ଧନୀ ନେତା ତାଲିକାରେ ବଲାଙ୍ଗୀର ଜିଲ୍ଲାର ୨ ସାଂସଦ ପ୍ରାର୍ଥୀ । ସଙ୍ଗୀତାଙ୍କ ସମ୍ପତ୍ତି ୩୭ କୋଟି ଉପରେ, ୨୦ କୋଟିରୁ ଅଧିକ ସମ୍ପତ୍ତିର ମାଲିକ କଳିକେଶ ।

168

କନକ ବ୍ୟୁରୋ : ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଉ ମାତ୍ର ୩ ଦିନ ବାକି ରହିଥିବା ବେଳେ ସାମ୍ନାକୁ ଆସିଛି ଏଡିଆର ରିପୋର୍ଟ । ଦ୍ୱିତୀୟ ପର୍ଯ୍ୟାୟରେ ଆସନ୍ତା ୧୮ ତାରିଖ ଦିନ ଓଡିଶାର ୫ଟି ଲୋକସଭା ଏବଂ ଏହା ଅନ୍ତର୍ଗତ ୩୫ଟି ବିଧାନସଭା ଆସନ ପାଇଁ ଭୋଟ୍ ପଡିବ । ଆଉ ଏହା ଆଗରୁ ନେତାଙ୍କ ସମ୍ପତ୍ତି ନେଇ ତଥ୍ୟ ସାମ୍ନାକୁ ଆସିଛି ।

ଦ୍ୱିତୀୟ ପର୍ଯ୍ୟାୟରେ ବରଗଡ, ସୁନ୍ଦରଗଡ, ବଲାଙ୍ଗୀର, କନ୍ଧମାଳ ଏବଂ ଆସ୍କା ସଂସଦୀୟ କ୍ଷେତ୍ରରେ ନିର୍ବାଚନ ଅନୁଷ୍ଠିତ ହେବ । ଏହି ୫ଟି ଲୋକସଭା ଆସନରେ ରହିଛନ୍ତି ମୋଟ୍ ୩୫ ଜଣ ପ୍ରାର୍ଥୀ । ଆଉ ସବୁଠାରୁ ବଡ କଥା ହେଉଛି, ଏହି ୩୫ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୩୧ ପ୍ରତିଶତ ଅର୍ଥାତ ୧୧ ଜଣ ହେଉଛନ୍ତି କୋଟିପତି ପ୍ରାର୍ଥୀ । ଯେଉଁମାନଙ୍କର ସମ୍ପତ୍ତି ୧ କୋଟି ଟଙ୍କାରୁ ଅଧିକ ରହିଛି । ଏମାନଙ୍କ ମଧ୍ୟରେ ବିଜେପିର ୪, ବିଜେଡିର ୩ ଏବଂ କଂଗ୍ରେସର ୨ ଜଣ ପ୍ରାର୍ଥୀ ରହିଛନ୍ତି ।

ଏଡିଆର ରିପୋର୍ଟରେ ଧନୀ ପ୍ରାର୍ଥୀଙ୍କ ତାଲିକାରେ ସବୁଠାରୁ ଆଗରେ ରହିଛନ୍ତି, ବଲାଙ୍ଗୀର ଲୋକସଭା ଆସନର ବିଜେପି ପ୍ରାର୍ଥୀ ସଙ୍ଗୀତା କୁମାରୀ ସିଂହ ଦେଓ । ସଙ୍ଗୀତାଙ୍କ ମୋଟ ସମ୍ପତ୍ତି ୩୭ କୋଟି ଟଙ୍କାରୁ ଅଧିକ ହୋଇଥିବା ଏଡିଆର ରିପୋର୍ଟରେ ଉଲ୍ଲେଖ ରହିଛି । ଆଉ ଏଥିରୁ ୫,୪୩,୨୨,୮୫୧ କୋଟି ଟଙ୍କା ସଙ୍ଗୀତାଙ୍କର ସ୍ଥାବର ସମ୍ପତ୍ତି ହୋଇଥିବା ବେଳେ ୩୨,୫୨,୬୮,୦୦୦ କୋଟି ଟଙ୍କା ଅସ୍ଥାବର ସମ୍ପତି ଅଟେ ।

ଧନୀ ପ୍ରାର୍ଥୀ ତାଲିକାର ଦ୍ୱିତୀୟ ସ୍ଥାନରେ ଅଛନ୍ତି, ବଲାଙ୍ଗୀର ଲୋକସଭା ଆସନର ବିଜେଡି ପ୍ରାର୍ଥୀ କଳିକେଶ ନାରାୟଣ ସିଂହ ଦେଓ । କଳିକେଶଙ୍କର ସମୁଦାୟ ସମ୍ପତ୍ତି ୨୦ କୋଟି ଟଙ୍କାରୁ ଅଧିକ ହୋଇଥିବା ଏଡିଆର ରିପୋର୍ଟରେ ସ୍ପଷ୍ଟ କରାଯାଇଛି । ଆଉ ସମୁଦାୟ ସମ୍ପତ୍ତିରୁ ୪,୯୭,୧୯,୬୬୯ କୋଟି ଟଙ୍କା ତାଙ୍କର ସ୍ଥାବର ସମ୍ପତ୍ତି ହୋଇଥିବା ବେଳେ ୧୫,୫୧,୭୫,୫୦୦ କୋଟି ଟଙ୍କା ଅସ୍ଥାବର ସମ୍ପତ୍ତି ଅଟେ ।

ଏଡିଆର ରିପୋର୍ଟର ଧନୀ ପ୍ରାର୍ଥୀଙ୍କ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ବିଜେଡିର ଟାଣୁଆ ନେତା ତଥା ବରଗଡ ଲୋକସଭା ପ୍ରାର୍ଥୀ ପ୍ରସନ୍ନ ଆଚାର୍ଯ୍ୟ । ପ୍ରସନ୍ନଙ୍କର ସମୁଦାୟ ସମ୍ପତ୍ତି ୯ କୋଟି ଟଙ୍କାରୁ ଅଧିକ ଥିବା ଏଡିଆର ରିପୋର୍ଟରେ ଉଲ୍ଲେଖ କରାଯାଇଛି । ଆଉ ଏଥି ମଧ୍ୟରୁ ୨,୭୨,୧୭,୫୯୦ କୋଟି ଟଙ୍କା ସ୍ଥାବର ସମ୍ପତ୍ତି ହୋଇଥିବା ବେଳେ, ୬,୨୮,୩୪,୦୪୪ କୋଟି ଟଙ୍କା ପ୍ରସନ୍ନ ଆଚାର୍ଯ୍ୟଙ୍କର ଅସ୍ଥାବର ସମ୍ପତ୍ତି ଅଟେ । ତେବେ ପ୍ରାର୍ଥୀମାନଙ୍କର ସତ୍ୟପାଠ ଆଧାରରେ ଏହି ରିପୋର୍ଟ ପ୍ରକାଶ କରିଛି ଏଡିଆର ।