ରଙ୍ଗରେ ରଙ୍ଗେଇ ଗଲା ସାରା ଉତର ଭାରତ ! ଆସନ୍ତାକାଲି ଓଡିଶାରେ ଜମିବ ଫଗୁର ଆସର

57

କନକ ବ୍ୟୁରୋ : ଉତରଭାରତରେ ଆରମ୍ଭ ହୋଇଯାଇଛି ରଙ୍ଗର ପର୍ବ ହୋଲି । ଫଗୁ, ଅବିର, ପିଚକାରୀରେ ସମସ୍ତେ ହୋଇଯାଉଛନ୍ତି ମସଗୁଲ୍ । ହୋଲିର ରଙ୍ଗ, ଧୋଇଦେଉଛି ସବୁ ବିଦ୍ୱେଷ ଓ ଭରି ଦେଉଛି ଜୀବନରେ ପ୍ରେମର ରଙ୍ଗ । ଉତରଭାରତରେ ଆଜିଠାରୁ ହୋଲି ପାଳନ ଆରମ୍ଭ ହୋଇଥିବା ବେଳେ ଓଡ଼ିଶାରେ ଆସନ୍ତାକାଲି ପାଳନ ହେବ ହୋଲି ।

ହୋଲି ଖେଳୁଛି ଉତର ଭାରତ । ଏକ ବର୍ଷ ପରେ ରଙ୍ଗର ପର୍ବ ମତୁଆଲ କରିଛି ସମସ୍ତଙ୍କୁ । ଭରସାନା, ମଥୁରା, ବୃନ୍ଦାବନ ଓ ଛୋଟ କାଶୀରେ ଆରମ୍ଭ ହୋଇଯାଇଛି ରଙ୍ଗର ପର୍ବ ହୋଲି । ଅବିର ଛୁଇଁଯାଇଛି ମନକୁ, ପ୍ରାଣକୁ, ହୃଦୟକୁ । ଫଗୁ, ଅବିର, ପିଚକାରୀ ଭିତରେ କିଛି ଘଂଟା ପାଇଁ ନିଜକୁ ଭୁଲିଯାଇଛନ୍ତି ସମସ୍ତେ ।

ସବୁଠି ମେଳିଛି ରଂଗର ପସରା । ଏହି ରଂଗ, ଧୋଇଦେଉଛି ସବୁ ବିଦ୍ୱେଷ, ଭରି ଦେଉଛି ଜୀବନରେ ପ୍ରେମର ରଙ୍ଗ । ସଫା କରିଦେଇଛି ଘୃଣା ଆଉ ହିଂସା । ସୃଷ୍ଟି କରିଛି ବନ୍ଧୁତା ଓ ଭାଇଚାର।। ଫଗୁଣରେ ରଂଗର ସମ୍ଭାର ନେଇ ଆସିଛି ହୋଲି । ଫଗୁଣର ରଙ୍ଗର ଛିଟା ନେଇ ଆସିଥିବା ହୋଲି ସଂପର୍କକୁ ରଙ୍ଗୀନ କରିଦେଇଛି । ହୋଲି ପାଇଁ ସମସ୍ତଙ୍କ ମନ ବେଶ୍ ଆନନ୍ଦିତ । ହୋଲି ଖେଳିବା ସହ ଜମିଛି ନାଚଗୀତ ଆସର । ପରିବାର ଓ ବନ୍ଧୁବାନ୍ଧବଙ୍କ ସହ ସଭିଏଁ ମସଗୁଲ । ଛୋଟ ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଏହି ରଙ୍ଗର ପର୍ବ ହୋଲିକୁ ନିଜ ନିଜ ଅନ୍ଦାଜରେ ମନାଉଛନ୍ତି । ହୋଲିରେ ସମସ୍ତେ ରାଗ ଓ ଦ୍ୱେଷ ଭୁଲି ଅବୀର ଲଗାଇ ହୋଲି ଉତ୍ସବରେ ସାମିଲ ହେଉଛନ୍ତି ।