ଅପ୍ରିଲ ପହିଲାରୁ ରାଜ୍ୟରେ ଥିବା ସମସ୍ତ ତନଖି ଫାଟକ କରାଯିବ ଉଚ୍ଛେଦ ! ନିଷ୍ପତି ନେଲେ ଓଡିଶା ସରକାର

75

କନକ ବ୍ୟୁରୋ : ଅପ୍ରିଲ ପହିଲାରୁ ଓଡିଶା ସରକାର ରାଜ୍ୟରେ ଥିବା ସମସ୍ତ ତନଖି ଫାଟକ ଉଚ୍ଛେଦ କରିବାକୁ ନିଷ୍ପତି ନେଇଛନ୍ତି । ଟୋଲଗେଟ ଉଚ୍ଛେଦ ପଛର କାରଣ ରାଜ୍ୟ ସରକାର ଦେଖାଇଛନ୍ତି, ତନଖି ଫାଟକ ଯୋଗୁଁ ଟ୍ରାଫିକ ଓ ପାର୍କିଂ ସମସ୍ୟା ଦେଖା ଦେଉଛି । ଏହାଛଡା ବାଇପାସ ରାସ୍ତା ଥିବାରୁ ଟିକସ ଫାଙ୍କିବାକୁ ଚାହୁଁଥିବା ଲୋକ ସୁବିଧାରେ ଅନ୍ୟରାସ୍ତା ଦେଇ ଖସି ଯାଉଛନ୍ତି । ତେଣୁ ନାଳଦା ତନଖି ଫାଟକକୁ ଛାଡିଦେଲେ ରାଜ୍ୟର ସମସ୍ତ ଟୋଲଗେଟକୁ ରାଜ୍ୟ ସରକାର ଉଚ୍ଛେଦ କରିବାକୁ ନିଷ୍ପତି ନେଇଥିବା ଅର୍ଥମନ୍ତ୍ରୀ ପ୍ରଦୀପ ଅମାତ ସୂଚନା ଦେଇଛନ୍ତି ।

ପୂର୍ବ ପରି ନାଳଦା ତନଖି ଫାଟକ ଚାଲୁ ରହିବ । ଏଠାରେ କେବଳ ଖଣିଜ ପଦାର୍ଥର ଯାଂଚ ହେବ ଓ ଏହାକୁ ପରିଚାଳନା କରିବେ ଖଣି ଓ ଇସ୍ପାତ ବିଭାଗର ଅଧିକାରୀ । ଅର୍ଥମନ୍ତ୍ରୀ କହିଛନ୍ତି ଟୋଲଗେଟ ରଖିବା ଉଦ୍ଦେଶ୍ୟ ଟିକସ ଆଦାୟ ନଥିଲା । ବିନା ଟ୍ୟାକ୍ସ ଦେଇ ଖସିଯାଉଥିବା ଲୋକଙ୍କୁ ରୋକିବାକୁ ଟୋଲଗେଟ ନିର୍ମାଣ କରାଯାଇଥିଲା ।

ହେଲେ ଟୋଲଗେଟ ଉଚ୍ଛେଦ ହେଲେ ଭାଟରେ କୌଣସି ପ୍ରଭାବ ପଡିବ ନାହିଁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ । ତନଖି ଫାଟକ ବନ୍ଦ ହେଲେ ସେହି କର୍ମଚାରୀଙ୍କୁ ଏନଫୋର୍ସ ସ୍କ୍ୱାର୍ଡରେ ସାମିଲ କରାଯିବ । ଅନ୍ୟପଟେ ଜିଏସଟି ଲାଗୁ ହେଲେ ସାରା ଦେଶ ଗୋଟିଏ ବଜାରରେ ପରିଣତ ହେବ ଓ କୌଣସି ଗେଟର ଆବଶ୍ୟକତା ରହିବ ନାହିଁ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ।