ଘଂଟାପ୍ରତି ୧୭ କିଲୋମିଟର ବେଗରେ ସ୍ଥଳପଥ ଆଡକୁ ମାଡି ଆସୁଛି ‘ପେଥାଇ’ । ପ୍ରଭାବରେ ଦକ୍ଷିଣ ଓଡିଶାରେ ଆରମ୍ଭ ହେଲା ବର୍ଷା

ଆଜି ଓ କାଲି ପ୍ରବଳ ବର୍ଷା ଏବଂ ୧୮ ତାରିଖରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା

605

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୁର୍ଣ୍ଣିଝଡ ପେଥାଇ ଘଂଟାପ୍ରତି ୧୭ କିଲୋମିଟର ବେଗରେ ସ୍ଥଳପଥ ଆଡକୁ ମାଡି ଆସୁଛି । ଗତରାତିରେ ଏହା ସାଇକ୍ଲୋନିକ ଷ୍ଟର୍ମର ରୂପ ନେଇସାରିଥିବାବେଳେ ଆଗାମୀ ୨୪ ଘଂଟା ମଧ୍ୟରେ ଏହା ସିଭିୟର ସାଇକ୍ଲୋନିକ ଷ୍ଟର୍ମର ରୂପନେବା ଯଥେଷ୍ଟ ସମ୍ଭାବନା ରହିଛି । ଭାରତୀୟ ପାଣିପାଗ ବିଭାଗ ଆକଳନ କରିଛି, ଆସନ୍ତା ୧୭ ତାରିଖ ଅପରାହ୍ନରେ ବାତ୍ୟା ପେଥାଇ, ଆନ୍ଧ୍ରର ମଛଲିପଟ୍ଟନମ୍ ଓ କାକିନାଡା ମଧ୍ୟରେ ସ୍ଥଳ ଭାଗ ଛୁଇଁବ । ଉତର ତାମିଲନାଡୁ ଏବଂ ପୁଡୁଚେରୀକୁ ମଧ୍ୟ ବାତ୍ୟା ପ୍ରଭାବିତ କରିବା ସମ୍ଭାବନା ରହିଛି । ବର୍ତମାନ ଏହା ତାମିଲନାଡୁ ଚେନ୍ନାଇର ପଶ୍ଚିମ- ଦକ୍ଷିଣ ପଶ୍ଚିମକୁ ୫ଶହ ୯୦ କିଲୋମିଟର ଓ ଆନ୍ଧ୍ରପ୍ରଦେଶ ମଛଲିପଟ୍ଟନମର ଦକ୍ଷିଣ- ଦକ୍ଷିଣ ପୂର୍ବ ଦିଗକୁ ୭ଶହ ୭୦ କିଲୋମିଟର ଦୂର ସମୁଦ୍ରରେ ଉତର- ଉତରପୂର୍ବ ଦିଗକୁ ଗତି କରୁଛି ।

ଏହାର ପ୍ରଭାବରେ ଆଜିଠାରୁ ଆନ୍ଧ୍ରପ୍ରଦେଶର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ରହିଛି । ସେହିପରି ୧୭ ତାରିଖ ବେଳକୁ ଉପକୂଳ ଆନ୍ଧ୍ରରେ ପ୍ରବଳ ବର୍ଷିବ । ବତ୍ୟା ପେଥାଇ ସ୍ଥଳ ଭାଗ ଛୁଇଁଲା ବେଳକୁ ପବନର ବେଗ ଘଂଟାପ୍ରତି ୫୫ରୁ ୧୧୦ କିଲୋମିଟର ଯାଏଁ ରହିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆନ୍ଧ୍ରପ୍ରଦେଶର ଉପକୂଳ ଜିଲ୍ଲାରେ ସମ୍ଭାବ୍ୟ ବାତ୍ୟାର ମୁକାବିଲା ପାଇଁ ଆବଶ୍ୟକ ପ୍ରସ୍ତୁତି କରାଯାଇଛି । ଏହିସବୁ ଜିଲ୍ଲାରେ ହାଇ ଆଲର୍ଟ ଜାରି କରାଯାଇଥିବାବେଳେ ପ୍ରଶାସନକୁ ସଜାଗ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଆନ୍ଧ୍ରପ୍ରଦେଶର ଉପକୂଳ ଜିଲ୍ଲା ଗୁଂଟୁର, କୃଷ୍ଣା, ପୂର୍ବ ଗୋଦାବରୀ, ପଶ୍ଚିମ ଗୋଦାବରୀ ଓ ବିଶାଖାପଟ୍ଟନମରେ ଏନଡିଆରଏଫ ଓ ଏସଡିଆରଏଫର ଦୁଇଟି ଲେଖାଏଁ ଟିମକୁ ସମସ୍ତ ଜରୁରୀ ଉପକରଣ ସହ ପ୍ରସ୍ତୁତ ରଖାଯାଇଛି ।

