ପରିବା ବଜାରରେ ଟମାଟୋ ନିଆଁ ! ପେଟ୍ରୋଲ୍ ଦରର ଦୁଇ ଗୁଣ ହେଲା ଟମାଟୋ ଦର

69

କନ୍ଦଉଛି ଟମାଟୋ ଦର । ପେଟ୍ରୋଲ ଦରର ଦୁଇ ଗୁଣ ହେଲା ଟମାଟୋ ଦର । ଟମାଟୋ କଣିଲା ବେଳେ ଲାଗୁଛି କୌଣସି ଦୁର୍ଲଭ ବସ୍ତୁ କିଣିଲା ପରି । ଟମାଟୋ ଦର ଦେଖିଲା ବେଳକୁ ହତାଶ ହୋଇଯାଇଛନ୍ତି ସାଧାରଣ ଲୋକେ । ସାଧାରଣ ଲୋକଙ୍କ ପାଇଁ ଟମାଟୋ କିଣିବା ଏକ ପ୍ରକାର ଅସମ୍ଭବ ହେଲାଣି । ବଜାରକୁ ଯାଇ ଖାଲି ଦର ପଚାରିବା ହିଁ ସାର ହେଉଛି । ଟମାଟୋ ଦର ଶୁଣିଲା ବେଳକୁ ହୋସ୍ ଉଡ଼ିଯାଉଛି ।

କାହିଁକି ହେଲା ଏପରି ପରିସ୍ଥିତି –

ଓଡ଼ିଶାକୁ ଏବେ ବାଙ୍ଗାଲୋରରୁ ଟମାଟୋ ଆମଦାନୀ ହେଉଥିବାରୁ ଏପରି ଉଚ୍ଚା ଦର ରହିଛି । ଏହାସହ ଓଡ଼ିଶାରେ ଏବେ ଟମାଟୋ ଚାଷ ହୁଏ ନାହିିଁ । ବାଙ୍ଗାଲୋର ଉପରେ ସମସ୍ତେ ନିର୍ଭର କରୁଥିବାରୁ ଟମାଟୋ ଦର ସାରା ଦେଶରେ ଉଚ୍ଚା ରହିଛି । ବାଙ୍ଗାଲୋରରେ ମଧ୍ୟ ଏବେ ଟମାଟୋ ଶେଷ ହୋଇ ଆସୁଥିବାରୁ ଦର ଉଚ୍ଚା ହୋଇଛି ।

ଏଭଳି ଉଚ୍ଚା ଦରା ଦର ଆଉ ୧୦ ଦିନ ଲାଗି ରହିବ ବୋଲି ସୂଚନା ରହିଛି । ଆଉ କିଛି ଦିନ ଭିତରେ ମହାରାଷ୍ଟ୍ର ଟମାଟୋ ବଜାରକୁ ଆସିଯିବ, ତା’ ପରେ ଟମାଟୋ ଦର ଖସିଯିବ ବୋଲି ସୂଚନା ମିଳିଛି । ଏବେ ବାଙ୍ଗାଲୋରରେ ଟମାଟୋ କିଲୋ ହାରାହାରି ୬୦ ରହିଥିବାରୁ ଓଡ଼ିଶରେ ମଧ୍ୟ ଉଚ୍ଚା ଦର ରହିଛି ।

ଏବେ ନଜର ପକାନ୍ତୁ କେଉଁ ଅଞ୍ଚଳରେ କେତେ ରହିଛି ଟମାଟୋ ଦର –

କଟକ–୯୦, ସମ୍ବଲପୁର–୮୦, ବଲାଙ୍ଗୀର-୧୦୦, ରାଉରକେଲା–୧୨୦, ଭୁବନେଶ୍ୱର-୧୦୦, ନବରଙ୍ଗପୁର-୧୦୦, ବାଲେଶ୍ୱର-୧୦୦, ପୁରୀ-୬୦, ବୌଦ୍ଧ-୧୦୦, ସୁନ୍ଦରଗଡ଼-୯୦, କେନ୍ଦୁଝର-୧୩୦, ଢେଙ୍କାନାଲ-୭୦, ବାଲୁଗାଁ- ୮୦ , ବାରିପଦା-୧୨୦, ବରଗଡ଼- ୮୦, ଜଗତସିଂପୁର- ୮୦ ମାଲକାନଗିରି- ୮୦,  ବ୍ରହ୍ମପୁର-୮୦, ନୂଆପଡ଼ା- ୮୦

୨ ମାସ ପୂର୍ବେ ଟମାଟୋ ଅଭାବି ବିକ୍ରିର ଶିକାର ହୋଇଥିଲା ଚାଷୀ । ହେଲେ ଆଜି ଟମାଟୋ କିଲେ କିଣିବା ପାଇଁ କାନ୍ଦୁଛନ୍ତି ଲୋକେ । ଦିନ ଥିଲା ବିଲାତି ଚାଷୀ ଅଭାବି ବିକ୍ରିର ଶିକାର ହୋଇ ଗାଈକୁ ଖାଇବାକୁ ଦେଉଥିଲେ ଟମାଟୋ । ଗୋଟିଏ କିଲୋ ବିଲାତିକୁ ୭୦ପଇସାରେ ବିକ୍ରି କରୁଥିଲେ ।

ମାତ୍ର ୨ ମାସ ପରେ ବଜାରରେ ଟମାଟୋ ଲଗାଇଲା ନିଆଁ । ମାତ୍ର ୨ ମାସ ଭିତରେ ବଦଳିଗଲା ବଜାରର ଦୃଶ୍ୟପଟ୍ଟ । ୭୦ ପଇସାରେ ବିକ୍ରି ହେଉଥିବା ବିଲାତି ଆଜି ବିଭିନ୍ନ ଅଞ୍ଚଳରେ ୮୦ ରୁ ୧୩୦ ଟଙ୍କା ମଧ୍ୟରେ ବିକ୍ରି ହେଉଛି । ଆଉ ବିଲାତିର ହଠାତ୍ ଦରବୃଦ୍ଧିକୁ ସହଜରେ ବିଶ୍ୱାସ କରିପାରୁ ନାହାଁନ୍ତି ଅଭାବି ବିକ୍ରିର ଶିକାର ହୋଇଥିବା ଚାଷୀ ।

ବିଲାତିର ଦାମ୍ ହଠାତ୍ ବଢିଯିବା କିଛି ଦିନ ପୂର୍ବରୁ କୃଷିମନ୍ତ୍ରୀ ଓ ଯୋଗାଣମନ୍ତ୍ରୀ ପରୋକ୍ଷରେ ପରସ୍ପର ଉପରେ ଦୋଷ ଲଦିଥିଲେ । ତେବେ ଟମାଟୋ ଦରବୃଦ୍ଧି ନେଇ ମନ୍ତ୍ରୀଙ୍କ କଳି ମଝିରେ ବଳି ପଡ଼ୁଛନ୍ତି ସାଧାରଣ ଲୋକେ । ତରକାରୀର ସ୍ୱାଦ ବଢ଼ାଉଥିବା ଟମାଟୋ କିଣିବା ଏବେ ଅସମ୍ଭବ ହେଲାଣି । ଟମାଟୋ ଦରରେ କେବେ ସୁଧାର ଆସିବ, ଲୋକେ ଅନେଇ ବସିଛନ୍ତି । ତେବେ ଏଥିପ୍ରତି ସରକାର କେତେ ଶୀଘ୍ର ଓ କ’ଣ ପଦକ୍ଷେପ ନେଉଛନ୍ତି ତାହା ଦେଖିବା ବାକି ରହିଲା ।