ମରଣଯନ୍ତା ପାଲଟିଛି ରାସ୍ତା ! କେନ୍ଦୁଝର ଯୋଡା ଓ ବଡବିଲ ଖଣି ଅଂଚଳରେ ଲାଗିରହୁଛି ଟ୍ରାଫିକ ଜାମ

୫୨୦ ନମ୍ବର ଜାତୀୟ ରାଜପଥରେ ଭାରଯାନ ଚଳାଚଳ ଯୋଗୁଁ ବଢୁଛି ଲୋକଙ୍କ ସମସ୍ୟା

226

କନକ ବ୍ୟୁରୋ: ଦିନକୁ ଦିନ ଉକ୍ରଟ ହେଉଛି ଯୋଡା ଓ ବଡବିଲ ଖଣି ଅଂଚଳରେ ଟ୍ରାଫିକ ଜାମ ସମସ୍ୟା ।  ହଜାର ହଜାର ସଂଖ୍ୟାରେ  ଭାରିଯାନ ଚଳାଚଳ ଯୋଗୁଁ ରାସ୍ତାକାମ ମନ୍ଥର ଗତିରେ ହେଉଥିବାରୁ  ୫୨୦ ନମ୍ବର ଜାତୀୟ ରାଜପଥରେ  ଘଂଟା ଘଂଟା ଧରି ଜାମ ଲାଗିରହୁଛି ।  ରୋଗୀ ଡାକ୍ତରଖାନା ପହଂଚିପାରୁନଥିବାବେଳେ ଛାତ୍ର ସ୍କୁଲ ଓ କଲେଜର ପହଂଚିନପାରି ହାଇରାଣ ହେଉଛନ୍ତି ।  ଲୋକେ ବି ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଠପ୍ ହୋଇଯାଉଛି  ଖଣି ଅଂଚଳର ଜୀବନଯାତ୍ରା । ଦୀର୍ଘଦିନରୁ ଲାଗିରହିଥିବା ଏହି ସମସ୍ୟା ଏବେ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ପାଲଟିଛି ।

ରିମୁଳିରୁ  ୪୪ କିଲୋମିଟର ଯାଏଁ  ୫୨୦ ନମ୍ବର ଜାତୀୟ ରାଜପଥର ନିର୍ମାଣ ମନ୍ଥର ଗତିରେ ଚାଲିଛି ।  ବିଗତ ଦିନ ଅପେକ୍ଷା ଖଣିଜ ପଦାର୍ଥର ଉତୋଳନ ଓ ପରିବହନ ବହୁମାତ୍ରାରେ ବଢିଛି । କିନ୍ତୁ ସେହି ଅନୁସାରେ ରାସ୍ତାଘାଟ ଓ ପରିବହନ ବ୍ୟବସ୍ଥାର ବିକାଶ ହୋଇପାରିନାହିଁ ।  ଖଣିଜ ପଦାର୍ଥ ବହନ କରୁଥିବା  ଭାରିଯାନ ସେମାନଙ୍କ ରାସ୍ତାରେ  ନଯାଇ ଜାତୀୟ ରାଜପଥରେ ଯାଉଥିବାରୁ ଟ୍ରାଫିକ ଜାମ ଲାଗିରହୁଛି ।  ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା ।  ସେପଟେ ଚମ୍ପୁଆ ଉପଜିଲ୍ଲାପାଳ କହିଛନ୍ତି, ମାସେ ଭିତରେ ଏହାର ସମାଧାନ କରାଯିବ ।