ଶ୍ରମିକ ଧର୍ମଘଟର ଦ୍ୱିତୀୟ ଦିନରେ ମାଷ୍ଟରକ୍ୟାଂଟିନ ଛକରେ ଲୋକଙ୍କୁ ଗୋଡାଇଲେ ଆନ୍ଦୋଳନକାରୀ । ଆଚାର୍ଯ୍ୟବିହାରରେ ଗାଡି ଛାଡିଦେବାକୁ ହାତ ଯୋଡି ନେହୁରା ହେଲେ ବୃଦ୍ଧା

ବିଭିନ୍ନ ସ୍ଥାନରେ ରେଳରୋକ୍, ଚାଲୁନି ବସ୍

168

କନକ ବ୍ୟୁରୋ: ଶ୍ରମିକ ସଂଗଠନ ବନ୍ଦର ଦ୍ୱିତୀୟ ଦିନରେ ମାଷ୍ଟରକ୍ୟାଂଟିନ ଛକରେ ଦେଖିବାକୁ ମିଳିଛି ଅଭାବନୀୟ ଚିତ୍ର । ଆନ୍ଦୋଳନକାରୀମାନେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଅଟକାଇବା ସହ ଗୋଡାଉଥିବା ଦେଖିବାକୁ ମିଳିଛି । ବାଟୋଇମାନଙ୍କ ଗାଡିକୁ ଅଟକାଇବାକୁ ଯାଇ ସେମାନଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ଆଚାର୍ଯ୍ୟବିହାରରେ ଦେଖିବାକୁ ମିଳିଛି ଏକ କରୁଣ ଚିତ୍ର । ତାଙ୍କ ଗାଡି ଛାଡିଦେବାକୁ ଜଣେ ବୃଦ୍ଧା ହାତ ଯୋଡି ନେହୁରା ହେଉଛନ୍ତି । ଏକ ବଡ ଗାଡିରେ ଯାଉଥିବାବେଳେ ଆଚାର୍ଯ୍ୟବିହାର ଛକରେ ହାତଯୋଡି ଅନୁରୋଧ କରିଛନ୍ତିି ।

କଟକ ବାଦାମବାଡ଼ି ଅଞ୍ଚଳରୁ ସରକାରୀ ଓ ଘରୋଇ ବସ ଚଳାଚଳ ବନ୍ଦ ରହିଥିବାରୁ ଶହଶହ ଯାତ୍ରୀ ଆଜି ମଧ୍ୟ ନାହିଁ ନ ଥିବା ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି।

ବ୍ରହ୍ମପୁର ଷ୍ଟେସନରେ ପଲାସା-ପୁରୀ ଟ୍ରେନ୍ ଅଟକି ରହିଥିବା ବେଳେ ଭଦ୍ରକରେ ଜାତୀୟ ରାଜପଥ ଅବରୋଧ ଯୋଗୁଁ ଯାନବାହନ ଚଳାଚଳ ବନ୍ଦ ରହିଛି। ଏପରିକି ଭଦ୍ରକରେ ଦୋକାନବଜାର ମଧ୍ୟ ବନ୍ଦ ରହିଛି।

ମୋଦି ହଟାଅ, ଦେଶ ବଂଚାଅ ଆହ୍ୱାନରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକରାର ଆଜି ଦ୍ୱିତୀୟ ଦିନ । ତେବେ କାଲି ଅପେକ୍ଷା ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ କମ୍ ରହିଛି । ବିଭିନ୍ନ ସ୍ଥାନରେ ଆଜି ପିକେଟିଂ କରାଯାଉଥିଲେ ବି କାଲିଭଳି ଦେଖିବାକୁ ମିଳିନାହିଁ । ଭୁବନେଶ୍ୱର ଷ୍ଟେସନରେ ରେଳ ଧାରଣା ଉପରେ ପିକେଟିଂ କରିବା ସହ ରେଳରୋକ କରିଥିଲେ ବିଭିନ୍ନ ଶ୍ରମିକ ସଂଗଠନ । ତେବେ ରାସ୍ତାରେ ଛୋଟ ଛୋଟ ଗାଡି ଚଳାଚଳ କରୁଛି । କିନ୍ତୁ ବଡ ଗାଡି ଚଳାଚଳ କରୁନଥିବା ଦେଖିବାକୁ ମିଳିଛି । ସେପଟେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ଅନେକ ଜିଲ୍ଲାର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ଘୋଷଣା କରିଛନ୍ତି ସମ୍ପୃକ୍ତ ଜିଲ୍ଲାର ଜିଲ୍ଳାପାଳ ।