ନାମାଙ୍କନ ଦୂର କରିବ ଦୂରତା । ଦିଲ୍ଲୀରୁ ନିର୍ଦ୍ଦେଶ, ପ୍ରଣୟଙ୍କ ନାମାଙ୍କନରେ ଏକାଠି ଶକ୍ତି ଦେଖାଇବ ପିସିସି

40

କନକ ବ୍ୟୁରୋ : ବିଜେପୁର ଉପ-ନିର୍ବାଚନର ଅନ୍ତିମ ଦିନରେ ନାମାଙ୍କନ ଦାଖଲ କରିବେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ ସାହୁ । ଗାଏସିଲଟ ବ୍ଲକର ଉପାଧ୍ୟକ୍ଷ ତଥା ବିଜେପୁର ନିର୍ବାଚନ ମଣ୍ଡଳୀରେ ପ୍ରଭାବ ରଖିଥିବା ପ୍ରଣୟ ସାହୁଙ୍କୁ ଶେଷ ମୁହୁର୍ତ୍ତରେ କଂଗ୍ରେସ ପ୍ରାର୍ଥୀ କରି ଗୋଟିଏ ବଡ ଧରଣର କାର୍ଡ ଖେଳିଛି । ଆଉ ନାମାଙ୍କନ ଦାଖଲର ଶେଷ ଦିନରେ ପ୍ରଣୟ ସାହୁ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି । ରାଜ୍ୟ କଂଗ୍ରେସର ତମାମ ବରିଷ୍ଠ ନେତା ପ୍ରଣୟଙ୍କ ନାମାଙ୍କନରେ ସାମିଲ ହେବାକୁ ବିଜେପୁର ଯାଇଛନ୍ତି । ବିଜେପି ଓ ବିଜେଡି ଭଳି ବିଜେପୁର ମାଟିରେ ଦମ୍ ଦେଖାଇବାକୁ ପ୍ରଣୟ ବଡଧରଣର ଉଦ୍ୟମ ଆରମ୍ଭ କରିଛନ୍ତି ।

bijepur ସୂଚନା ଅନୁସାରେ, ଦିଲ୍ଲୀରୁ ରାଜ୍ୟ କଂଗ୍ରେସ ନେତାଙ୍କୁ ଫୋନ୍ ଆସିଛି, ବିଜେପୁରରେ ପ୍ରଣୟଙ୍କ ନାମାଙ୍କନ ବେଳେ ଉପସ୍ଥିତ ରହିବା ପାଇଁ । ଆଉ ଅନୁମାନ କରାଯାଉଛି, ପିସିସି ସଭାପତିଙ୍କ ସମେତ ଅନେକ ବିଧାୟକ ଓ ବରିଷ୍ଠ ନେତା ନାମାଙ୍କନ ବେଳେ ଉପସ୍ଥିତ ରହିବେ । ନାମାଙ୍କନ ବାହାନାରେ ରାଜ୍ୟ କଂଗ୍ରେସର ଦୁଇଗୋଷ୍ଠୀ କମସେ କମ୍ ଗୋଟିଏ ଜାଗାରେ ଉପସ୍ଥିତ ରହିବାର ଦେଖାଯିବ । ଗତ କିଛି ଦିନ ଧରି ରାଜ୍ୟ କଂଗ୍ରେସର ଦୁଇ ଗୋଷ୍ଠୀ ଭିତରେ ଛକାପଂଝା ଦେଖିବାକୁ ମିଳିଥିଲା । ଖାସ୍ କରି ପିସିସି ସଭାପତି ପରିବର୍ତ୍ତନ ନେଇ ବିଧାୟକ ଦଳ ଓ ପିସିସି ସଭାପତିଙ୍କ ଗୋଷ୍ଠୀ ଭିତରେ ଚାଲିଥିଲା ବୟାନବାଜି ।

