ୟେସ୍ ବ୍ୟାଙ୍କରେ ଏବେବି ରହିଛି ‘ଜଗା’ର ଟଙ୍କା । ବିଧାନସଭାରେ ଆଇନ ମନ୍ତ୍ରୀଙ୍କ ଲିଖିତ ଉତ୍ତର: ଶ୍ରୀମନ୍ଦିର ପ୍ରଶାସନ ପାଖରେ ନାହିଁ ଜଗନ୍ନାଥଙ୍କ ବହୁ ଜମିର ସ୍ବତ୍ବଲିପି। ୭ଟି ରାଜ୍ୟରେ ରହିଛି ମହାପ୍ରଭୁଙ୍କ ଭୂ-ସଂପତ୍ତି

372

କନକ ବ୍ୟୁରୋ: ଶ୍ରୀମନ୍ଦିର ପ୍ରଶାସନ ପାଖରେ ଏବେବିି ନାହିଁ ଜଗନ୍ନାଥଙ୍କ ସମସ୍ତ ଜମିର ସତ୍ୱଲିପି । ବିଧାନସଭାରେ ଆଜି ଆଇନ ମନ୍ତ୍ରୀ ପ୍ରତାପ ଜେନା ଦେଇଥିବା ତଥ୍ୟ ଅନୁଯାୟୀ ମହାପ୍ରଭୁ ଜଗନ୍ନାଥଙ୍କର ଚିହ୍ନଟ ହୋଇଥିବା ୬୦ ହଜାର ୪୨୬ ଏକର ଜମି ମଧ୍ୟରୁ ୨୫ ହଜାର ୬୨୩ ଏକର ଜମିର ସତ୍ୱଲିପି ମନ୍ଦିର ପ୍ରଶାସନ ପାଖରେ ନାହିଁ । ଏଥିରୁ ମାତ୍ର ୩୪ହଜାର ୮୦୩ ଏକର ଜମିର ସତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ଅଛି । ଅର୍ଥାତ୍ ଜଗନ୍ନାଥଙ୍କର ବହୁ ପରିମାଣରୁ ଭୂସମ୍ପତି ଏବେ ଜବରଦଖଲକାରୀଙ୍କ କବଜାରେ ରହିଛି । ସେହିପରି ଜଗନ୍ନାଥଙ୍କର ସ୍ଥାୟୀ ଜମା ଆକାରରେ ୫୫୨ କୋଟି ୪୩ ଲକ୍ଷ ଟଙ୍କା ଥିବା ସୂଚନା ଦେଇଛନ୍ତି ମନ୍ତ୍ରୀ ।

ଆଜି ଗୃହରେ ଜସିପୁର ବିଜେପି ବିଧାୟକ ଗଣେଶ ରାମ ସିଂ ଖୁଂଟିଆଙ୍କ ପ୍ରଶ୍ନରେ ଉତର ରଖି ମନ୍ତ୍ରୀ କହିଛନ୍ତି ଯେ, ଶ୍ରୀ ଜଗନ୍ନାଥଙ୍କ ସଂପତି ଓଡିଶାର ୨୪ଟି ଜିଲ୍ଲାରେ ୬୦ ହଜାର ୪୨୭ ଏକର ଜମି ଚିହ୍ନଟ ହୋଇଥିବା ବେଳେ ଏଥିମଧ୍ୟରୁ ଅଦ୍ୟାବଧି ୩୪୮୦୩.୦୧୩ ପରିମିତ ଜମିର ଚୂଡାନ୍ତ ସ୍ୱତ୍ତ୍ୱଲିପି ଶ୍ରୀମନ୍ଦିର ପ୍ରଶାସନ ନିକଟରେ ରହିଛି । ତେବେ ବିନା କାଗଜପତ୍ରରେ ଶ୍ରୀଜଗନ୍ନାଥଙ୍କ ସଂପତିକୁ ବେଆଇନ ଭାବେ ଅବରୋଧ କରିଥିବା ବ୍ୟକ୍ତିବିଶେଷଙ୍କୁ ସରଜମିନ ତଦନ୍ତ ପୂର୍ବକ ଚିହ୍ନଟ କରାଯାଇ ଉକ୍ତ ଅବରୋଧକୁ ଉଚ୍ଛେଦ କରାଯିବା ନିମନ୍ତେ ଶ୍ରୀଜଗନ୍ନାଥ ମନ୍ଦିର ଆଇନ-୧୯୫୫ର ଧାରା ୧୬-ଏ(୧) ଅନୁଯାୟୀ ୮୬୪ଟି ବେଆଇନ ଅବରୋଧ ମୋକଦ୍ଦମା ଶ୍ରୀମନ୍ଦିର ପ୍ରଶାସନ ତରଫରୁ ଦାଏର କରାଯାଇଛି । ସେହିଭଳି ଗତ ଜାନୁୟାରୀ ୩୧ ତାରିଖ ସୁଦ୍ଧା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ସମସ୍ତ ପାଣ୍ଠି ସ୍ଥାୟୀ ଜମା ପରିମାଣ ୫ଶହ ୫୨ କୋଟି ୪୩ ଲକ୍ଷ ୨୧ ହଜାର ଟଙ୍କା ରହିଥିବା ବେଳେ ଫ୍ଲେକ୍ସି, ସଂଚୟ ଖାତା ଓ ଚଳନ୍ତି ଖାତାରେ ମୋଟ ୭୪ କୋଟି ୧ ଲ୭ ୫୭ ହଜାର ୪୪ ଟଙ୍କା ରହିଛି । ଏପରି ସର୍ବମୋଟ ୬୨୫ କୋଟି ୪୪ ଲକ୍ଷ ୭୮ ହଜରା ୪୪୪ ଟଙ୍କା ଜମା ରହିଛି ।

