ଆସନ୍ତାକାଲି ନବୀନଙ୍କ କେନ୍ଦ୍ରାପଡା ଗସ୍ତ । ତୁଳସୀକ୍ଷେତ୍ରର ଆରାଧ୍ୟ ଦେବତା ବଳଦେବଜୀଉଙ୍କୁ ଦର୍ଶନ କରିବେ ବିଜେଡି ସୁପ୍ରିମୋ, ଉଷ୍ମ ହେଲା ଜିଲ୍ଲା ରାଜନୀତି ।

176

କନକ ବ୍ୟୁରୋ : ପାଟକୁରା ଉପ ନିର୍ବାଚନକୁ ଆଉ ଦିନ କେଇଟା ଥିବା ବେଳେ ଆରମ୍ଭ ହୋଇଯାଇଛି ରାଜନୈତିକ ଦଳମାନଙ୍କ ମଧ୍ୟରେ ଛକାପଞ୍ଝା । ଗତକାଲି ବିଜୟଙ୍କ ବିଜୟ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଦମ୍ଭ ଦେଖାଇଥିବା ବେଳେ ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ରାପଡା ଗସ୍ତରେ ଯାଉଛନ୍ତି । ଯାହାକୁ ନେଇ ଏବେ ଉଷ୍ମ ହୋଇଛି ରାଜ୍ୟ ରାଜନୀତି । ଆଉ ଏସବୁ ଭିତରେ ବିଜେପି ପ୍ରାର୍ଥୀ ବିଜୟ ମହାପାତ୍ର ମଧ୍ୟ ଦଳର ବିଜୟୀ ପ୍ରାର୍ଥୀଙ୍କୁ ନେଇ ଜୋରଦାର ପ୍ରଚାର ଚଳାଇଛନ୍ତି ।

ଆସନ୍ତାକାଲି ଥିବା ମୁଖ୍ୟମନ୍ତ୍ରୀଙ୍କ କେନ୍ଦ୍ରାପଡା ଗସ୍ତ କାର୍ଯ୍ୟକ୍ରମ ପାଟକୁରା ନିର୍ବାଚନ ପୂର୍ବରୁ ଜିଲ୍ଲାର ରାଜନୀତିକ ବାତାବରଣକୁ ସରଗରମ କରିବ ବୋଲି କୁହାଯାଉଛି । ମୁଖ୍ୟମନ୍ତ୍ରୀ ପାଟକୁରାରେ ସିଧାସଳଖ କୌଣସି ନିର୍ବାଚନୀ କାର୍ଯ୍ୟକ୍ରମରେ ଯୋଗ ଦେଉନଥିଲେ ମଧ୍ୟ ଏହି ଗସ୍ତ ରାଜନୈତିକ ପାଣିପାଗକୁ ଗରମ କରିଛି । ପାଟକୁରା ନିର୍ବାଚନରେ ବିଜେଡି ପରଲୋକ ଗତ ବେଦପ୍ରକାଶ ଅଗ୍ରୱାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରୱାଲଙ୍କୁ ପ୍ରାର୍ଥୀ କରିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଲା ବରିଷ୍ଠ ରାଜନେତା ବିଜୟ ମହାପାତ୍ରଙ୍କ ସହିତ ସାବିତ୍ରୀଙ୍କର ଏହି ଲଢେଇ ହେବାକୁ ଯାଉଛି । ଅନ୍ୟ ନିର୍ବାଚନ ଭଳି ପାଟକୁରା ନିର୍ବାଚନକୁ ମଧ୍ୟ ଦଳ ଗୁରୁତର ସହ ଗ୍ରହଣ କରିବ କହିଛି ବିଜେଡି ।

ଅନ୍ୟପଟେ କେନ୍ଦ୍ରରେ ମୋଦି ସରକାରଙ୍କ ବିପୁଳ ବିଜୟ ପରେ ଏହାକୁ ମାଧ୍ୟମ କରି ପାଟକୁରାରେ ଜିତିବା ପାଇଁ ପ୍ରୟାସ ଆରମ୍ଭ କରିଛି ବିଜେପି । ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଶନିବାର ବିଜୟ ମହାପାତ୍ରଙ୍କ ପାଇଁ ପ୍ରଚାର କରିବା ପରେ ଏହି ଲଢେଇର ଗୁରୁତ୍ୱ ବଢିଯାଇଛି । ବିଜେପିର କହିବା କଥା ହେଲା, ପାଟକୁରା ନିର୍ବାଚନକୁ ଦଳ ଗୁରୁତର ସହ ନେଇଛି । ସବୁ ପ୍ରକାର ସ୍ଥିତିକୁ ସାମନା କରିବାକୁ ଦଳ ପ୍ରସ୍ତୁତ ବୋଲି ବିଜେପି ବିଧାୟକ କହିଛନ୍ତି । ପାଟକୁରାରେ ବିଜେପି ପ୍ରାର୍ଥୀ ସକ୍ରିୟ ରହିଛନ୍ତି ଓ ଏହି ନିର୍ବାଚନକୁ ଦଳ ଗୁରୁତର ସହ ଗ୍ରହଣ କରିଛି ବୋଲି କହିଛି ବିଜେପି । ତେବେ ଅପରାଜିତାଙ୍କ ପ୍ରଚାରର କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛି ବିଜେଡି । ପାଟକୁରାରେ ଲୋକେ କେବଳ ବିଜେଡି ସହିତ ଅଛନ୍ତି ବୋଲି କହିଛନ୍ତି ମହାକାଳପଡା ବିଧାୟକ ଅତନୁ ସବ୍ୟସାଚୀ ନାୟକ ।

ନିର୍ବାଚନ ପୂର୍ବରୁ ବିଜେଡି ଓ ବିଜେପି ମଧ୍ୟରେ ବାକ୍ୟ ଯୁଦ୍ଧ ଚାଲିଥିବା ବେଳେ କଂଗ୍ରେସ କହିଛି, ଲୋକଙ୍କ ସହ ଆଲୋଚନା ଚାଲିଛି । ଦେଶ ଓ ରାଜ୍ୟ କଥାକୁ ପ୍ରସଙ୍ଗ କରି ଲଢିବ କଂଗ୍ରେସ । ଭୋଟ ଦେବା କଥା ଲୋକେ ବିଚାର କରିବେ । ଏସବୁ ଭିତରେ ରାଜ୍ୟରେ ବିଜେଡିର ଏକତରଫା ବିଜୟ ଏବଂ କେନ୍ଦ୍ରରେ ବିଜେପିର ବୃହତ ବିଜୟ ପରେ ଏବେ ନଜର ରହିବ ପାଟକୁରାରେ କାହାର ହେଉଛି ବାଜିମାତ୍ ।