ବିଲାତି କିଲୋ ମାତ୍ର ୨ଟଙ୍କା ! ବିକ୍ରି ମୂଲ୍ୟଠାରୁ ପରିବହନ ଖର୍ଚ୍ଚ ଅଧିକ, ଚିନ୍ତାରେ ଚାଷୀ

125

କନକ ବ୍ୟୁରୋ : ବାଡ଼ିରେ ବିଲାତି ପାଚି ଗଡ଼ୁଛି । ବିକ୍ରି ମୂଲ୍ୟଠାରୁ ପରିବହନ ଖର୍ଚ୍ଚ ବଳେଇ ଯାଉଛି । ଉପଯୁକ୍ତ ମୂଲ୍ୟରେ ବିକ୍ରି ପାଇଁ ବଜାର ନାହିଁ କି ସଂରକ୍ଷଣ କରି ରଖିବାକୁ ଶୀତଳଭଣ୍ଡାର ବ୍ୟବସ୍ଥା ମଧ୍ୟ ନାହିଁ । ବିଲାତି ପ୍ରକ୍ରିୟାକରଣ ଶିଳ୍ପ ‘ବିଲାତି ଓଡ଼ିଶା’ ଚାଷୀଙ୍କ କାମରେ ଆସୁନି । ସ୍ଥାନୀୟ ବଜାରରେ ବିଲାତି କିଲୋ ମାତ୍ର ଦୁଇଟଙ୍କା ଥିବାରୁ କେନ୍ଦୁଝର ଜିଲ୍ଲାରେ ପୁଣି ରାସ୍ତାରେ ଢାଳିବା ପରି ସମୟ ଆସିଗଲାଣି । ଏହାକୁ ନେଇ ଚାଷୀ ଚିନ୍ତାରେ। ଲାଲ୍‌ ଟହଟହ ବିଲାତି ଫଳାଇଥିବା ଚାଷୀ ଏବେ ହତାଶ। ଭଲ ଦି’ ପଇସା ରୋଜଗାର କରିବା ଆଶାରେ ଧାରଉଧାର କରି ବିଲାତି ଚାଷ କରିଥିଲେ । ଏବେ ବିକିବା ବେଳକୁ ଉଚିତ୍‌ ମୂଲ୍ୟ ମିଳୁନି ।

ଏବେ କିଲୋ ପ୍ରତି ୨ ଟଙ୍କାରେ ବିକିବା ବେଳକୁ ଚାଷୀଙ୍କ ହାତ ଯାଉନି । କେନ୍ଦୁଝର ଜିଲ୍ଲା ସଦର ବ୍ଲକର ମହାଦେଇଯୋଡ଼ା ପଞ୍ଚାୟତ ପନିପରିବା ଚାଷରେ ବେଶ୍‌ ଆଗୁଆ । ଏ ବର୍ଷ ପଞ୍ଚାୟତର ମହାଦେଇଯୋଡ଼ା, ଟକରପଡ଼ା, ଡାଳିମ୍ବାଡିହି, ମହାନ୍ତସାହି, ଶିମିଳି ସାହି ଆଦି ଗ୍ରାମରେ ପାଖାପାଖି ୫୦ ଏକରରରୁ ଊର୍ଦ୍ଧ୍ବ ଜମିରେ ବିଲାତି ଚାଷ ହୋଇଥିଲା । ଚାଷ ବେଳେ ଧାର କରଜ କରିଥିବା ଚାଷୀମାନେ ଅମଳ ପରେ ଶୁଝିବାକୁ ଲକ୍ଷ୍ୟ ରଖିଥିଲେ । ଏବେ ସେ ଲକ୍ଷ୍ୟ ପୂରଣ ହେବ ନାହିଁ ବୋଲି ସେମାନେ କହିଛନ୍ତି । କାରଣ ବିଲାତି ଯେଉଁ ମୂଲ୍ୟରେ ବିକ୍ରି ହେବା କଥା, ତାହା ହେଉନାହିଁ ।

ଏକ ପ୍ଲାଷ୍ଟିକ୍‌ ଟ୍ରେରେ ବିଲାତି ଭର୍ତ୍ତି ହେଲେ ପାଖାପାଖି ୨୫ ରୁ ୨୮ କେଜି ଓଜନ ହେଉଛି । ଏହି ଟ୍ରେ ଭର୍ତ୍ତି ବିଲାତିକୁ ଏମାନେ ମାତ୍ର ୫୦ରୁ ୬୦ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି । ସବୁଠୁ ବଡ଼ କଥା ହେଉଛି ଏହି ଗୋଟିଏ ଟ୍ରେ ଭର୍ତ୍ତି ବିଲାତି ତୋଳିବା ପାଇଁ ପାଖାପାଖି ୨୦ ଟଙ୍କା ଖର୍ଚ୍ଚ ହେଉଛି । ଅଟୋ ଯୋଗେ ବଜାର ନେଲେ ଆଉ ୩୦ ଟଙ୍କା ଖର୍ଚ୍ଚ ହେଉଛି । ଫଳତଃ ଏହି ବିଲାତି ବିକ୍ରି କରିବାକୁ ବଜାର ଗଲେ ଫେରିବା ବେଳକୁ ହାତ ଖାଲି ତ ବିକ୍ରି ନ କଲେ ବିଲରେ ନଷ୍ଟ ହେଉଛି । ଏଭଳି ସ୍ଥିତିରେ ସ୍ଥାନୀୟ ଅ˚ଚଳର ବିଲାତି ଚାଷୀ ଏବେ ମୁଣ୍ତରେ ହାତ ଦେଇ ବସିଛନ୍ତି ।