ଆଗ୍ରାର ତାଜମହଲରୁ ପଞ୍ଜାବର ସ୍ୱର୍ଣ୍ଣ ମନ୍ଦିର ଗୋଟିଏ କ୍ଲିକରେ! ଘରେ ବସି ଦେଖିପାରିବେ ‘Incredible India’

118

ବିବିଧତାରେ ମଧ୍ୟରେ ଏକତା ଏମିତି ହେଉଛି ଆମ ଭାରତ ଦେଶ । ଯିଏ ପୂରା ଦେଶ ବୁଲିଛି ସିଏ ଭାରତର ପ୍ରକୃତ ସୌନ୍ଦର୍ଯ୍ୟକୁ ଉପଭୋଗ କରିଛି । କିନ୍ତୁ ପୂରା ଭାରତ ଭ୍ରମଣ କରିବା ସମସ୍ତଙ୍କର ଭାଗ୍ୟରେ ଜୁଟେ ନାହିଁ । ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ । ଏଣିକି ଘରେ ବସି ଗୋଟିଏ କ୍ଲିକରେ ଗୋଆର ସମୁଦ୍ର କୂଳର ସୌନ୍ଦର୍ଯ୍ୟ ସାଙ୍ଗକୁ ଦିଲ୍ଲୀର କୁ୍ତବମିନାର ଭଳି ଐତିହାସିକସ୍ଥଳୀକୁ ଘରେ ବସି ଦେଖିପାରିବେ ।

ସେହିଭଳି ଅମୃତସରର ସ୍ୱର୍ଣ୍ଣ ମନ୍ଦିର ଠାରୁ ଆରମ୍ଭ କରି ଭାରତର ଅନ୍ୟ ଐଚ୍ଛିହାସିକସ୍ଥଳର କାରୁକାର୍ଯ୍ୟକୁ ଘରେ ବଶି ଉପଭୋଗ କରିପାରିବେ । ଆଉ ଏହାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବାକୁ ଗୁଗୁଲ ଆର୍ଟସ ଆଣ୍ଡ କଲଚର ଭାରତୀୟ ପର୍ଯ୍ୟଟନ ବିଭାଗ ସହ ଏକ ଚୁକ୍ତି କରିଛି । ଏହାଦ୍ୱାରା ଭର୍ଚୁଆଲ ରିୟାଲିଟି ମାଧ୍ୟମରେ ପୂରା ଅଞ୍ଚଳକୁ ୩୬୦ ଡିଗ୍ରୀରେ ଦେଖିହେବ । ଇନକ୍ରେଡ଼ିବଲ ଇଣ୍ଡିଆର ବାସ୍ତବ ରୂପକୁ ପୂରା ବିଶ୍ୱ ସାମ୍ନାରେ ପ୍ରଦର୍ଶିତ କରିବା ପାଇଁ ଏହି ଭିଡ଼ିଓରେ ବିଠୁଲ ମନ୍ଦିର ଓ କୁତବ ମୀନାରକୁ ସ୍ଥାନ ଦିଆଯାଇଛି ।

ଭାରତରେ ଥିବା ସୁନ୍ଦର ପର୍ଯ୍ୟଟନକ୍ଷେତ୍ରକୁ ନେଇ କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରୀ କେ.ଜେ ଆଲଫୋନ୍ସ କହିବା ଅନୁଯାୟୀ, ଭାରତରେ ଏପରି ଅନେକ ପ୍ରତିଷ୍ଠିତ ପର୍ଯ୍ୟଟନସ୍ଥଳୀ ରହିଛି ଯେଉଁଠାରେ ଜଳବାୟୁ, ଭୁଗୋଳ, ସଂସ୍କୃତି, କଳା,ସାହିତ୍ୟ ଓ ଖାଦ୍ୟକୁ ନେଇ ଭିନ୍ନ ଭିନ୍ନ ଅନୁଭୂତି ମିଳିଥାଏ । ଏହାଛଡା ଭାରତର ବିଭିନ୍ନ ଐତିହାସିକସ୍ଥଳୀର କାରୁକାର୍ଯ୍ୟ ଓ ସୌନ୍ଦର୍ଯ୍ୟକୁ ବିଶ୍ୱବାସୀଙ୍କ ସାମ୍ନାରେ ରଖିବା ପାଇଁ ଏବେ ଭାରତ ତତ୍ପର । ଏନେଇ ଗୁଗୁଲ ସହ ଚୁକ୍ତି କରି ବିଦେଶୀ ପର୍ଯ୍ୟଟକଙ୍କୁ ଏହି ପ୍ଲାଟଫର୍ମରେ ସାମିଲ କରିବାକୁ ଭାରତ ଲକ୍ଷ୍ୟ ରଖିଛି ।

ଏଥିପାଇଁ ଗୁଗୁଲର ଏକ ଟିମ୍ ୧୨ ଦିନିଆ ଭାରତ ଗସ୍ତ କରି ହମ୍ମି, ଦିଲ୍ଲୀ, ଗୋଆ ଓ ଅମୃତସରର ବିଭିନ୍ନ ପର୍ଯ୍ୟଟନସ୍ଥଳୀ ବୁଲିବା ସହ ଗୁଗୁଲର ୟି ହେଲି କ୍ୟାମେରାରେ ପୂରା ୩୬୦ ଡିଗ୍ରୀରେ ଭିଡ଼ିଓ ପ୍ରସ୍ତୁତ କରିଛନ୍ତି । ଭାରତରେ ୧୨ ଦିନର ରହଣି ମଧ୍ୟରେ ୪୦ ଘଣ୍ଟାର ଯାତ୍ରାରେ ପୂରା ଭାରତର ସୌନ୍ଦର୍ଯ୍ୟକୁ ଉପଭୋଗ କରିଥିବା କମ୍ପାନି ପକ୍ଷରୁ ଏକ ବ୍ଲଗରେ କୁହାଯାଇଛି । ସେହିଭଳି ଭିଡ଼ିଓରେ ବିଭିନ୍ନ ଅଞ୍ଚଳର ଲୋକଗୀତ ଓ ସଂଗୀତ ବ୍ୟବହାର କରାଯାଇଛି । ଏନେଇ ଗୁଗୁଲର କଳା ଓ ସଂସ୍କୃତିର ପ୍ରମୁଖ ଲୁଇସିଲା ମଜାଜା କହିଛନ୍ତି, ଗୁଗୁଲ ଆର୍ଟ ଆଣ୍ଡ କଲଚର ଲୋକଙ୍କୁ ଏକ ଉତ୍ତମ ଯାତ୍ରା ଅନୁଭବ ପ୍ରଦାନ କରିଥାଏ । ପର୍ଯ୍ୟଟନ ମନ୍ତ୍ରାଳୟ ସହ ହୋଇଥିବା ଚୁକ୍ତି ଦ୍ୱାରା ଅତୁଳନୀୟ ଭାରତ ଅଭିଯାନକୁ ଅନ୍ତରାଷ୍ଟ୍ରୀୟ ସ୍ତରରେ ଆଣିବାକୁ ପ୍ରୟାସ କରିବ ।