ଓଡ଼ିଶାର ୫୬.୨୬ ପ୍ରତିଶତ ଘରେ ଶୌଚାଳୟ ନାହିଁ ! ଫେଲ୍ ମାରୁଛି ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ଭାରର ଯୋଜନା

97

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ଅଭିଯାନ ଅନୁଯାୟୀ, ସାରା ଦେଶରେ ଗାଁଗୁଡ଼ିକୁ ଖୋଲାରେ ଶୌଚମୁକ୍ତ କରିବାପାଇଁ ଉଦ୍ୟମ ଜାରି ରହିଛି । ଚଣ୍ଡୀଗଡ଼, ଗୁଜରାଟ, ହରିଆଣା, ହିମାଚଳ ପ୍ରଦେଶ, କେରଳ, ଉତ୍ତରାଖଣ୍ଡ ଏବଂ ସିକ୍କିମ ଆଦି ରାଜ୍ୟରେ ୧୦୦ ପ୍ରତିଶତ ଘରେ ଶୌଚାଳୟ ନିର୍ମାଣ କରାଯାଇଥିବା ବେଳେ ଓଡ଼ିିଶା, ବିହାର, ଜମ୍ମୁ କଶ୍ମୀର ଓ ଉତ୍ତରପ୍ରଦେଶର ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ ରହିଛି । ଏବେ ବି ବିହାର ଓ ଜମ୍ମୁ କଶ୍ମୀର ଗ୍ରାମାଞ୍ଚଳରେ ୬୦ ପ୍ରତିଶତ ଘରେ ଏବଂ ଓଡ଼ିଶାର ୫୬.୨୬ ପ୍ରତିଶତ ଘରେ ଶୌଚାଳୟ ନାହିଁ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱଚ୍ଛ ଭାରତ ମିଶନ ଅନ୍ତର୍ଗତ ସ୍ୱଚ୍ଛତା ଓ ପାନୀୟ ଜଳ ମନ୍ତ୍ରାଳୟ ଦ୍ୱାରା ଦେଶର ସବୁ ଗାଁକୁ ସ୍ୱଚ୍ଛ ଭାରତ ମିଶନ ଜରିଆରେ ଖୋଲାରେ ଶୌଚ କରିବାର ପ୍ରବୃତ୍ତିରୁ ମୁକ୍ତ କରିବାନେଇ ଅଭିଯାନ ଆରମ୍ଭ ହୋଇଛି । ସେହି ଅନୁସାରେ ସବୁ ରାଜ୍ୟର ପ୍ରତି ଗାଁରେ ଶୌଚାଳୟ ନିର୍ମାଣ କରାଯିବାର ଲକ୍ଷ୍ୟ ଧାର୍ଯ୍ୟ କରାଯାଇଛି । ଯୋଜନାକୁ ତ୍ୱରାନ୍ଵିତ କରିବାରେ କେନ୍ଦ୍ର ଦ୍ୱାରା ରାଜ୍ୟମାନଙ୍କୁ ସହଯୋଗ ପ୍ରଦାନ କରାଯାଉଥିବା ବେଳେ କିଛି ରାଜ୍ୟରେ ଏହି ଅଭିଯାନରଆଶାନୁରୂପ ସଫଳତା ଦେଖାଯାଇନଥିବା ସଂପୃକ୍ତ ମନ୍ତ୍ରାଳୟ ସୁତ୍ରରୁ ଜଣାପଡ଼ିଛି । ମନ୍ତ୍ରାଳୟ ଦ୍ୱାରା ସଦ୍ୟ ପ୍ରକାଶିତ ତଥ୍ୟ ଅନୁଯାୟ, ଶୌଚାଳୟ ନିର୍ମାଣ କ୍ଷେତ୍ରରେ ବିହାର ସବୁଠାରୁ ପଛରେ ରହିଛି ।

ବିହାରର ଗ୍ରାମାଞ୍ଚଳରେ ମାତ୍ର ୩୩ ପ୍ରତିଶତ ଘରରେ ଶୌଚାଳୟ ନିର୍ମାଣ କରାଯାଇଛି । ସେହିପରି ଜମ୍ମୁ ଓ କଶ୍ମୀରରେ ୩୭.୦୭% ପ୍ରଗତି ହୋଇଥିବା ବେଳେ ଓଡ଼ିଶାରେ ୪୩.୭୪ ପ୍ରତିଶତ ଘରରେ ଶୌଚାଳୟ ହୋଇଛି । ଚଣ୍ଡିଗଡ଼, ଗୁଜରାଟ, ହରିଆଣା, ହିମାଚଳ ପ୍ରଦେଶ, କେରଳ ଏବଂ ସିକ୍କିମ ଆଦି ରାଜ୍ୟ ଶତ ପ୍ରତିଶତ ଲକ୍ଷ୍ୟ ହାସଲ କରି ଖୋଲାରେ ଶୌଚମୁକ୍ତ ରାଜ୍ୟର ମାନ୍ୟତା ହାସଲ କରିଥିବା ବେଳେ ମହାରାଷ୍ଟ୍ର, ଅରୁଣାଚଳ ପ୍ରଦେଶ, ଛତିଶଗଡ଼, ପଶ୍ଚିମବଙ୍ଗରେ ୯୦ ପ୍ରତିଶତ ଅଞ୍ଚଳ ଖୋଲାରେ ଶୌଚ କରିବାରୁ ମୁକ୍ତ ହୋଇସାରିଥିବା ଜଣାପଡ଼ିଛି ।