ପାଇଖାନା ନିର୍ମାଣରେ ବ୍ୟାପକ ଦୁର୍ନୀତି: ଅସଲି ହିତାଧିକାରୀଙ୍କ ନାଁରେ ଟଙ୍କା ଉଠାଇଛନ୍ତି ନକଲି ହିତାଧିକାରୀ । ଅଧିକାଂଶ ସ୍ଥାନରେ ଅଧାପନ୍ତରିଆ ହୋଇ ପଡିଛି ନିର୍ମାଣ କାର୍ଯ୍ୟ, ସବୁ ଜାଣି ପ୍ରଶାସନ ନିରବ ରହିଥିବା ଅଭିଯୋଗ ।

295

କନକ ବ୍ୟୁରୋ: ସ୍ୱଚ୍ଛଭାରତ ଯୋଜନାରେ ବଲାଙ୍ଗୀରରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଛି । ସରକାରୀ ସହାୟତରେ ଗ୍ରାମାଂଚଳରେ ଶୈାଚାଳୟ ନିର୍ମାଣରେ ବଡଧରଣର ହରିଲୁଟ ହୋଇଥିବା ଜଣା ପଡିଛି । ଶୈାଚାଳୟ ତିଆରି କରିନଥିବା ବେଳେ ଜାଲ କାଗଜପତ୍ର ଜରିଆରେ ଅସଲି ହିତାଧିକାରୀଙ୍କ ନାଁରେ ଟଙ୍କା ଉଠାଇଛନ୍ତି ନକଲି ହିତାଧୀକାର । ଆଉ ଅନେକ ସ୍ଥାନରେ ଅଧାପନ୍ତରିଆ ହୋଇ ପଡି ରହିଛି ଶୈାଚାଳୟ ନିର୍ମାଣ ।

ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକର ଜଦୁମଣି ସାହୁ । ଯଦୁମଣିଙ୍କ ନାଁର ଶୈାଚାଳୟ ତିଆରି ପାଇଁ ୧୨ହଜାର ଟଙ୍କା ଉଠାଯାଇଛି । ହେଲେ ନାଁ ଯଦୁମଣି ଏ ପଇସା ପାଇଛନ୍ତି ନାଁ ପାଇଖାନା ତିଆରି ହୋଇଛି । ସେହି ଗାଁର ରାଧାକାନ୍ତ ପ୍ରଧାନଙ୍କର ବି ସମାନ ଅବସ୍ଥା । ସ୍ୱଚ୍ଛ ଭାରତ ମିଶନରେ ସେ ଶୈାଚାଳୟ ସିନା ତିଆରି କରିଛନ୍ତି । ହେଲେ ନିର୍ମାଣ ବାବଦର ଅର୍ଥ ପାଇ ନାହାଁନ୍ତି ।

ବଲାଙ୍ଗୀର ଜିଲ୍ଲା ପାଟଣାଗଡ ଅଂଚଳର ଦୁର୍ନୀତି ଚିତ୍ରକୁ ଏବେ ଚାଞ୍ଚଲ୍ୟ । ସ୍ୱଚ୍ଛ ଭାରତ ଅଭିଯାନରେ ଗାଁ ଗହଳିରେ ନିର୍ମାଣ ହୋଇଥିବା ଶୈାଚାଳୟ ଗୁଡିକର ଇଏ ହେଉଛି ଆଉ ଏକ ଚିତ୍ର । କେଉଁଠି ପାଣି ନାହିଁ ତ କେଉଁଠି ଛାତରେ ଆଜବେଷ୍ଟସ ପଡିନି । ହେଲେ ଏଥିପାଇଁ କିନ୍ତୁ ସରକାରୀ ତହବିଲରୁ ଉଠିଛି ଲକ୍ଷ ଲକ୍ଷ ଟଙ୍କା । ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଛି ଏଭଳି ଅଭିଯୋଗ । ସ୍ୱଚ୍ଛ ଭାରତ ଯୋଜନାରେ ବଲାଙ୍ଗୀର ଜିଲ୍ଲାରେ ୩ ଲକ୍ଷ ୪୩ ହଜାର ୯୮୪ଟି ଶୈାଚାଳୟ ତିଆରି ହୋଇଛି । ହେଲେ ୯୦ପ୍ରତିଶତ ଶୈାଚାଳୟ ବ୍ୟବହାର ଉପଯୋଗୀ ନଥିବା ଅଭିଯୋଗ ହୋଇଛି ।

ଏନେଇ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀଙ୍କ କହିବା କଥା ଶୈାଚାଳୟ ନିର୍ମାଣ ବାବଦର ସବୁ କାର୍ଯ୍ୟ ବ୍ଲକ ସ୍ତରରେ ହେଉଛି । ବ୍ଲକ ଅଧିକାରୀ ଏବିଷୟରେ କହିପାରିବେ । କିନ୍ତୁ ବଲାଙ୍ଗୀର ଜିଲ୍ଲାରେ ଗ୍ରାମାଂଚଳରେ ସରକାରୀ ଖର୍ଚ୍ଚରେ ତିଆରି ହୋଇଥିବା ଏସବୁ ଶୈାଚାଳୟର ଅବସ୍ଥା ତୃଣମୂଳ ସ୍ତରର ଏକ ବଡ ଦୁର୍ନୀତି ଆଡକୁ ଇସାରା କରୁଛି ।