ଆସନ୍ତାକାଲି ଭୁବନେଶ୍ୱରରେ ହେବ ବିନା ଛାଇର ଦିନ ! ଦିନ ୧୧ଟା ୪୩ ମିନିଟ୍ ବେଳକୁ ଦେଖାଦେବ ଏହି ସ୍ଥିତି

38

କନକ ବ୍ୟୁରୋ : ଆସନ୍ତାକାଲି ଭୁବନେଶ୍ୱରରେ ହେବ ବିନା ଛାଇର ଦିନ । ଦିନ ୧୧ଟା ୪୩ ମିନିଟ୍ ବେଳକୁ ଏହି ସ୍ଥିତି ସୃଷ୍ଟି ହେବ । ଖରାରେ ଠିଆ ହେଲେ ବି ଆପଣଙ୍କ ଛାଇ ଦେଖାଯିବ ନାହିଁ । ଏହା ପଛରେ କାରଣ ହେଉଛି ସୂର୍ଯ୍ୟ ଓ ସେହି ସ୍ଥାନର ଅବସ୍ଥିତି । ଯେତେବେଳେ ସୂର୍ଯ୍ୟ କୌଣସି ସ୍ଥାନର ଅବସ୍ଥିତି ଅର୍ଥାତ ଅକ୍ଷାଂଶ ଓ ଦ୍ରାଘିମାରେ ଅବସ୍ଥାନ କରନ୍ତି, ସେତେବେଳେ ସେହି ସ୍ଥାନରେ ଛାଇ ଦୃଶ୍ୟମାନ ହୁଏ ନାହିଁ । ଏହାକୁ ଶୂନ୍ୟ ଛାୟା ଅବସ୍ଥା ବୋଲି କୁହାଯାଏ ।

ଏହି ଦିନକୁ ଶୂନ୍ୟ ଛାୟା ଦିବସ କୁହାଯାଏ । ଆସନ୍ତାକାଲି ୧୧ଟା ୪୩ ମିନିଟରେ ଭୁବନେଶ୍ୱରରେ ଏହି ସ୍ଥିତି ରହିବ । ସେହିପରି କଟକରେ ମେ ୨୨ ତାରିଖ ଦିନ ୧୧ଟା ୪୩ ମିନିଟରେ, ବଲାଙ୍ଗିରରେ ମେ ୨୩ ତାରିଖ ଦିନ ୧୧ଟା ୫୪ ମିନିଟ୍ ଓ ବାରିପଦାରେ ମେ ୩୧ ତାରିଖରେ ଦିନ ୧୧ଟା ୪୧ ମିନିଟରେ ଶୂନ୍ୟ ଛାୟା ଅବସ୍ଥା ରହିବ । ଅନ୍ୟ ସ୍ଥାନ ଗୁଡିକର ଶୂନ୍ୟ ଛାୟା ସମୟ ମଧ୍ୟ ଗଣନା କରିହେବ । ତେବେ ଆସନ୍ତାକାଲି ଭୁବନେଶ୍ୱର ସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିଅମରେ ଶୂନ୍ୟ ଛାୟା ଦିବସ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।