ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସିପଡିଲା ଟ୍ରାକ୍ଟର, ୨୧ ଶ୍ରମିକ ଆହତ

150

କନକ ବ୍ୟୁରୋ : ନବରଙ୍ଗପୁର ସୀମାନ୍ତ  କଳାହାଣ୍ଡି ଜିଲ୍ଲାର ବାଗବେଡା ଗାଁରେ ଟ୍ରାକ୍ଟର ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡିଯିବାରୁ ୨୧ ଜଣ ଶ୍ରମିକ ଆହତ ‌ହୋଇଛନ୍ତି । ସମସ୍ତ ଆହତ ମାନଙ୍କୁ ତେନ୍ତୁଳିଖୁଣ୍ଟି ମେଡିକାଲରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ୨ ଜଣ ଗୁରୁତର ଥିବାରୁ ତେନ୍ତୁଳିଖୁଣ୍ଟି ମେଡିକାଲରେ ପ୍ରାଥମିକ ଚିକିତ୍ସା ପରେ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି ।

କଳାହାଣ୍ଡି ଜିଲ୍ଲା ଥୁଆମୁଳା ରାମପୁର ବ୍ଲକ ତେଲନାଗୀ ପଞ୍ଚାୟତର ତେଲନାଗୀ ଠାରୁ ବାହାଡାଘାଟି ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡକ ଯୋଜନା ପାଇଁ ରାସ୍ତା କାର୍ଯ୍ୟ ଚାଲୁରହିଛି । ଠିକାଦାର ଏହି  ରାସ୍ତା କାମ ପାଇଁ ସେହି ପଞ୍ଚାୟତର ମୁର୍କା ଗ୍ରାମର ଶ୍ରମିକ ମାନଙ୍କୁ ନେଇ ଏକ ଟ୍ରାକ୍ଟର ଯୋଗେ ଯାଉଥିଲେ।  ପୋଡାଗଡ ଡ୍ୟାମ ନିକଟସ୍ଥ ବାଗବେଡା ନିକଟରେ ଘାଟି ରାସ୍ତା ରେ ଟ୍ରାକ୍ଟରଟି ଭାରସାମ୍ୟ ହରାଇ ୫୦ ଫୁଟ ତଳକୁ ଖସିପଡିଥିଲା । ଆହତ ମାନଙ୍କୁ ଆମ୍ବୁଲାନସ ଯୋଗେ ତେନ୍ତୁଳିଖୁଣ୍ଟି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭ ଭର୍ତ୍ତି କରାଯାଇଥିଲା ।

ଆହତ ମାନେ ହେଲେ ତଳନାଗି ଗାଁର ଆଶାଢ଼ି ଜାନୀ ଏବଂ ମୁର୍କା ଗାଁର ପ୍ରତିମା ବିଷୋୟୀ, ଯୋଶଦା ପାତ୍ର, ବିମଳା ଟଡିପା, ହେମ ବିଷୋୟୀ, ଯମୁନା ପାତ୍ର, ଅମ୍ବିକା ଜାନୀ, କନକ ଝଡିଆ, ବାସନ୍ତି ଝଡିଆ, କନକ ସାହୁ, ଦାନ ବିଷୋୟୀ, ସବିତା ଝଡିଆ, କନ୍ଦି ଝଡିଆ, ସନ୍ତୋଷ ବିଷୋୟୀ, ସନ୍ଧ୍ୟା ବିଷୋୟୀ, ଦୁତିକା ଝଡିଆ, ସଂଗୀତା ସାହୁ, ଫୁଲମତି ଦେଇ, କରୁଣା ନାୟକ ପ୍ରମୁଖ ଆହତ ହୋଇଥିଲେ । ଆଶାଢ଼ି ଜାନୀ ଓ ପ୍ରତିମା ବିଷୋୟୀଙ୍କ ଗୋଡ ଓ ଛାତିକୁ ଆଘାତ ଲାଗିଥିବାରୁ ଏହି ୨ ଜଣ ଆହତ ମହିଳାଙ୍କୁ ଅଧିକ ଚିକିତ୍ସା ପାଇଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା । ତେନ୍ତୁଳିଖୁଣ୍ଟି ମେଡିକାଲରେ ଡାକ୍ତର ଗିରି ପ୍ରସାଦ କବି ଶତପଥୀ ଆହତ ମାନଙ୍କୁ ଚିକିତ୍ସା କରିଥିବା ବେଳେ ସଂଧ୍ୟା ସୁଦ୍ଧା ଆହତଙ୍କ ଅବସ୍ଥା ସ୍ଥିର ରହିଥିବା ଜଣାପଡିଛି । ଘଟଣା ସ୍ଥଳରୁ ଟ୍ରାକ୍ଟର ଡ୍ରାଇଭର ଫେରାର ରହିଥିବା ଜଣାପଡିଛି ।