ନୂଆ ଟୋକନ ବ୍ୟବସ୍ଥା ପ୍ରତ୍ୟାହାର ଦାବିରେ ଉଠୁଛି ପଡ଼ୁଛି ପଶ୍ଚିମ ଓଡ଼ିଶା । ଆସନ୍ତାକାଲି ରାସ୍ତା ଅବରୋଧ କରିବାକୁ ସମ୍ବଲପୁର ଚାଷୀଙ୍କ ଚେତାବନୀ , ବରଗଡରେ ଜିଲ୍ଲାପ୍ରଶାସନ ସହ ଚାଷୀ ପ୍ରତିନିଧିଙ୍କ ଆଲୋଚନା ବିଫଳ

116

କନକ ବ୍ୟୁରୋ : ଟୋକନ ବ୍ୟବସ୍ଥା ଉଛେଦ ଦାବିରେ ସୃଷ୍ଟି ହୋଇଥିବା ଚାଷୀ ଉତେଜନାକୁ ପ୍ରଶମିତ କରିବା ପାଇଁ ଚାଷୀ ପ୍ରତିନିଧିଙ୍କ ସହ ବୈଠକ କରିଛି ବରଗଡ ଜିଲ୍ଲା ପ୍ରଶାସନ । ଆଲୋଚନା ପରେ ବୈଠକ ବିଫଳ ହୋଇଥିବା କହିଛନ୍ତି ଚାଷୀ ପ୍ରତିନିଧି । ହେଲେ ଜିଲ୍ଲାପାଳ କହିଛନ୍ତି ବୈଠକ ସଫଳ ହୋଇଛି । ଟୋକନ ବ୍ୟବସ୍ଥା ସମ୍ପୂର୍ଣ୍ଣ ଉଛେଦ କରାଯାଇ ପୂବ ବର୍ଷ ଭଳି ପି. ପାସ୍ ମାଧ୍ୟମରେ ଧାନ ସଂଗ୍ରହ କରାଯାଉ ବୋଲି ଦାବିରେ ଅଟଳ ରହିଛନ୍ତି ଚାଷୀ । ଏବଂ ଟୋକନ ବ୍ୟବସ୍ଥା ଉଛେଦ ନହେଲେ ସରକାରଙ୍କୁ ଅସହଯୋଗ କରାଯିବା ସହ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଚେତାବନୀ ଦେଇଛନ୍ତି ଚାଷୀ । ଅନ୍ୟପଟେ ଜିଲ୍ଲାପାଳ କହିଛନ୍ତି ଟୋକନ ବ୍ୟବସ୍ଥା ଦ୍ୱାରା ଚାଷୀ ଲାଭବାନ ହେବେ । ଏଥିପାଇଁ ବୈଠକରେ ଚାଷୀ ପ୍ରତିନିଧିମାନଙ୍କୁ ବୁଝା ଯାଇଛି । ଏବଂ ବୁଧବାର ଅର୍ଥାତ ଆଜିଠାରୁ ଧାନ କିଣା ଆରମ୍ଭ ହେବ ।

ଯେଉଁ ଧାନ ମାର୍କେଟୟାର୍ଡକୁ ପହଁଚି ସାରିଛି ସେସବୁକୁ ଅଗ୍ରାଧିକାର ଭିତିରେ କିଣାଯିବ । ଜିଲ୍ଳାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ଜ୍ୟୋତିରଞ୍ଜନ ପ୍ରଧାନଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ହୋଇଛି । ଏହି ବୈଠକରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟକ ସ୍ନେହାଁଙ୍ଗିନୀ ଛୁରିଆ, ଜିଲ୍ଲା ଯୋଗାଣ ଅଧିକାରୀ ଉପସ୍ଥିତ ଥିଲେ । ଟୋକନ ବ୍ୟବସ୍ଥାକୁ ବିରୋଧ କରି ତିନି ଦିନ ହେବ ସରକାରୀ ଅଫିସରେ ତାଲା ପକାଇ ବରଗଡରେ ଆନ୍ଦୋଳନ କରୁଛନ୍ତି ଚାଷୀ ।

ସେପଟେ ସମ୍ବଲପୁରରେ ମଧ୍ୟ ତୀବ୍ର ହୋଇଛି ଚାଷୀ ଅସନ୍ତୋଷ । ଟୋକନ ବ୍ୟବସ୍ଥା ଉଛେଦ ଦାବିରେ ମଙ୍ଗଳବାର ସ୍ଥାନୀୟ ବିଧାୟକମାନଙ୍କ ଘର ସମ୍ମୁଖରେ ଧାନ ରଖି ପ୍ରତିବାଦ କରିବା ପରେ ଏବେ ରାଜରାସ୍ତାକୁ ଓହ୍ଲାଇବାକୁ ଦେଇଛନ୍ତି ଚେତାବନୀ । ସରକାର ଯଦି ଟୋକନ ବ୍ୟବସ୍ଥାକୁ ଉଛେଦ ନକରନ୍ତି, ତେବେ ଆସନ୍ତାକାଲି ଜିଲ୍ଲାର ବିଭିନ୍ନ ସ୍ଥାନରେ ରାସ୍ତା ଅବରୋଧ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି । ସୋମବାର ଜିଲ୍ଲାପାଳ ଅଫିସ ସମ୍ମୁଖରେ ଧାନ ଗାଡି ରଖି ବିକ୍ଷୋଭ କରିଥିଲେ ଚାଷୀ । ସରକାର ଚାଷୀଙ୍କ ଦାବିକୁ ନଶୁଣିଲେ ମଙ୍ଗଳବାର ବିଧାୟକଙ୍କ ଘର ଆଗରେ ବିକ୍ଷୋଭ କରିବାକୁ ଧମକ ଦେଇଥିଲେ ଚାଷୀ । ଆଉ ସେହି ଅନୁସାରେ ଗତକାଲି ସମ୍ବଲପୁର ଜିଲ୍ଲାର ୪ଜଣ ବିଧାୟକଙ୍କ ଘର ସମ୍ମୁଖରେ ଚାଷୀ ମାନେ ଧାନ ରଖି ପ୍ରତିବାଦ କରିଛନ୍ତି । ସମ୍ବଲପୁର ବିଧାୟକ ଜୟନାରାଣ ମିଶ୍ର, ରେଙ୍ଗାଳି ବିଧାୟକ ନାଉରୀ ନାୟକ, ରେଢାଖୋଲ ବିଧାୟକ ରୋହିତ ପୂଜାରୀ ଏବଂ କୁଚିଣ୍ଡା ବିଧାୟକ କିଶୋର ଚନ୍ଦ୍ର ନାୟକଙ୍କ ଘର ଆଗରେ ଚାଷୀମାନେ ଅଭିନବ ଢଙ୍ଗରେ କରିଛନ୍ତି ପ୍ରତିବାଦ ।