ଇରାନରୁ ତେଲ ଆମଦାନୀ କମ କରିବାକୁ ମୋଦି ସରକାରଙ୍କ ନିଷ୍ପତି ! ଆମେରିକା ଧମକରେ ମୁଣ୍ଡ ନୁଆଁଇଲା କି ଭାରତ ?

74

ଇରାନରୁ ହେଉଥିବା ତେଲ ଆମଦାନୀକୁ ନଭେମ୍ବରରୁ କମ କରିବା ପାଇଁ ତୈଳ ବିଶେଧନାଗାରକୁ କହିଛି ତୈଳ ମନ୍ତ୍ରାଳୟ । ଆମେରିକା ଦ୍ୱାରା ଇରାନ ଉପରେ ଲଗାଯାଇଥିବା ପ୍ରତିବନ୍ଧକକୁ ନଜରରେ ଭାରତର ଏହି ପ୍ରତିକ୍ରିୟା ହୋଇପାରେ ବୋଲି ସୂଚନା ମିଳିଛି । କୌଣସି ଦେଶର ପ୍ରତିବନ୍ଧକକୁ ଭାରତ ମାନେ ନାହିଁ ବରଂ ମିଳିତ ଜାତିସଂଘର ପ୍ରତିବନ୍ଧକୁ ପାଳନ କରାଯାଉଛି ବୋଲି ବୈଦେଶିକ ମନ୍ତ୍ରୀ ସୁଷମା ସ୍ୱରାଜ କହିଛନ୍ତି । ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି । ଚୀନ୍ ପରେ ଭାରତ ହିଁ ଇରାନ ଠାରୁ ସବୁଠୁ ଅଧିକ ତୈଳ କିଣିଥାଏ । ଏପରି ସ୍ଥିତିରେ ଭାରତର ଏହି ସଙ୍କେତ ବେଶ ଗୁରୁତ୍ୱବହନ କରୁଛି ।

ଆଜି ତୈଳ ମନ୍ତ୍ରାଳୟ ସହ ତୈଳ ବିଶୋଧନାଗାରର ବୈଠକରେ ଇରାନକୁ ବାଦ୍ ଦେଇ ତୈଳ ଆଣିବା ପାଇଁ ବିକଳ୍ପ ବ୍ୟବସ୍ଥା କରିବା ଲାଗି କୁହାଯାଇଛି । ତେବେ ଏହି ପ୍ରସଙ୍ଗ ଏବେ ବଢୁଥିବାରୁ ଏନେଇ ପଦକ୍ଷେପ ଉଠାଯାଉଥିବା ସୂଚନା ମିଳିଛି । ଇରାନ ଠାରୁ ତୈଳ ଆମଦାନୀ କମ୍ କିମ୍ବା ବନ୍ଦ କରାଯାଇପାରେ ବୋଲି କୁହାଯାଉଛି । ଗତକାଲି ଇରାନ ଠାରୁ ତୈଳ ଆମଦାନୀ ବନ୍ଦ କରିବା ପାଇଁ ଭାରତ ସମେତ ଅନେକ ରାଷ୍ଟ୍ରକୁ ଉପଦେଶ ଦେଇଥିଲା ଆମେରିକା । ନଭେମ୍ବର ୪ତାରିଖ ଭିତରେ ଇରାନଠାରୁ ତୈଳ କିଣିବା ବନ୍ଦ କରିବା ପାଇଁ କହିଥିଲା ଆମେରିକା । ଏହା ନମାନିଲେ ଆମେରିକା ଠାରୁ ନୂଆ ଆର୍ଥିକ ପ୍ରତିବନ୍ଧକର ସମ୍ମୁଖିନ ହେବାକୁ ପଡିବ ବୋଲି ଆମେରିକା ଚେତାବନୀ ଦେଇଥିଲା । ରାଷ୍ଟ୍ରୀୟ ସୁରକ୍ଷା ପାଇଁ ଆମେରିକା ଏହି ପଦକ୍ଷେପ ନେଉଛି ବୋଲି ଜଣେ ବରିଷ୍ଠ ଅଧିକାରୀ କହିଥିବା ନେଇ ଜାତୀୟ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା ।

ତେବେ ଗତକାଲି ଆମେରିକାର ଧମକକୁ ମାନିବାକୁ ରୋକଠୋକ ମନା କରି ଦେଇଥିଲା ଭାରତ । କାରଣ ଭାରତ ନିଜ ତୈଳ ଆବଶ୍ୟକତାର ଏକ ବଡ଼ ଭାଗ ଇରାନରୁ ଆମଦାନୀ କରୁଛି । ଇରାନ ଭାରତକୁ ରିହାତି ଦରରେ ତେର ଯୋଗାଇଥାଏ । ଆହୁରି ମଧ୍ୟ ଇରାନକୁ ଭାରତୀୟ ଟଙ୍କାରେ ପେମେଣ୍ଟ କରିଥାଏ ଭାରତ । ଏଣୁ ଅନ୍ତର୍ଜାତୀୟ ବଜାରରେ ଡଲାର ମୂଲ୍ୟ ଉପର ତଳ ହେଲେ ମଧ୍ୟ ତାହାର ପ୍ରଭାବ ଇରାନ-ଭାରତ ତୈଳ କାରବାର ଉପରେ ପଡିନଥାଏ । ଅନ୍ୟପକ୍ଷରେ ଇରାନରେ ଭାରତ ଚାବାହାର ବନ୍ଦର ନିର୍ମାଣ କରିଛି । ତେଣୁ ଏହାକୁ ଦୃଷ୍ଟିରେ ରଖି ଭାରତ ଆମେରିକାର ଧମକକୁ ମାନିବନି ବୋଲି କହିଥିଲା । କିନ୍ତୁ ୨୪ ଘଣ୍ଟା ମଧ୍ୟରେ ଏପରି କଣ ହେଲା ଯେ, ଭାରତ ଇରାନ ଠାରୁ ନଭେମ୍ବର ମାସରୁ ତେଲ କିଣିବାକୁ ମନା କଲା ତାହାକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି ।