ପୋଲିସ୍ ପାଇଁ ପୋଲିସ୍ ଅଜଣା : ଲୋକଙ୍କ ସାମ୍ନାରେ କର୍ତ୍ତବ୍ୟରତ ଟ୍ରାଫିକ କନେଷ୍ଟବଳଙ୍କୁ ଏଡିଜିଙ୍କ ଝିଅଙ୍କ ଦୁର୍ବ୍ୟବହାର ସତ୍ୱେ ହେଉନି କାର୍ଯ୍ୟାନୁଷ୍ଠାନ

31

କନକ ବ୍ୟୁରୋ : ଭୁବନେଶ୍ୱର ନୋ ଟୋଲରେନ୍ସ ଜୋନରେ ଟ୍ରାଫିକ ନିୟମ ଉଲଂଘନ କଲେ । ଆଉ ସେତେବେଳେ ଆସୁଥିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ଼୍ । ବାରଣ କରିବାରୁ ମହିଳା ଟ୍ରାଫିକ କନଷ୍ଟେବଲଙ୍କୁ ବହେ ଗାଳି ଦେଳେ ଏଡ଼ିଜିଙ୍କ ପରିବାର । ଆଉ ଏହି ଘଟଣା ଘଟିଥିଲା ଲୋକଙ୍କ ସାମ୍ନାରେ । ମୋବାଇଲରେ ଉତ୍ତୋଳନ ହୋଇଥିବା ଭିଜୁଆଲ ସୋସିଆଲ ମିଡ଼ିଆରେ ଘୁରି ବୁଲିଲା । ହେଲେ ଚୁପ୍ ବସିଛି ପୋଲିସ୍ । ମାମଲା ଦାୟର ହୋଇଛି, ହେଲେ ତାହା ହୋଇଛି ଜଣେ ଅଜଣା ମହିଳାଙ୍କ ନାମରେ । ସବୁ ଜାଣି ମଧ୍ୟ କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସର ହାତ ଯାଉନି ।

ଦୁଇ ଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଯାଉଥିବା ବେଳେ ଏଜି ଛକରେ ଏଡିଜି ପ୍ରାଣବିନ୍ଦୁ ଆଚାର୍ଯ୍ୟଙ୍କ ପତ୍ନୀ ଓ ଝିଅ ଯେପରି ଭାବେ କର୍ତ୍ତବ୍ୟରତ ମହିଳା ଟ୍ରାଫିକ କନେଷ୍ଟବଳ ସହ ମୁହାଁମୁହିଁ ହେଲେ, ଗାଳିଗୁଲଜ କଲେ, ଚାକିରି ଖାଇଦେବେ ବୋଲି ଧମକଚମକ ଦେଲେ, ତାକୁ ନେଇ ଗଣମାଧ୍ୟମରେ ଜୋରଦାର ଚର୍ଚ୍ଚା ହେବା ସହ ସୋସିଆଲ୍ ମିଡିଆରେ ବି ବ୍ୟାପୀଯାଇଛି ଏହି ପ୍ରସଙ୍ଗ । ଟ୍ରାଫିକ କନେଷ୍ଟବଳଙ୍କ କର୍ତ୍ତବ୍ୟନିଷ୍ଠାକୁ ମଧ୍ୟ ବେଶ ତାରଫ୍ କରାଯାଇଛି । ସାରା ରାଜ୍ୟର ନଜର ଏହି ମାମଲା ରହିଥିବା ବେଳେ ମାମଲା କିନ୍ତୁ ଆଗକୁ ଯାଉନି ।

