୍ନକ୍ଷମ ଯୁବକଙ୍କୁ ପଡିଆ ମଧ୍ୟରେ ଛାଡିଥିଲେ ଜ୍ଞାନେନ୍ଦ୍ର । କେବଳ ଜ୍ଞାନେନ୍ଦ୍ର ନୁହଁନ୍ତି ଏହା ପୂର୍ବରୁ ଭୁବନେଶ୍ୱରର ଏଜି ଛକରେ ଟ୍ରାଫିକ କନେଷ୍ଟବଳ ରାଜଲକ୍ଷ୍ମୀ ମଧ୍ୟ ଜଣେ ଦୃଷ୍ଟିହୀନ ବ୍ୟକ୍ତିଙ୍କୁ ରାସ୍ତା ପାର କରାଇ ଚର୍ଚ୍ଚାକୁ ଆସିଥିଲେ ।

ସାଧାରଣତଃ ପୋଲିସକୁ ନେଇ ଲୋକଙ୍କ ମନରେ ଏକ ଭିନ୍ନ ଧାରଣା ଥାଏ । ଆଉ ଏହି ଧାରଣା ଯୋଗୁଁ ସବୁବେଳେ ଲୋକ ପୋଲିସ ଠାରୁ ଦୁଇପାଦ ଦୂରରେ ରହିବାକୁ ଚାହିଁଥାନ୍ତି । ହେଲେ ଏହି ଧାରଣାକୁ ସମ୍ପୂର୍ଣ୍ଣ ଭୂଲ ପ୍ରମାଣିତ କରି ଦେଇଛନ୍ତି ଟ୍ରାଫିକ କନେଷ୍ଟବଳ ଜ୍ଞାନେନ୍ଦ୍ର କୁମାର । ଜ୍ଞାନେନ୍ଦ୍ରଙ୍କ ଏହି ଉଦ୍ୟମ ଯେ, କେବଳ ପୋଲିସ ପ୍ରତି ଥିବା ଧାରଣାକୁ ବଦଳାଇବାରେ ସକ୍ଷମ ହୋଇନାହିଁ ବରଂ ସାଧାରଣ ଲୋକର ବିଶ୍ୱାସଭାଜନ ହେବାରେ ସଫଳ ହୋଇଛି । ହୁଏତ ଜ୍ଞାନେନ୍ଦ୍ରଙ୍କ ଭଳି ଏମିତି ଗୋଟିଏ ପରେ ଗୋଟିଏ ଉଦାହରଣ ସାମ୍ନାକୁ ଆସିବ ବିପଦ ବେଳରେ ପୋଲିସର ହାତ ଧରିବାକୁ ଆଉ କେହି କେବେ ପଛଘୁଞ୍ଚା ଦେବେ ନାହିଁ । ଆଶା କରିବା କେବଳ କମିସନରେଟ ପୋଲିସର କର୍ମଚାରୀ କାହିଁକି ସାରା ରାଜ୍ୟର ପୋଲିସ କର୍ମଚାରୀ ମାନେ ଏହି ଛୋଟିଆ ଘଟଣାରୁ କିଛି ଶିକ୍ଷା ଲାଭ କରିବେ ।