ରାଜଧାନୀରେ ଦିନକୁ ଦିନ ବଢ଼ିଚାଲିଛି ବେପରୁଆ ଗାଡ଼ି ଚାଳନା : ଦିନକରେ ଜୋରିମାନା ଦେଲେ ୧୬୩ ଜଣ

26

କନକ ବ୍ୟୁରୋ : ବେପରୁଆ ଭାବେ ବାଇକ୍‌ ଚଳାଇ ଗତକାଲି ତଣ୍ଡ ଗଣିଛନ୍ତି ୧୬୩ ବାଇକ୍‌ ଆରୋହୀ । ଫୁଟପାଥ୍‌ରେ ଓ ରାସ୍ତାର ବିପରୀତ ଦିଗରେ ବାଇକ ଚଳାଉଥିବା ଚାଳକଙ୍କଠାରୁ ଏହି ଜୋରିମାନାଆଦାୟ କରାଯାଇଛି । ବେପରୁଆ ଭାବେ ଗାଡ଼ି ଚଳାଇ ଅନ୍ୟମାନଙ୍କୁ ସମସ୍ୟାରେ ପକାଉଥିବା ଓ ଟ୍ରାଫିକ୍‌ ନିୟମକୁ ଖୋଲା ଉଲ୍ଲଂଘନ କରୁଥିବା ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି ନିର୍ଦେଶ ଦେଇଛନ୍ତି  । ଏହା ପରେ ଟ୍ରାଫିକ୍‌ ପୁଲିସ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ଗତକାଲି ନାଲ୍‌କୋ ଛକ, ରେଳକୁଞ୍ଜ, ତନିସ୍କଠାରେ ଟ୍ରାଫିକ୍‌ ପୁଲିସର ୩ଟି ଟିମ୍‌ ଏକାବେଳକେ ଚଢ଼ଉ କରିଥିଲେ । ଗତକାଲି ଗୋଟିଏ ଦିନରେ ପାଖାପାଖି ୧୬୩ ଜଣଙ୍କଠାରୁ ଫାଇନ୍‌ ଆଦାୟ କରାଯାଇଛି । ଆଗାମୀ ଦିନରେ ଏଭଳି ଚଢ଼ଉ ବ୍ୟାପକ ହେବ ବୋଲି ପୁଲିସ କମିସନର୍‌ ଶ୍ରୀ ମହାନ୍ତି କହିଛନ୍ତି । ସେହିପରି ଯେଉଁ ସବୁ ବାଇକ୍‌ରେ ଅନ୍ୟ ସାଇଲେନ୍ସର ଲଗାଇ ବିକଟାଳ ଶବ୍ଦ ବାହାର କରୁଛନ୍ତି, ସେମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ଆରମ୍ଭ ହୋଇଛି । ଗତକାଲି ପାଖାପାଖି ଏହିଭଳି ୬ ବାଇକ୍‌ ଜବତ ହୋଇଛି ।

ସେପଟେ ରସୁଲଗଡ଼ ଶିଳ୍ପାଞ୍ଚଳକୁ ଲାଗି କରିଥିବା ସପିଂ ମଲ୍‌ ଏସ୍‌ପ୍ଲାନେଡ୍‌ ଯୋଗୁ ସୃଷ୍ଟି ହୋଇଥିବା ଟ୍ରାଫିକ ଯନ୍ତ୍ରଣାରେ ଛଟପଟ ହେଲେଣି ସ୍ଥାନୀୟ ବାସିନ୍ଦା । କେବଳ ଏତିକି ନୁହେଁ ଏବେ ରାତାରାତି ମାଳମାଳ ଉଠା ଦୋକାନ ମଧ୍ୟ ଖୋଲି ଗଲାଣି । ମଲ୍‌କୁ ଆସୁଥିବା ଲୋକ ରାସ୍ତା ଉପରେ କାର୍‌ ପାର୍କିଂ କରି ଚାଲି ଯାଉଛନ୍ତି। ଯାହା ଫଳରେ ସମସ୍ୟା ଅସମ୍ଭାଳ ହୋଇ ପଡ଼ିଲାଣି । ଏହି ସମସ୍ୟାର ସମାଧାନ ମଧ୍ୟ କମିସନରେଟ୍‌ ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ସାଜିଛି । ଏ ନେଇ ପୁଲିସ କମିସନର୍‌ ସତ୍ୟଜିତ ମହାନ୍ତି ଓ ଏସ୍‌ପ୍ଲାନେଡ୍‌ କର୍ତୃପକ୍ଷଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । କମିସନର ଶ୍ରୀ ମହାନ୍ତି କହିଛନ୍ତି, ଆଜି ସେ ଏସ୍‌ପ୍ଲାନେଡ୍‌ ମଲ୍‌କୁ ଯାଇ ତାର ପ୍ରସ୍ଥାନ ଓ ପ୍ରବେଶ ପଥକୁ ଅନୁଧ୍ୟାନ କରିଥିଲେ । ଏସ୍‌ପ୍ଲାନେଡ୍‌ ପାଖରେ ଗଢ଼ି ଉଠିଥିବା ବେଆଇନ ଦୋକାନଗୁଡ଼ିକୁ ତୁରନ୍ତ ଉଠାଇ ଦିଆଯିବ । ଏଥିପାଇଁ ଇଡ୍‌କୋ କର୍ତୃପକ୍ଷଙ୍କ ସହିତ ଆଲୋଚନା ଚାଲିଛି । ଇଡ୍‌କୋ ଅନୁମତି ଦେଲେ ତୁରନ୍ତ ସେହି ଅଞ୍ଚଳରେ ଉଚ୍ଛେଦ କରାଯିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି ।

ସେହିପରି ମଲ୍‌କୁ ଆସୁଥିବା କିଛି ଲୋକ ରାସ୍ତା ପାର୍ଶ୍ୱରେ କାର୍‌ ପାର୍କିଂ କରୁଥିବା ଦେଖାଯାଇଛି। ଯାହା ଫଳରେ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି । ଏଭଳି ପାର୍କିଂ ବନ୍ଦ କରିବାକୁ ୨୦ ଜଣ ମାର୍ଶାଲ ଯୋଗାଇବ ଏସ୍‌ପ୍ଲାନେଡ୍‌ । ସେହିମାନେ ମଲ୍‌ ଚାରିପଟେ ଟ୍ରାଫିକ୍‌ ନିୟନ୍ତ୍ରଣ କରିବେ । କେହି ବାହାରେ ପାର୍କିଂ କଲେ ସେମାନଙ୍କୁ ବାରଣ କରିବେ। ଅନ୍ୟପକ୍ଷରେ ଟ୍ରାଫିକ୍‌ ପୁଲିସ ପକ୍ଷରୁ କୁହାଯାଉଛି, ସେଠାରେ ବେଆଇନ ପାର୍କିଂ କରୁଥିବା କାରଗୁଡ଼ିକୁ ଟୋଚନ୍‌ କରି ଟ୍ରାପିକ୍‌ ଥାନାକୁ ଅଣାଯିବ । ଏହା ସହିତ ଯେଉଁମାନେ କାର ପାର୍କିଂ କରିଥିବେ ସେମାନଙ୍କ କାର୍‌ ନମ୍ବରର ଫଟୋ ଆଣି ନୋଟିସ୍‌ ପଠାଯିବ ବୋଲି ଜଣେ ଅଧିକାରୀ କହିଛନ୍ତି ।