ଚାଷୀଙ୍କୁ ଟେନସନ ଦେଉଛି ଟମାଟୋ ! ୧ ଟଙ୍କାରେ ବିକ୍ରି କରୁଛି,କିନ୍ତୁ ୧୦ ଟଙ୍କାରେ ବଜାରରୁ କିଣୁଛି । ଜାଣନ୍ତୁ ଟମାଟୋର ଆୟ ଏବଂ ବ୍ୟୟର ପୂରା ଗଣିତ ।

42

କନକ ବ୍ୟୁରୋ : ଗୋଟିଏ ଟଙ୍କାରେ ଚାଷୀ ବିକୁଥିବା ଟମାଟୋ, ଖାଉଟୀ କିଣୁଛି ୧୦ ଟଙ୍କାରେ । ବିଲରୁ ବଜାର ଆସିବା ଭିତରେ ବିଲାତି ଦର ବଢ଼ି ଯାଉଛି ୧୦ ଗୁଣ । ଖାଉଟୀ କିଣୁଥିବା ମୁଲ୍ୟଠାରୁ ଢ଼େର କମ୍ ଟଙ୍କା ଯାଉଛି ଚାଷୀ ହାତକୁ । ଜାଣନ୍ତୁ ଟମାଟୋର ଆୟ ଏବଂ ବ୍ୟୟର ଗଣିତ ।

ବିଲାତି, ବିଲରୁ ବଜାରକୁ ପହଂଚିବାର ଗଣିତ ଦେଖିଲେ ଆପଣ ଆଶ୍ଚଯ୍ୟ ହେବେ । ଚାଷୀ ପାଖରୁ ବ୍ୟବୟାସୀ ପାଖକୁ ଯାଉଛି, ଆଉ ବ୍ୟବସାୟୀ କିମ୍ବା ଖୁଜୁରା ବ୍ୟବସାୟୀ ପାଖରୁ ଖାଉଟି କିଣୁଛନ୍ତି । ଅର୍ଥାତ୍ ପୁରା ଗଣିତର କେନ୍ଦ୍ରରେ ତିନୋଟି ଚରିତ୍ର, ଚାଷୀ-ବ୍ୟବସାୟୀ-ଖାଉଟୀ । ଯେଉଁ ଟମାଟୋ, ଚାଷୀ ପାଖରୁ ଗୋଟିଏ ଟଙ୍କାରେ ଉଠୁଛି, ଖାଉଟି ପାଖକୁ ପହଂଚିଲା ବେଳେକୁ ୧୦ଗୁଣ ବଢ଼ି ଯାଉଛି । ଯାହାକୁ ଖାଉଟି ଅର୍ଥାତ୍ ଗ୍ରାହକମାନେ ୧୦ ଟଙ୍କାରେ କିଣୁଛନ୍ତି । ଚାଷୀଠୁ ବଜାର ବ୍ୟବସ୍ଥା କେତେ ଦୂର, ଏହା ତାହା ହିଁ ପ୍ରମାଣ କରୁଛି ।
ଚାଷୀଙ୍କଠାରୁ ଖାଉଟିଙ୍କ ପାଖରେ ଟମାଟୋ ପହଂଚିଲା ବେଳକୁ କେମିତି ୧୦ଗୁଣ ଟପି ଯାଉଛି, ତା’ର ସ୍ଥିତି ପରଖିଥିଲା କନକ ନ୍ୟୁଜ୍ ଟିମ୍ । ଚାଷୀର ବିଲରୁ ବଜାରର ବ୍ୟବଧାନ ମାତ୍ର ୪୦ କିଲୋମିଟର । ହେଲେ ଦାମ ୧୦ଗୁଣା ଅଧିକ । ଆଉ ଏହି ପ୍ରକ୍ରିୟା ଭିତରେ ବଳିପଡୁଛି ଚାଷୀର ସ୍ୱାର୍ଥ । ବ୍ରହ୍ମପୁରରେ ବଜାରରେ ଟମାଟୋ କିଲୋ ପିଛା ବିକ୍ରି ହେଉଛି ୧୦ ଟଙ୍କାରେ । ହେଲେ ଚାଷୀର ଭାଗ୍ୟରେ ପଡୁଛି- କେବଳ ଗୋଟିଏ ଟଙ୍କା ।

ଯଦି ଆମେ ସାର ଓ ବିହନକୁ ଛାଡି ବି ହିସାବ କରିବା ତାହେଲେ ଚାଷୀ କେତେ ପରିଶ୍ରମ କରୁଛନ୍ତି ଥରେ ନଜର ପକାନ୍ତୁ । ଜଣେ ଅଣକୁଶଳୀ ଶ୍ରମିକର ଦୈନିକ ମଜୁରୀ ଯଦି ୨ଶହ ଟଙ୍କା ହୁଏ, ତେବେ ତା’ର ମାସିକ ପାରିଶ୍ରମକ ହେବ ୬ହଜାର ଟଙ୍କା । ଗୋଟିଏ ପରିବାରର ଯଦି ୪ଜଣ ଏଥିରେ ନିଯୁକ୍ତ ଦେଉଛନ୍ତି ତାହେଲେ ମାସିକ ପାରିଶ୍ରମିକ ହେବ ୨୪ ହଜାର ଟଙ୍କା । ଟମାଟୋ ଅମଳ ପାଇଁ ଅତି କମ୍ରେ ୩ ମାସ ସମୟ ଲାଗୁଥିବାରୁ ଯଦି ଗୋଟିଏ ପରିବାରର ୪ଜଣ ଏଥିରେ ନିଯୁକ୍ତ ହେଉଛନ୍ତି, ତାହେଲେ ଖର୍ଚ୍ଚ କରୁଛନ୍ତି ୭୨ ହଜାର ଟଙ୍କା । ଆଉ ଯଦି କିଲୋପିଛା ଏକ ଟଙ୍କାରେ ଟମାଟୋ ବିକ୍ରି କରିବେ ତାହେଲେ ଆପଣ ହିସାବ କରନ୍ତୁ ଟମାଟୋ ଚାଷୀ କେତେ ରୋଜଗାର କରୁଛନ୍ତି ।

ଅନ୍ୟପଟେ ମନ୍ତ୍ରୀ କହୁଛନ୍ତି ଚାଷୀଙ୍କୁ ତାଙ୍କର ପ୍ରାପ୍ୟ ମିଳିବ ।କେନ୍ଦ୍ର ସରକାର ଚାଷୀର ସମସ୍ତ ଉତ୍ପାଦର ସର୍ବନିମ୍ନ ସହାୟକ ମୂଲ୍ୟ ଦୁଇଗୁଣା କରିବାକୁ ଘୋଷଣା କରିଥିଲେ । ରାଜ୍ୟ ସରକାର ମଧ୍ୟ ପ୍ରତିବର୍ଷ ଅଲଗା ଭାବେ କୃଷି ବଜେଟ ଉପସ୍ଥାପନ କରୁଛନ୍ତି । ହେଲେ ଘୋଷଣା ଓ ଦାବି ଠାରୁ ବାସ୍ତବ ଚିତ୍ର କ’ଣ , ତାହା ଯେ କେହି ବି ଆକଳନ କରିପାରିବ ।