ଟ୍ରାଫିକ କନେଷ୍ଟବଳ ଏ ନେଇ କ୍ୟାପିଟାଲ ଥାନାରେ ଏତଲା ଦେଇଛନ୍ତି ସତ ହେଲେ ଏତଲାରେ କାହାର ନାମ ନାହିଁ । ଅର୍ଥାତ୍ ଦୁଇ ଅଜଣା ମହିଳାଙ୍କ ବିରୋଧରେ ମାମଲା ହୋଇଛି । ଆଇନକୁ ଭଲ ଭାବେ ବୁଝିଥିବା ପୋଲିସ ବାବୁମାନେ ଜାଣନ୍ତି, କିପରି ମାମଲାକୁ ମାମୁଲି କରିହୁଏ । ମିଡିଆରେ ଜୋରଦାର ଚର୍ଚ୍ଚା ହେଉଥିବା ଏହି ଘଟଣାରେ ବଡ଼ ଅଫିସରଙ୍କ ପରିବାରକୁ କିପରି ଖସାଇ ଦେଇହେବ, ସେଥିପାଇଁ ପୋଲିସ ମାପଚୁପ କରି ପଦକ୍ଷେପ ନେଉଥିବା ଚର୍ଚ୍ଚା ହେଉଛି ।

ଭୁବନେଶ୍ୱର ଏଜି ଛକକୁ ‘ନୋ ଟଲରେନ୍ସ ଜୋନ୍’ ଘୋଷଣା କରିଛି କମିସନରେଟ୍ ପୋଲିସ । ଏହାର ଅର୍ଥ ହେଉଛି କୌଣସିପ୍ରକାର ଟ୍ରାଫିକ ନିୟମ ଉଲଂଘନକୁ ଏଠି ବରଦାସ୍ତ କରାଯିବ ନାହିଁ । ହେଲେ ଗୁରୁବାର ସଂଧ୍ୟାରେ ସୁରକ୍ଷା ବଳୟରେ ଥିବା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍ ଯାଉଥିବା ବେଳେ ଟ୍ରାଫିକ ନିୟମକୁ ବେଖାତିର କରି ଏଡିଜିଙ୍କ ପତ୍ନୀ ଓ ଝିଅଙ୍କ ଗାଡ଼ି ମାଡି ଆସିଥିଲା । ବାରଣ କରିବାରୁ ଏଡିଜିଙ୍କ ପତ୍ନୀ ଓ ଝିଅଙ୍କ ଠାରୁ ବହେ ଗାଳି ଖାଇଥିଲେ ଟ୍ରାଫିକ କନେଷ୍ଠବଳ । କେବଳ ସେତିକି ନୁହେଁ, ‘ନୋ ଟଲରେନ୍ସ ଜୋନ୍’ରେ ବଡ଼ ଧରଣର ହଙ୍ଗାମା ହୋଇଥିଲା ଯାହାକୁ ଅନେକ ଲୋକ ଦେଖିଥିଲେ, କ୍ୟାମେରାରେ କଏଦ ହୋଇଥିଲା ଭିଜୁଆଲ୍ । ସିସିଟିଭି କ୍ୟାମେରାରେ ମଧ୍ୟ ସବୁ ଟିକିନିକି ଦୃଶ୍ୟ ରହିଛି ।

ଯେଉଁ ଗାଡ଼ି ନିୟମ ଉଲଂଘନ କରିଥିଲା, ତାହା ମଧ୍ୟ ରହିଛି ଏଡିଜି ପ୍ରଣବିନ୍ଦୁ ଆଚାର୍ଯ୍ୟଙ୍କ ପତ୍ନୀଙ୍କ ନାଁରେ । ସବୁ କଥା ଜାଣି ମଧ୍ୟ ମାମଲା ରୁଜୁ ହୋଇଛି ଅଜଣା ବ୍ୟକ୍ତିଙ୍କ ନାଁରେ । ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ ପରିବାର ଲୋକ ହୋଇଥିବାରୁ କୋହଳ ପଡିଯାଇଛି କି ପୋଲିସ? ଏଇଠି ପ୍ରଶ୍ନ ଉଠୁଛି, ଯଦି ଏଭଳି ଆଚରଣ ଜଣେ ସାଧାରଣ ଲୋକ କରିଥାନ୍ତା, ତେବେ ପୋଲିସ କ’ଣ ଏଭଳି କୋହଳ ହୋଇଥାନ୍ତା ?