ବାଙ୍ଗଲାଦେଶୀଙ୍କୁ ଲଗାମ ନାହିଁ । ସରକାରଙ୍କ ହିସାବରେ ମାତ୍ର ୪ ହଜାର,ଗବେଷକଙ୍କ ହିସାବରେ ଲକ୍ଷ ଲକ୍ଷ ।

38

କନକ ବ୍ୟୁରୋ : ଓଡିଶାରେ ପ୍ରାୟ ୪ ହଜାର ଅନୁପ୍ରବେଶକାରୀ ବାଂଲାଦେଶୀ ରହିଥିବା ବିଧାନସଭାରେ ସ୍ୱୀକାର କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପରକି ଅନେକେ ଏବେ ସ୍ଥାନୀୟ ଭୋଟର ପରିଚୟପତ୍ର ଓ ରାସନ କାର୍ଡ ହାତେଇ ସାରିଲେଣି । ତେବେ ଏମାନଙ୍କୁ ନେଇ ଆସାମ ପରି ଓଡିଶାରେ ମଧ୍ୟ ଆଗାମୀ ଦିନରେ ଜଟିଳ ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା ଦେଖାଦେଇଛି ।

ଆସାମ ସରକାରଙ୍କ ଏନଆରସି ତାଲିକାରୁ ୪୦ ଲକ୍ଷ ଲୋକ ବାଦ ପଡିବା ପରେ ରାଜନୀତି ଯେପରି ବିସ୍ଫୋରକ ରୂପ ନେଉଛି, ସେହିପରି ଅନୁପ୍ରବେଶକାରୀଙ୍କ ଯୋଗୁଁ ଦେଶର ସୁରକ୍ଷା ପ୍ରତି ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଓଡ଼ିଶାରେ କେତେ ବାଙ୍ଗଲାଦେଶୀ ଅଛନ୍ତି ସେ ନେଇ ମଧ୍ୟ ଆରମ୍ଭ ହୋଇଯାଇଛି ବିତର୍କ । ୨୦୧୫ରେ ବେଆଇନ ଭାବେ ୩୯୮୭ ଜଣ ବାଙ୍ଗଲାଦେଶୀ ଥିବା ନେଇ ବିଧାନସଭାକୁ ଅବଗତ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କେନ୍ଦ୍ରାପଡ଼ାରେ ସର୍ବାଧିକ ୧୬୪୯ ଓ ଜଗତସିଂହପୁର ଜିଲ୍ଲାରେ ୧୧୧୨ ଜଣ ବେଆଇନ ଅନୁପ୍ରବେଶକାରୀ ଚିହ୍ନଟ କରାଯାଇଥିଲା । ସେହିପରି ମାଲକାନଗିରିରେ ୬୫୫, ଭଦ୍ରକରେ ୩୧୩, ବାଲେଶ୍ୱରରେ ୧୫୦, ନବରଙ୍ଗପୁରରେ ୧୦୬ ଓ ବରଗଡ଼ରେ ୨ ଜଣ ଚିହ୍ନଟ ହୋଇଥିଲେ । ତେବେ ଗବେଷକ ଅନୀଲ ଧୀରଙ୍କ ମତରେ ଏହି ସଂଖ୍ୟା ବହୁ ଅଧିକ ।

୧୯୪୮ ଓ ୧୯୭୧ ମସିହା ଯୁଦ୍ଧ ସମୟରେ ଅନେକ ବାଙ୍ଗଲାଦେଶୀ ଓଡ଼ିଶାକୁ ଶରଣାର୍ଥୀ ଭାବେ ଆସିଥିଲେ ଏବଂ ସେମାନଙ୍କୁ ସରକାରଙ୍କ ତରଫରୁ ଥଇଥାନ କରାଯାଇଥିଲା । ତେବେ ଏହା ପରେ ମଧ୍ୟ ବାଙ୍ଗଲାଦେଶରୁ ବହୁ ସଂଖ୍ୟାରେ ଅନୁପ୍ରବେଶକାରୀ ସହଜରେ ଓଡ଼ିଶାକୁ ଆସୁଥିଲେ । କାରଣ ସରକାରଙ୍କ ପକ୍ଷରୁ ଏହାକୁ ରୋକିବା ପାଇଁ କିଛି ଠୋସ ପଦକ୍ଷେପ ନିଆଯାଇନାହିଁ ।

୪୮୦ କିଲୋମିଟରରୁ ଅଧିକ ବିସ୍ତୀର୍ଣ୍ଣ ଉପକୂଳ ଥିବାରୁ ଅନୁପ୍ରବେଶକାରୀଙ୍କ ଭୂସ୍ୱର୍ଗ ହୋଇଆସିଛି । ବିଶେଷକରି ମହାକାଳପଡ଼ା ବ୍ଳକର ଜମ୍ବୁ, ବନକଣ୍ଡା, ରାମନଗର, ବତୀଘର, ବଢିଅ ଆଦି ଅଂଚଳ ଏବଂ ରାଜନଗର ବ୍ଲକର ରଙ୍ଗଣି, ତାଳଚୁଆ, ଇଶ୍ୱରପୁର ଆଦି ଅଂଚଳକୁ ସମୁଦ୍ର ବାଟେ ସହଜରେ ବେଆଇନ ଭାବେ ଓଡ଼ିଶାକୁ ପ୍ରବେଶ କରିଥାନ୍ତି ବାଙ୍ଗଲାଦେଶୀ ନାଗରିକ । ସବୁଠୁ ବଡ଼ କଥା ହେଉଛି, ଭୋଟ ପରିଚୟପତ୍ର ସହ ରାସନ କାର୍ଡ ମଧ୍ୟ ହାତେଇ ସାରିଲେଣୀ ଏହି ଅନୁପ୍ରବେଶକାରୀ ।

ତଟସୁରକ୍ଷା ବାହିନୀ କିମ୍ବା ରାଜ୍ୟ ସରକାରଙ୍କ ପକ୍ଷରୁ ହୋଇଥିବା ମେରାଇନ ଥାନା ଏ କ୍ଷେତ୍ରରେ ସଂପୂର୍ଣ୍ଣ ଫେଲ ମାରିଥିବା ଅଭିଯୋଗ ହୋଇଛି । ଏବେ ପ୍ରଶ୍ନ ଉଠୁଛି, ଆସାମ ପରେ ନାଗରିକ ଚିହ୍ନଟ ପ୍ରକିୟା ଓଡ଼ିଶାରେ ଆରମ୍ଭ ହେବ କି? କାରଣ ଏହି ସମସ୍ୟା ଧିରେ ଧିରେ ଓଡ଼ିଶାରେ ଉକ୍ରଟ ସ୍ଥିତି ସୃଷ୍ଟି କରିବାର ଆଶଙ୍କା ରହିଛି ।