ବାତ୍ୟା ପେଥାଇ ପ୍ରଭାବରେ ମାଲକାନଗିରି ଚିତ୍ରକୋଣ୍ଡା ଅଂଚଳରେ ଆରମ୍ଭ ହୋଇଯାଇଛି ବର୍ଷା । ସାକାଳୁ ସକାଳୁ ଝିପି ବର୍ଷା ସାଙ୍ଗକୁ ପାଗ କୋହଲା ରହିଛି । ଆଜିଠାରୁ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡିଶାରେ ବର୍ଷା ହେବ ବୋଲି ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆଜି ଓ କାଲି ପ୍ରବଳ ବର୍ଷା ଏବଂ ୧୮ ତାରିଖରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି । ଓଡିଶାର ୬ଟି ଜିଲ୍ଲା ମାଲକାନଗିରି, କଳାହାଣ୍ଡି, କୋରାପୁଟ, ରାୟଗଡା, ନବରଙ୍ଗପୁର ଓ କନ୍ଧମାଳରେ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ସଂପୃକ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ବର୍ଷା ଯୋଗୁଁ ବ୍ୟାପକ ଫସଲ କ୍ଷତି ହେବା ସମ୍ଭାବନା ଥିବାରୁ ପାଚିଲା ଧାନକୁ ତୁରନ୍ତ ଜମିରୁ ଆଣି ସୁରକ୍ଷିତ ରଖିବାକୁ ଚାଷୀଙ୍କୁ ପରାମର୍ଶ ଦିଆଯାଇଛି । ଏପଟେ ଖଳାରେ ପାଚିଲା ଧାନ ପଡିରହିଥିବାରୁ ଧାନ ଅମଳ ସମୟରେ ବର୍ଷା ଆକଳନ ଚାଷୀଙ୍କୁ ଚିନ୍ତାରେ ପକାଇଛି । ବର୍ଷା ଦାଉରୁ ଫସଲ ରକ୍ଷା କରିବାକୁ ଚାଷୀ ଅଂଟା ଭିଡିଛି । ହେଲେ ପରିଶ୍ରମର ଫସଲ ସୁରକ୍ଷିତ ରଖିବାକୁ ପାଖରେ ସମୟ ନାହିଁ । ଦୁଇ ମାସ ତଳେ ବାତ୍ୟା ତିତଲି ଏବଂ ଏହାର ପ୍ରଭାବରେ ହୋଇଥିବା ବର୍ଷାରେ ଓଡିଶାରେ ବଡ ଧରଣର କ୍ଷୟକ୍ଷତି ହୋଇଥିଲା । ତିତଲି ତାଣ୍ଡବକୁ ଦୁଇ ମାସ ଯାଇନି, ଏବେ ପୁଣି ବାତ୍ୟା ପେଥାଇ ମାଡି ଆସୁଛି । ଯାହାକୁ ନେଇ ଲୋକଙ୍କ ଭିତରେ ଛନକା ପଶିଛି ।

ସେପଟେ ବର୍ଷା ଭୟ ଚାଷୀର ନିଦ ହଜାଇଦେଇଛି । କୋରାପୁଟ ବର୍ଷାରେ ଅଧିକ ଆତଙ୍କିତ ପ୍ରଭାବିତ ହେବା ଆଶଙ୍କା ଥିବାରୁ ଚାଷୀ ଆତଙ୍କିତ ହୋଇପଡିଛି । ପାଗ ପଟ୍ଟ ପରିବର୍ତନ କରିସାରିଲାଣି କୋହଲା ପାଗ ଚାଷୀଙ୍କୁ ଡରାଉଛି । ଏହାକୁ ଦେଖି ଚାଷୀ ଅମଳ ଶସ୍ୟ ସାଇତିବାରେ ଲାଗିଛି । ଚାଷୀ ଅମଳ ଧାନକୁ ଘୋଡାଇବାରେ ବ୍ୟସ୍ତ ରହିଛି । କେତେକ ଚାଷୀ ଧାନକୁ ଗୋଟାଇବାରେ ବି ଲାଗିଛନ୍ତି । ଏଭଳି ଦୃଶ୍ୟ କୋରାପୁଟ ଜିଲ୍ଲାର ଚାରିଆଡେ ଦେଖିବାକୁ ମିଳିଛି । ବର୍ଷା ଭୟରେ ଶ୍ରମିକ ମିଳୁନଥିବାରୁ ଚାଷୀଙ୍କ ସମସ୍ୟା ବଢିଯାଇଛି । ବର୍ଷା ଆଗମନକୁ ନେଇ ଚାଷୀ ଧାନକୁ ଖଳାକୁ ଆଣି ଘୋଡାଇ ରଖୁଥିବାବେଳେ ଧାନ ଆଉ ନ କାଟିବାକୁ ପ୍ରଶାସନ ପରାମର୍ଶ ଦେଇଛି । ବର୍ତମାନ ଚାଲିଥିବା ଖରିଫ ମଣ୍ଡିରୁ ସମସ୍ତ ଧାନକୁ ଉଠାଯାଇଥିବାବେଳେ ବାକି ଧାନକୁ ଘୋଡାଇ ରଖିବାକୁ କୁହାଯାଇଛି । ଡାକବାଜି ଯନ୍ତ୍ରରେ ଚାଷୀଙ୍କୁ ସୂଚନା ଦିଆଯାଉଛି ।

ସେପଟେ ଗୁଣପୁରରେ ବି ସେହି ଏକା ଅବସ୍ଥା । ରାୟଗଡା ଗୁଣପୁରରେ ଚାଷୀ ଧାନ ସାଇତିବାରେ ଲାଗିଛି । ଚାଷୀ ଅମଳ ଧାନକ ସୁରକ୍ଷିତ ରଖିବାରେ ଲାଗିଛି । ଅନେକ ଚାଷୀ ମେସିନରେ ଧାନ କାଟି ଧାନକୁ ପାଲରେ ଘୋଡାଇ ରଖାଯାଉଛି । ଚାଷୀ ଖଳାରେ ଅମଳ ଶସ୍ୟ ସାଇତିବାରେ ଲାଗିଛି । ଚାଷୀ ଅମଳ ଧାନକୁ ଘୋଡାଇବାରେ ବ୍ୟସ୍ତ ରହିଛି । ପ୍ରଥମ ତିତିଲି ଝଡ ଏବଂ ପରେ ଗୁଣ୍ଡିଆପୋକ ଆଉ ଏବେ ବର୍ଷା ଭୟ ଚାଷୀଙ୍କ ଭୟକୁ ବଢାଇଦେଇଛି ।

Comments are closed.