ବିମୁଦ୍ରାକରଣର ସାଇଡ ଇଫେକ୍ଟ ! ଛତିଶଗଡ ଦୁର୍ଗ ରାସ୍ତାରେ ୭୦ ଟ୍ରକ ବିଲାତି ଢାଳିଲେ ଚାଷୀ

36

ରାସ୍ତାରେ ଫୋପଡା ହେଲା ଟନଟନ ଟମାଟୋ । ଛତିଶଗଡ ଦୁର୍ଗ ନିକଟ ରାସ୍ତାରେ ଚାଷୀ ଫିଙ୍ଗିଦେଇ ଗଲେ ୭୦ ଟ୍ରକ ଟମାଟୋ । କାରଣ ଟମାଟୋର ଚାହିଦା ନାହିଁ । କିଲୋପିଛା ୧ ଟଙ୍କାରେ ମଧ୍ୟ ବିକ୍ରି ହେଉନାହିଁ । ବଜାରକୁ ବିକିବାକୁ ଆଣିଲେ ପରିବହନ ଖର୍ଚ୍ଚ ମଧ୍ୟ ଉଠୁନାହିଁ । ପରିସ୍ଥିତି ଏପରି ହୋଇଛି ଯେ, ଟମାଟୋ ଫେରାଇ ନେବା ପାଇଁ ପୁଣି ଖର୍ଚ୍ଚ କରିବାକୁ ଅସମର୍ଥ ଚାଷୀ । ଆଉ ଶେଷରେ ରାସ୍ତାରେ ପିଙ୍ଗି ଦେବାକୁ ବାଧ୍ୟ ହେଉଛନ୍ତି ।

ଜୁନମାସ ମଧ୍ୟଭାଗରେ ଟମାଟୋ କିଲୋପିଛା ୫୦ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଥିଲା । କିନ୍ତୁ ନଭେମ୍ବର ୮ ତାରିଖରେ ନୋଟବନ୍ଦି ପରେ ୧ ଟଙ୍କାରେ ବି ବିକ୍ରି ହେଉନାହିଁ ଟମାଟୋ । ଚଳିତବର୍ଷ ଦେଶର ବିଭିନ୍ନ ସ୍ଥାନରେ ଭଲ ଟମାଟୋ ଚାଷ ହୋଇଛି । ହେଲେ ଶୀଘ୍ର ନଷ୍ଟ ହୋଇଯାଉଥିବା ପାଚିଲା ଟମାଟୋକୁ ସଂରକ୍ଷିତ କରି ରଖିବା ଲାଗି ଆବଶ୍ୟକ ଶୀତଳ ଭଣ୍ଡାର ନାହିଁ ।

କୁହାଯାଉଛି ବିମୁଦ୍ରାୟନ ପ୍ରଭାବରୁ ଟମାଟୋ ଚାହିଦା କମିଛି । ବଡ ନୋଟ ଅଚଳ ଓ ବ୍ୟାଙ୍କରୁ ଟଙ୍କା ଉଠାଣ ନେଇ କଟକଣା ଯୋଗୁଁ ଖର୍ଚ୍ଚ କରିବାକୁ ଲୋକଙ୍କ ପକେଟରେ ପଇସା ନାହିଁ । ଫଳରେ ଚାଷୀ ଉତ୍ପାଦିତ ସାମଗ୍ରୀର ଉପଯୁକ୍ତ ମୂଲ୍ୟ ପାଉନାହିଁ । ଏହାରି ଭିତରେ ମୋଦି ସରକାରଙ୍କ ୫୦ ଦିନିଆ କଂଟ  ସରୁଛି । ତେଣୁ ଆଗକୁ ଏ ପରିସ୍ଥିତିରେ ସୁଧାର ଆସିବ କି । ତାହା ହିଁ ସବୁଠାରୁ ବଡ ପ୍ରଶ୍ନ ହୋଇଛି ।