ତେବେ ମହାପ୍ରଭୁଙ୍କ ସମସ୍ତ ପାଣ୍ଠିକୁ ସର୍ବାଧିକ ହାରରେ ସୁଧ ପ୍ରଦାନ କରୁଥିବା ବ୍ୟାଙ୍କରେ ସ୍ଥାୟୀ ଜମାରେ ବିନିଯୋଗ କରାଯିବା ନିମନ୍ତେ ପ୍ରଚଳିତ ଧାରାକୁ ଅବ୍ୟାହତ ରଖି ଟେଣ୍ଡର ମାଧ୍ୟମରେ ୟେସ୍ ବ୍ୟାଙ୍କରେ ୫୯୨ କୋଟି ଟଙ୍କା ବିନିଯୋଗ କରାଯାଇଥିଲା । ଶ୍ରୀଜଗନ୍ନାଥ ମନ୍ଦିର ଆକ୍ଟ ୧୯୫୪ର ଧାରା ୨୮-ସି(୩)ଅନୁଯାୟୀ ଫାଉଣ୍ଡେସନ ଫଣ୍ଡର ସମସ୍ତ ଅର୍ଥ ରାଜ୍ୟ ସରକାରଙ୍କ ଦ୍ୱାରା ସ୍ୱୀକୃତି ପ୍ରାପ୍ତ ବ୍ୟାଙ୍କ କିମ୍ବା ବ୍ୟାଙ୍କ ଗୁଡିକରେ ଦୀର୍ଘ ମିଆଦି ସ୍ଥାୟୀ ଜମାରେ ରଖାଯିବାର ବିଧି ରହିଛି । ତେବେ ପଂଜିକୃତ ବ୍ୟାଙ୍କମାନଙ୍କ ମଧ୍ୟରେ ୟେସ୍ ବ୍ୟାଙ୍କ ସ୍ଥାନିତ ହୋଇଥିବାରୁ ଓ ଟେଣ୍ଡର ମାଧ୍ୟମରେ ଅଂଶ ଗ୍ରହଣ କରି ସର୍ବାଧିକ ସୁଧ ପ୍ରଦାନ କରିଥିବାରୁ ଏହି ବ୍ୟାଙ୍କରେ ମହାପ୍ରଭୁଙ୍କ ସମସ୍ତ ପାଣ୍ଠିକୁ ଜମା କରାଯାଇଛି । ଗତବର୍ଷ ସେପ୍ଟେମ୍ବର ୩୦ ସୁଦ୍ଧା ୟେସ୍ ବ୍ୟାଙ୍କରେ ମହାପ୍ରଭୁଙ୍କର ୫୯୨ କୋଟି ଟଙ୍କା ଜମା ଥିଲା। ସ୍ଥାୟୀ ଜମାରେ ୫୪୫ କୋଟି ଓ ଫ୍ଲେକ୍ସି ଜମାରେ ୪୭ କୋଟି ଟଙ୍କା ରହିଥିଲା। ଏହା ମଧ୍ୟରେ ୪୭ କୋଟିର ଫ୍ଲେକ୍ସି ଜମା ୟେସ୍ ବ୍ୟାଙ୍କରୁ ପ୍ରତ୍ୟାହାର ହୋଇଛି। ବାକି ୫୪୫ କୋଟି ଟଙ୍କା ଆସନ୍ତା ମାର୍ଚ୍ଚ ୧୯ ଓ ୩୦ ତାରିଖରେ ଉଠାଯାଇ ରାଷ୍ଟ୍ରାୟତ୍ତ ବ୍ୟାଙ୍କରେ ରଖାଯିବ ବୋଲି ବିଧାନସଭାରେ ଆଜି ସୂଚନା ଦେଇଛନ୍ତି ବିଭାଗୀୟ ମନ୍ତ୍ରୀ ।