ବିଜେପୁର ଉପ-ନିର୍ବାଚନରେ କିଏ ପ୍ରାର୍ଥୀ ହେବ, ତାକୁ ନେଇ ପିସିସିରେ ଛକାପଂଝା ଦେଖିବାକୁ ମିଳିଥିଲା । ଦୁଇଟି ନାଁ ଏଆଇସିସିକୁ ପଠାଯାଇଥିଲା । ଏପରିକି ପିସିସି ସଭାପତି ପ୍ରସାଦ ହରିଚନ୍ଦନ ଓ ପ୍ରାର୍ଥୀ ଚୟନ କମିଟିର ଅଧ୍ୟକ୍ଷଙ୍କ ଭିତରେ ମନୋମାଳିନ୍ୟ ରହିଥିବା ଚର୍ଚ୍ଚା ହେଲା । ଶେଷରେ ପ୍ରଣୟ ସାହୁଙ୍କ ନାଁରେ ମୋହର ମାରିଥିଲେ ରହୁଲ ଗାନ୍ଧୀ । ଆଉ ଏବେ ପ୍ରଣୟଙ୍କ ପଛରେ ପୁରା କଂଗ୍ରେସ କିଭଳି ଏକାଠି ହୋଇ ଠିଆହେବ, ସେନେଇ ଦିଲ୍ଲୀ କଡା ନଜର ରଖିଛି ।

CONGRESS LEADERS_ ପିସିସି ସଭାପତି ପରିବର୍ତ୍ତନ ନେଇ ଯେତେବେଳେ ଦିଲ୍ଲୀରେ ଆଲୋଚନା ହୋଇଥିଲେ ସେତେବେଳେ ରାହୁଲ ଦଳରେ ଏକତା ଉପରେ ଯଥେଷ୍ଟ ଗୁରୁତ୍ୱ ଦେଇଥିଲେ । ଏପରିକି ସଫା ସଫା ଶୁଣାଇ ଦେଇଥିଲେ ଦଳରେ ବିଶୃଙ୍ଖଳାକୁ ବରଦାସ୍ତ କରାଯିବନି । ତେଣୁ ବିଜେପୁର ଉପ-ନିର୍ବାଚନକୁ ଆୟୁଧ କରି ରାହୁଲ ତମାମ ନେତାଙ୍କୁ ଏକାଠି ରହିବାକୁ ବାର୍ତ୍ତା ଦେଇଥିବା ଅନୁମାନ କରାଯାଉଛି । ଏମିତିବି ଗୁଜୁରାଟ ନିର୍ବାଚନ ସମୟରେ ସୁରଟରେ ହୋଇଥିବା ପ୍ରଚାରରେ ନିରଂଜନ ପଟ୍ଟନାୟକ ଓ ପ୍ରସାଦ ହରିଚନ୍ଦନଙ୍କୁ ଗୋଟିଏ ଷ୍ଟେଜରେ ଦେଖିବାକୁ ମିଳିଥିଲା । ତେଣୁ ବିଜେପୁ ଉପ-ନିର୍ବାଚନରେ ମଧ୍ୟ ଦଳ ଏକାଠି ହେବ ବୋଲି ଅନୁମାନ କରାଯାଉଛି ।

 ସୂଚନା ଅନୁସାରେ, ଟିକେଟ ପାଇନଥିବା ରିପୁନାଥ ସେଠଙ୍କୁ ରାହୁଲ ଦିଲ୍ଲୀ ଡକାଇଛନ୍ତି । ବିଜେପୁର-ଉପନିର୍ବାଚନ ସଂକ୍ରାନ୍ତରେ ଆଲୋଚନା କରିବାକୁ ତାଙ୍କୁ ଦିଲ୍ଲୀ ଡକାଯାଉଥିବା କୁହାଯାଉଛି । ତେବେ ରିପୁନାଥ ଦିଲ୍ଲୀରେ ରାହୁଲଙ୍କୁ କେବେ ଭେଟିବେ ସ୍ପଷ୍ଟ ହୋଇନାହିଁ । ସେହିଭଳି ତିନି ତିନି ଥର ଏହି ଆସନରୁ କଂଗ୍ରେସ ପ୍ରାର୍ଥୀ ସୁବଳ ସାହୁ ବିଜୟୀ ହୋଇଥିବାରୁ ଏହି ଲଢେଇ କଂଗ୍ରେସ ପାଇଁ ସମ୍ମାନର ପ୍ରଶ୍ନ ପାଲଟିବ । ୨୦୧୯ ନିର୍ବାଚନ ଆଗରୁ କର୍ମୀଙ୍କ ମନରେ ବିଶ୍ୱାସ ଭରିବାକୁ ଦଳ ପାଇଁ ଏକ ସୁଯୋଗ ଆସିଛି । ତେବେ ନେତା ଏକ ମନ ଆଉ ପ୍ରାଣ ନେଇ ନିର୍ବାଚନ ଲଢୁଛନ୍ତି ନା ବହୁଧା ବିଭାଜିତ ଭାବେ ନିର୍ବାଚନକୁ ସାମ୍ନା କରୁଛନ୍ତି, ତା’ଉପରେ ନଜର ।