ପ୍ରତ୍ୟେକ ସପ୍ତାହରେ ପରୀକ୍ଷା ହେବ ସହରାଞ୍ଚଳ ପାଣି

23

କନକ ବ୍ୟୁରୋ :  ସହରାଞ୍ଚଳ ବାସିନ୍ଦା ପିଉଥିବା ପାଣି କେତେ ବିଶୁଦ୍ଧ ତାହା ପ୍ରତି ସପ୍ତାହରେ ପରୀକ୍ଷା ହେବ। ଜନସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯୋଗାଣ ହେଉଥିବା ପାଣି ପିଇ ଯେପରି ଜଳବାହିତ ରୋଗ ନହୁଏ ଏବଂ ପ୍ରତି ଘରେ ବିଶୁଦ୍ଧ ପାଣି ପହଞ୍ଚିବ ତାହା ନିଶ୍ଚିତ କରିବା ପାଇଁ ପ୍ରତି ସପ୍ତାହରେ ଯୋଗାଣ ପାଣିର ମାନ ପରୀକ୍ଷା ହେବ। ନଗର ଉନ୍ନୟନ ବିଭାଗ ପକ୍ଷରୁ ପ୍ରତିଷ୍ଠା ହୋଇଥିବା ରାଜ୍ୟସ୍ତରୀୟ ଲାବୋରେଟୋରିରେ ପାଣି ନମୂନା ପରୀକ୍ଷା କରିବାକୁ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ଜନସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।

ରାଜ୍ୟର ୧୧୩ଟି ସହରାଞ୍ଚଳକୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ନିମନ୍ତେ ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଯୋଗାଣ ପାଣିର ମାନ ପରୀକ୍ଷା ପାଇଁ ଭୁବନେଶ୍ୱର, ପୁରୀ, କଟକ ଓ ବ୍ରହ୍ମପୁରରେ ଚାରିଟି ବୃହତ ଲାବୋରେଟୋରି ପ୍ରତିଷ୍ଠା ହୋଇଥିଲେ ହେଁ ଆଜି ପର୍ଯ୍ୟନ୍ତ ଏହାର ସଦୁପଯୋଗ ହୋଇପାରିଲାନି। ଏହି ଚାରିଟି ଲାବୋରେଟୋରିରେ ଯେପରି ନିୟମିତ ପାଣିର ମାନ ପରୀକ୍ଷା ହେବ ଏବଂ ସମ୍ବଲପୁର, ରାଉରକେଲା, ବାଲେଶ୍ୱର ଓ ବାରିପଦାରେ ନିର୍ମଣାଧୀନ ଥିବା ୪ଟି ଲାବୋରେଟୋରି ଯେପରି ଚଳିତ ମାସ ଶେଷ ସୁଦ୍ଧା କାର୍ଯ୍ୟକ୍ଷମ ହେବ ସେନେଇ ପଦକ୍ଷେପ ନେବାକୁ ମୁଖ୍ୟ ସଚିବ ଶ୍ରୀ ପାଢୀ ନିର୍ଦ୍ଦେଶ ଦେଇଛନ୍ତି। ପ୍ରତି ସହରାଞ୍ଚଳର ପାଣି ଯେପରି ପ୍ରତ୍ୟେକ ସପ୍ତାହରେ ଲାବୋରେଟୋରିରେ ପରୀକ୍ଷା ହେବ ସେନେଇ ଏସ୍‌ଓପି ପ୍ରସ୍ତୁତ କରିବାକୁ ବୈଠକରେ ସ୍ଥିର ହୋଇଛି।

ସେହିପରି ପ୍ରତ୍ୟେକ ସହରାଞ୍ଚଳର ପ୍ରତି ଘରକୁ ଯେପରି ପାନୀୟ ଜଳ ଯୋଗାଣ ହେବ ସେଥିପାଇଁ ସ୍ୱତନ୍ତ୍ର ଶିବିର କରିବାକୁ କୁହାଯାଇଛି। ଖରାଦିନ ପୂର୍ବରୁ ଯଥାସମ୍ଭବ ପାନୀୟ ଜଳ ପ୍ରକଳ୍ପଗୁଡ଼ିକୁ କାର୍ଯ୍ୟକ୍ଷମ କରିବାକୁ କୁହାଯାଇଛି। ଏହି ବୈଠକରେ ନଗର ଉନ୍ନୟନ ବିଭାଗ ସଚିବ ଜି.ମାଥିଭାଥନନ୍‌ ସୂଚନା ଦେଇ କହିଥିଲେ ଯେ, ଆସନ୍ତା ମାର୍ଚ୍ଚ ସୁଦ୍ଧା ୪୦୫ଟି ପାନୀୟ ଜଳ ପ୍ରକଳ୍ପ ଶେଷ ହେବ। ମେ ସୁଦ୍ଧା ବାକି ୩୩ଟି ପ୍ରକଳ୍ପ ଶେଷ ହେବ। କେଉଁ ପ୍ରକଳ୍ପ କେବେ ଶେଷ ହେବ ସେନେଇ ଆଜି ତାରିଖ ଧାର୍ଯ୍ୟ ହୋଇଛି। ସେହିପରି ମାର୍ଚ୍ଚ, ୨୦୧୯ ସୁଦ୍ଧା ୫୪୬ଟି ପାନୀୟ ଜଳ ପ୍ରକଳ୍ପ ଶେଷ କରିବା ଏବଂ ନାଇଜର, ଆଇଆଇଟି, ଜଟଣୀ, ଇନଫୋସିଟି-୨କୁ ଜଳ ଯୋଗାଣ ପାଇଁ ହେଉଥିବା ପ୍ରକଳ୍ପ ଆସନ୍ତା ମାର୍ଚ୍ଚ ସୁଦ୍ଧା ଶେଷ ହେବ ବୋଲି ସଚିବ କହିଛନ୍ତି।

ଏହି ବୈଠକରେ ନଗର ଉନ୍ନୟନ ବିଭାଗ ସ୍ୱତନ୍ତ୍ର ସଚିବ ପ୍ରେମ କୁମାର ଝା ଏବଂ ଜନସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।