ସାକ୍ଷାତ କମାଇବ ସମଦୂରତା ? ବିକାଶ ପାଇଁ ବାକଯୁଦ୍ଧରେ ପଡି଼ବ କି ଯବନିକା…?

ଶୁକ୍ରବାର ଓଡିଶା ରାଜନୀତି ପାଇଁ ଏକ ଶୁଭ ଦିନ...!

217

କନକ ବ୍ୟୁରୋ: ଶୁକ୍ରବାର ଓଡିଶା ରାଜନୀତି ପାଇଁ ଏକ ଶୁଭ ଦିନ । କାରଣ ଶୁକ୍ରବାର ସାମ୍ନାସାମ୍ନି ହେବେ ଓଡିଶା ରାଜନୀତିର ଦୁଇ ଚର୍ଚ୍ଚିତ ଚେହେରା । ଦିଲ୍ଲୀରେ ଭେଟାଭେଟି ହେବେ ଦୁଇ ହେଭିୱେଟ ନବୀନ ଓ ଧର୍ମେନ୍ଦ୍ର । ନିର୍ବାଚନ ପରେ ଯଦିଓ ଏହା ଦ୍ୱିତାୟ ସାକ୍ଷାତ ହେଲେ ପରସ୍ପରଙ୍କୁ ସମୟ ଦେଇ ଭେଟିବା ପ୍ରଥମ ଥର । ୧୯ ଯୁଦ୍ଧ ପରେ ନବୀନ-ଧର୍ମେନ୍ଦ୍ର ସାକ୍ଷାତ କରୁଥିବାରୁ ଏହା ଓଡିଶା ରାଜନୀତି ପାଇଁ ଏକ ଶୁଭ ସଂକେତ ବୋଲି କୁହାଯାଉଛି ।

ଆସନ୍ତାକାଲି ଦିଲ୍ଲୀ ସ୍ଥିତ ଓଡିଶା ଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମଧ୍ୟରେ ସାକ୍ଷାତ ଆଲୋଚନାର କାର୍ଯ୍ୟକ୍ରମ ରହିଛି । ଓଡିଶା ଭବନରେ ଦୁହିଁଙ୍କ ମଧ୍ୟରେ ବୈଠକ ହେବାର ଅଛି । ଉଭୟଙ୍କ ଭେଟଘାଟ ପଛରେ ବିକାଶ ହିଁ ପ୍ରଥମ ଏଜେଣ୍ଡା ବୋଲି ଚର୍ଚ୍ଚା ହେଉଛି । ଓଡିଶାର ସ୍ୱାର୍ଥ ପାଇଁ, ଓଡିଶାର ବିକାଶ ପାଇଁ ନବୀନ ବିଜେପି ସହ ବିଜେପିର ବଡ ନେତାଙ୍କ ସହ ବନ୍ଧୁତା କରୁଛନ୍ତି ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ବି ହେଉଛି ।

ତେବେ ଓଡିଶାର ପେଟ୍ରୋଲିୟମ ଓ ଇସ୍ପାତ କ୍ଷେତ୍ରରେ ଅସଂପୂର୍ଣ୍ଣ ଥିବା ପ୍ରକଳ୍ପକୁ କେମିତି ସମ୍ପୂର୍ଣ୍ଣ କରିହେବ ତା ଉପରେ କାଲି ଆଲୋଚନା ହେବ । ସେହିପରି ଓଡିଶାକୁ ଷ୍ଟିଲ ରାଜଧାନୀ କରିବାକୁ ଉଭୟଙ୍କ ମଧ୍ୟରେ କାଲି କଥାବାର୍ତ୍ତା ହୋଇପାରେ ବୋଲି ସୂଚନା ମିଳିଛି । ସେପଟେ ଧର୍ମେନ୍ଦ୍ର-ନବୀନଙ୍କ ସାକ୍ଷାତକୁ ନେଇ ରାଜ୍ୟ ରାଜନୀତି ଗୁଳୁଗୁଳି ଆରମ୍ଭ ହୋଇଛି । ରାଜ୍ୟର ସ୍ୱାର୍ଥକୁ ଗୁରୁତ୍ୱ ଦିଆଯାଉଥିବା ବିଜେଡି କହିଥିବା ବେଳେ ବିଜେପି କହିଛି ରାଜ୍ୟର ବିକାଶ ପ୍ରସଙ୍ଗକୁ ଦଳ ସମର୍ଥନ କରିବ ।

ସେପଟେ ନବୀନ-ଧର୍ମେନ୍ଦ୍ରଙ୍କ ଭେଟଘାଟକୁ ସହଜରେ ହଜମ କରିପାରିନି କଂଗ୍ରେସ । ଉଭୟଙ୍କ ସାକ୍ଷାତରୁ ରାଜନୀତିର ଗନ୍ଧ ବାରିଛି କଂଗ୍ରେସ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି, ବିଜେପିର ନିକଟତର ହେବାକୁ ମୁଖ୍ୟମନ୍ତ୍ରୀ ଉଦ୍ୟମ କରୁଛନ୍ତି ।