ବଜାର ବଦଳାଇଲା ରଙ୍ଗ : ଏବେ ବିଲାତି କିଲୋ ୭୦ଟଙ୍କା, ଆକାଶ ଛୁଆଁ ଦରରେ ସମସ୍ତେ ହତାଶ

34

କନକ ବ୍ୟୁରୋ : ୨ ମାସ ପୂର୍ବେ ବିଲାତି ଅଭାବି ବିକ୍ରିର ଶିକାର ହୋଇଥିଲା ଚାଷୀ । ହେଲେ ଆଜି ବିଲାତି କିଲୋ ୭୦ ଟଙ୍କାରେ ବିକ୍ରି ହେଉଛି । ଦିନ ଥିଲା ବିଲାତି ଚାଷୀ ଅଭାବ ବିକ୍ରିର ଶିକାର ହୋଇ ବିଲାତି ଗାଈକୁ ଖାଇବାକୁ ଦେଉଥିଲେ । ହେଲେ ଏବେ ଚାଷୀର ପରିବା ବ୍ୟାଗରେ ବିଲାତି ଦେଖିବାକୁ ମିଳୁନାହିଁ ।

ଗୋଟିଏ କିଲୋ ବିଲାତିକୁ ୭୦ପଇସାରେ ବିକ୍ରି କରୁଥିଲେ । ମାତ୍ର ୨ ମାସ ପରେ ଏବେ ୭୦ ଟଙ୍କା ଦେଇ କିଣୁଛନ୍ତି । ମାତ୍ର ୨ ମାସ ଭିତରେ ବଦଳିଗଲା ବଜାରର ଦୃଶ୍ୟପଟ୍ଟ । ୭୦ ପଇସାରେ ବିକ୍ରି ହେଉଥିବା ବିଲାତି ଆଜି ୭୦ ଟଙ୍କାରେ ବିକ୍ରି ହେଉଛି । ଆଉ ବିଲାତିର ହଠାତ୍ ଦରବୃଦ୍ଧିକୁ ସହଜରେ ବିଶ୍ୱାସ କରିପାରୁ ନାହାଁନ୍ତି ସମ୍ବଲପୁରର ଚାଷୀ ।

ଦୁଇ ମାସ ତଳେ ସମ୍ବଲପୁର ଜିଲ୍ଲାରେ ବିଲାତି ଚାଷ କରିଥିବା ଚାଷୀ ଅଭାବ ବିକ୍ରୀର ଶିକାର ହୋଇ ମୁଣ୍ଡରେ ହାତ ଦେଇ ବସିଥିଲା । ବଜାରରେ ବିଲାତି କିଲୋ ୭୦ପଇସାରେ ବିକ୍ରି ହେଉଥିବା ଚାଷୀକୁ ସୁହାଉନଥିଲା । ତେଣୁ ବିଲାତି ଅମଳ କରିବାକୁ ଚାଷୀ ମଙ୍ଗୁନଥିଲା । ଜମିରେ ପଡି ବିଲାତି ସଢୁଥିଲା ନଚେତ ଗାଈକୁ ଖାଇବାକୁ ଦିଆଯାଉଥିଲା । ହେଲେ ଆଜି ବଜାରରେ ବିଲାତିକୁ ଛୁଇଁବାକୁ ଡର ମାଡୁଛି । ଏତେ ଚଢ଼ା ଦର ଦେଇ ଚାଷୀ ବିଲାତି କିଣିବାକୁ ସାହାସ କରିପାରୁ ନାହିଁ ।

ବିଲାତିର ଦର ବୃଦ୍ଧି ପାଇଁ ଚାଷୀ ସିଧାସଳଖ ସରକାରଙ୍କୁ ଦାୟୀ କରିଛି । ସରକାର ଶୀତଳ ଭଣ୍ଡାର ଯୋଗେଇବାରେ ବିଫଳ ହେଇଥିବାରୁ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇଛି । ସ୍ଥାନୀୟ ଚାଷୀ ବିଲାତି ଅଭାବ ବିକ୍ରିର ଶିକାର ହୋଇଥିବା ବେଲେ ରାଜ୍ୟ ବାହାରର ଚାଷୀ ମାଲାମାଲ ହେଉଛନ୍ତି ।

ବଜାରରେ ବିଲାତି ନିଆଁ ଲଗାଇଛି । ଦର କମି ରାଜ୍ୟର ଚାଷୀଙ୍କୁ ୨ ମାସ ତଳେ କନ୍ଦାଇଥିବା ବିଲାତି ଆଜି ଦରଦାମ ବଢି ରାଜ୍ୟବାସୀଙ୍କୁ କନ୍ଦାଉଛି । ଆଉ ଏଥିପାଇଁ ରାଜ୍ୟ ସରକାରଙ୍କ ଦୂରଦୃଷ୍ଟି ଅଭାବକୁ ଦାୟୀ କରାଯାଉଛି ।

ଦେଖନ୍ତୁ ଏହି ଭିଡିଓ –