ମନର କଥା କହିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମା ! ଧର୍ମୀୟ ସହନଶୀଳତା ନେଇ ମୋଦିଙ୍କୁ ଦେଇଥିଲେ ପରାମର୍ଶ

81

କନକ ବ୍ୟୁରୋ : ଧର୍ମୀୟ ସହନଶୀଳତା ନେଇ ବିତର୍କ ଚାଲିଥିବା ବେଳେ ଆଜି ଏ ନେଇ ମନ୍ତବ୍ୟ ରଖିଛନ୍ତି ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମା । ହିନ୍ଦୁସ୍ତାନ ଟାଇମ୍ସର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଓବାମା କହିଛନ୍ତି, ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେ କଥା ହୋଇଥିଲେ । ଧର୍ମ ଓ ଜାତିକୁ ନେଇ ଦେଶ ଭାଗ ଭାଗ ହେବା ଉଚିତ ନୁହେଁ ବୋଲି ସେ ବ୍ୟକ୍ତିଗତ ଭାବେ ମୋଦିଙ୍କୁ କହିଥିଲେ । ଧର୍ମ ଓ ଜାତିକୁ ନେଇ ଏକ ଦେଶ ଭାଗ ଭାଗ ହେବା ଉଚିତ ନୁହେଁ । ମୁଁ ବ୍ୟକ୍ତିଗତ ଭାବେ ଏବଂ ଆମେରିକାବାସୀଙ୍କ ତରଫରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଏହି କଥା କହିଛି । ଧର୍ମୀୟ ସହନଶୀଳତା ନେଇ ମୁଁ ତାଙ୍କୁ ପରାମର୍ଶ ଦେଇଛି । ଭାରତରେ ମୁସଲିମମାନେ ବେଶ୍ ସଫଳ । ଖୁସି ହେବାର ବିଷୟ ହେଉଛି ଯେ ଦେଶର ମୁସଲିମ୍ ନିଜକୁ ଭାରତୀୟ ଭାବେ ପରିଚୟ ଦିଅନ୍ତି । ଯାହା ଅନ୍ୟ ଦେଶର ସଂଖ୍ୟାଲଘୁଙ୍କ କ୍ଷେତ୍ରରେ ପ୍ରାୟ ଦେଖାଯାଏ ନାହିଁ ।

ଧର୍ମ ନାଁରେ ଅସହିଷ୍ଣୁତା ନେଇ ଭାରତରେ ବିତର୍କ ଜୋର ଧରିଥିବା ବେଳେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ୍ ଓବାମାଙ୍କ ଏହି ବୟାନ ବେଶ୍ ଗୁରୁତ୍ୱ ବହନ କରୁଛି । ହିନ୍ଦୁସ୍ଥାନ ଟାଇମ୍ସର ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସେ ମୋଦିଙ୍କୁ ଧର୍ମୀୟ ସହନଶୀଳତା ନେଇ ଏହା କହିଥିଲେ ବୋଲି ଆଜି ମନ୍ତବ୍ୟ ରଖିଛନ୍ତି ବାରାକ ଓବାମା । ଏହା ସହ ଓବାମା କହିଛନ୍ତି, ଗଣତନ୍ତ୍ରରେ କିଏ ପ୍ରଧାନମନ୍ତ୍ରୀ ଓ କିଏ ରାଷ୍ଟ୍ରପତି ଯେତିକି ଗୁରୁତ୍ୱପୂର୍ଣ୍ଣ ନୁହେଁ, ସାଧାରଣ ଲୋକ କଣ ଚାହୁଁଛନ୍ତି, ତାହା ସବୁଠୁ ଅଧିକ ଗୁରୁତ୍ୱ ରଖେ । ଯଦି ଲୋକ ବିଭାଜନ ଚାହିଁବେ ନାହିଁ, ତେବେ ସେହି ଧାରାରେ ବିଶ୍ୱାସ କରୁଥିବା ରାଜନୈତିକ ଦଳକୁ ସମର୍ଥନ କରିବେ । ଫଳରେ ସେମାନଙ୍କ ଶକ୍ତି ବୃଦ୍ଧି ପାଇବ ।