ଟମାଟୋ ଦେଉଛି ଟେନସନ୍ ! ଉତ୍ପାଦନରେ ରେକର୍ଡ ପରେ ଏବେ ନଷ୍ଟର ପାଳି

31

କନକ ବ୍ୟୁରୋ : କନ୍ଦଉଛି ବିଲାତି । ହିସାବ ଅନୁସାରେ ଓଡିଶାରେ ପ୍ରାୟ ୨ ଲକ୍ଷ ମେଟ୍ରିକ୍ ଟନ୍ ବିଲାତି ନଷ୍ଟ ହେବାକୁ ବସିଛି । ସାରା ରାଜ୍ୟରେ ପ୍ରଚୁର ପରିମାଣରେ ବିଲାତି ଅମଳ ହେଉଥିବା ବେଳେ ଏହାକୁ ବିକ୍ରି କରିବା ପାଇଁ ଚାଷୀ ପାଖରେ କୌଣସି ସାଧନ ନାହିଁ । ସେଥିପାଇଁ ଏଭଳି ଏକ ବିଚିତ୍ର ପରିସ୍ଥିତି ସୃଷ୍ଟି ହୋଇଛି ।

କେଉଁଠି ୫୦ ପଇସା , କେଉଁଠି ୭୦ ତ ଆଉ କେଉଁଠି ଟଙ୍କାକରେ କିଲେ ଟମାଟୋ ବିକ୍ରି କରିବାକୁ ବାଧ୍ୟ ହେଉଛି ଚାଷୀ । ଯେତେବେଳେ କି କିଲେ ଟମାଟୋ ଉତ୍ପାଦନ ପାଇଁ ହାରାହାରି ଖର୍ଚ୍ଚ ହୁଏ ୫ ଟଙ୍କା । ଚଳିତ ବର୍ଷ ଓଡିଶାରେ ପ୍ରାୟ ସାଢେ ୩ ଲକ୍ଷ ଟନ୍ ବିଲାତି ଅମଳ ହେଉଛି । ଯାହାକି ଗତ କିଛି ବର୍ଷ ତୁଳନାରେ ଢେର୍ ଅଧିକ । ମିଳିଥିବା ସୂଚନା ଅନୁସାରେ ସେଥିମଧ୍ୟରୁ ପ୍ରାୟ ୨ ଲକ୍ଷ ଟନ୍ ନଷ୍ଟ ହେବାକୁ ଯାଉଛି ।

ଆମ ରାଜ୍ୟରେ ଏଣିକି କୃଷି ପାଇଁ ସ୍ୱତନ୍ତ୍ର ବଜେଟ୍ ବି ଆସୁଛି । ଆଉ ଗତ ୪ ବର୍ଷ ଭିତରେ କୃଷି ବଜେଟ୍ ଶହେ ପ୍ରତିଶତ ବଢି ପ୍ରାୟ ୧୫ ହଜାର କୋଟିକୁ ପହଁଚିଲାଣି । ଦୁଇ ଦିନ ପୂର୍ବରୁ ଅର୍ଥମନ୍ତ୍ରୀ ଏପଟେ ବିଧାନସଭାରେ କୃଷିକୁ ନେଇ ସ୍ୱପ୍ନ ଦେଖାଉଥାନ୍ତି ଏପଟେ ଟମାଟୋ ଚାଷ କରି ଚାଷୀ କାନ୍ଦୁଥାଏ ।

ସାଧାରଣତଃ ଅନ୍ୟଦିନମାନଙ୍କରେ ସହରର ବଜାରରେ ୪୦ ଟଙ୍କା କିଲୋ ହିସାବରେ ଟମାଟୋ ମିଳିଥାଏ । ଯଦି ଏହାକୁ ହିସାବକୁ ନିଆଯିବ ତେବେ ଏଥର ପ୍ରାୟ ୮ ଶହ କୋଟି ଟଙ୍କାର ଟମାଟୋ ନଷ୍ଟ ହେବାକୁ ଯାଉଛି । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କୃଷି ବଜେଟରେ ଏନେଇ ଉଲ୍ଲେଖ ବି ନାହିଁ ।

ସାରା ଦେଶରେ ବିଲାତି ଉତ୍ପାଦନରେ ଓଡିଶାର ସ୍ଥାନ ତୃତୀୟ । କିନ୍ତୁ ଟମାଟୋ ଉତ୍ପାଦନ କରୁଥିବା ପ୍ରାୟ ୫ ଲକ୍ଷ ଚାଷୀ ଏବେ ହତାଶ ହୋଇପଡିଛନ୍ତି ।