ହରତାଳ ଭିତରେ ଦେଖିବାକୁ ମିଳିଛି ରୋଚକ ଦୃଶ୍ୟ । ଆନ୍ଦୋଳନ ଯୋଗୁଁ ରାସ୍ତାରେ ଅଟକି ରହିଛି ବହୁ ସଂଖ୍ୟାରେ ଗାଡି । ଆଉ ରାସ୍ତା ମଝିରେ ଚାଲିଛି କ୍ରିକେଟ ଖେଳ ।

ଶ୍ରମିକ ଧର୍ମଘଟର ଦ୍ୱିତୀୟ ଦିନରେ ମାଷ୍ଟରକ୍ୟାଂଟିନ ଛକରେ ଲୋକଙ୍କୁ ଗୋଡାଇଲେ ଆନ୍ଦୋଳନକାରୀ

169

କନକ ବ୍ୟୁରୋ: ରାଜଧାନୀର ବିଭିନ୍ନ ସ୍ଥାନରେ ପିକେଟିଂ କରିବା ସହ ରାସ୍ତାରୋକ କରିଛନ୍ତି ବିଭିନ୍ନ ଶ୍ରମିକ ସଂଗଠନ । ତେବେ ଏହି ହରତାଳ ଭିତରେ ଆଜି ନୟାପଲୀଠାରେ ଦେଖିବାକୁ ମିଳିଛି ରୋଚକ ଚିତ୍ର । ଆନ୍ଦୋଳନ ଯୋଗୁଁ ରାସ୍ତାରେ ଅଟକି ରହିଛି ବହୁ ସଂଖ୍ୟାରେ ଗାଡି ।

ଆଉ ରାସ୍ତା ମଝିରେ ଚାଲିଛି କ୍ରିକେଟ ଖେଳ । ଜାତୀୟ ରାଜପଥ ଉପରେ ଛୋଟ ଛୋଟ ପିଲାମାନେ କ୍ରିକେଟ ଖେଳୁଛନ୍ତି । ଗତକାଲି ଏହି ପିଲାମାନେ ଆନ୍ଦୋଳନ ସମୟରେ ରାସ୍ତା ଉପରେ ଫୁଟବଲ ଖେଳୁଥିବା ଦେଖିବାକୁ ମିଳିଥିଲା । ସେହିପରି ଗତକାଲି ଜୟଦେବ ବିହାର ଛକରେ ଆନ୍ଦୋଳନକାରୀଙ୍କ ହାତରେ ପ୍ଲାଷ୍ଟିକ୍ ପାଇପ୍ ଓ ଠେଙ୍ଗା ଦେଖିବାକୁ ମିଳିଥିଲା । ପାଇପ୍ ଉଠାଇ ପଥଚାରୀଙ୍କୁ ଫେରିଯିବା ପାଇଁ ଭୟଭୀତ କରାଯାଇଥିଲା ।

 

ଶ୍ରମିକ ସଂଗଠନ ବନ୍ଦର ଦ୍ୱିତୀୟ ଦିନରେ ମାଷ୍ଟରକ୍ୟାଂଟିନ ଛକରେ ଦେଖିବାକୁ ମିଳିଛି ଅଭାବନୀୟ ଚିତ୍ର । ଆନ୍ଦୋଳନକାରୀମାନେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ଅଟକାଇବା ସହ ଗୋଡାଉଥିବା ଦେଖିବାକୁ ମିଳିଛି । ବାଟୋଇମାନଙ୍କ ଗାଡିକୁ ଅଟକାଇବାକୁ ଯାଇ ସେମାନଙ୍କ ସହ ଯୁକ୍ତିତର୍କ କରୁଥିବା ଦେଖିବାକୁ ମିଳିଛି ।

ଅନ୍ୟପଟେ ଆଚାର୍ଯ୍ୟବିହାରରେ ଦେଖିବାକୁ ମିଳିଛି ଏକ କରୁଣ ଚିତ୍ର । ତାଙ୍କ ଗାଡି ଛାଡିଦେବାକୁ ଜଣେ ବୃଦ୍ଧା ହାତ ଯୋଡି ନେହୁରା ହେଉଛନ୍ତି । ଏକ ବଡ ଗାଡିରେ ଯାଉଥିବାବେଳେ ଆଚାର୍ଯ୍ୟବିହାର ଛକରେ ହାତଯୋଡି ଗାଡି ଛାଡି ଦେବାକୁ ଅନୁରୋଧ କରିଛନ୍ତିି ।

ମୋଦି ହଟାଅ, ଦେଶ ବଂଚାଅ ଆହ୍ୱାନରେ ବିଭିନ୍ନ କେନ୍ଦ୍ରୀୟ ଶ୍ରମିକ ସଂଗଠନ ପକ୍ଷରୁ ଦୁଇ ଦିନିଆ ବନ୍ଦ ଡାକରାର ଆଜି ଦ୍ୱିତୀୟ ଦିନ । ତେବେ କାଲି ଅପେକ୍ଷା ଆଜି ସକାଳୁ ରାଜ୍ୟର ବିଭିନ୍ନ ସ୍ଥାନରେ ବନ୍ଦର ପ୍ରଭାବ କମ୍ ରହିଛି । ବିଭିନ୍ନ ସ୍ଥାନରେ ଆଜି ପିକେଟିଂ କରାଯାଉଥିଲେ ବି କାଲିଭଳି ଦେଖିବାକୁ ମିଳିନାହିଁ । ଭୁବନେଶ୍ୱର ଷ୍ଟେସନରେ ରେଳ ଧାରଣା ଉପରେ ପିକେଟିଂ କରିବା ସହ ରେଳରୋକ କରିଥିଲେ ବିଭିନ୍ନ ଶ୍ରମିକ ସଂଗଠନ । ତେବେ ରାସ୍ତାରେ ଛୋଟ ଛୋଟ ଗାଡି ଚଳାଚଳ କରୁଛି । କିନ୍ତୁ ବଡ ଗାଡି ଚଳାଚଳ କରୁନଥିବା ଦେଖିବାକୁ ମିଳିଛି । ସେପଟେ ଛାତ୍ରଛାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ରାଜ୍ୟର ଅନେକ ଜିଲ୍ଲାର ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ବନ୍ଦ ଘୋଷଣା କରିଛନ୍ତି ସମ୍ପୃକ୍ତ ଜିଲ୍ଲାର ଜିଲ୍ଳାପାଳ ।