କିନ୍ନରଙ୍କ ପାଇଁ ରାଜ୍ୟର ପ୍ରଥମ ଶୌଚାଳୟ ନିର୍ମାଣ କଲା ବିଏମସି !

48

କିନ୍ନରଙ୍କୁ ଶୌଚ ଲାଗିଲେ ଆଉ ସେମାନେ ହଟହଟା ହେବେ ନାହିଁ । କିନ୍ନରମାନଙ୍କୁ ଝାଡ଼ା/ପରିସ୍ରା ଲାଗିଲେ ସେମାନେ ପୁରୁଷ କି ମହିଳାଙ୍କ ଶୌଚାଳୟକୁ ଯିବେନି । କୌଣସି ଶୌଚାଳୟରେ ପଶିଲେ ହଟହଟ୍ଟା ହେବେନି । କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନିର୍ମାଣ କରିଛି ବିଏମ୍‌ସି । ହେଲେ କିନ୍ନରଙ୍କୁ ଏହି ସୁବିଧା ପାଇବାକୁ ହେଲେ ବାଣୀବିହାର ଛକ ନିକଟକୁ ଆସିବାକୁ ପଡ଼ିବ । ବିଏମ୍‌ସି ପକ୍ଷରୁ ବାଣୀବିହାର ଛକରେ ୧୦ସିଟ୍‌ ବିଶିଷ୍ଟ ହାଇବ୍ରିଡ୍‌ ଟଏଲେଟ୍‌ ନିର୍ମାଣ ହୋଇଥିବାବେଳେ ଏଥିରେ କିନ୍ନରଙ୍କ ପାଇଁ ଗୋଟିଏ ସିଟ୍‌ ସଂରକ୍ଷଣ ରହିଛି ।  ଏହି ହାଇବ୍ରିଡ ଟଏଲେଟ୍‌କୁ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ଭୁବନେଶ୍ୱର ଉତ୍ତର ବିଧାୟକ ପ୍ରିୟଦର୍ଶୀ ମିଶ୍ର, ମେୟର ଅନନ୍ତ ନାରାୟଣ ଜେନା, ଡେପୁଟି ମେୟର କେ.ଶାନ୍ତି ଉଦ୍‌ଘାଟନ କରିଛନ୍ତି । କିନ୍ନରଙ୍କ ପାଇଁ ରାଜ୍ୟରେ ପ୍ରଥମ କରି ଏହିଭଳି ଶୌଚାଳୟ ନିର୍ମାଣ ହୋଇଛି । କିନ୍ନରଙ୍କ ପାଇଁ ସ୍ୱତନ୍ତ୍ର ଶୌଚାଳୟ ନିର୍ମାଣ କ୍ଷେତ୍ରରେ ଓଡ଼ିଶା ଦେଶର ତୃତୀୟ ରାଜ୍ୟ ହୋଇଛି ।

ଆଜି ଜଲିମୁଣ୍ଡା ବସ୍ତି, ଚିରାଗଟୋଲା ବସ୍ତି ଏବଂ ପଣ୍ଡାକୁଡ଼ିଆ ବସ୍ତିରେ ଗୋଟିଏ ଲେଖାଏ ଗୋଷ୍ଠୀ ଶୌଚାଳୟ ଉଦ୍‌ଘାଟିତ ହୋଇଛି । ଏହି ସବୁ ଶୌଚାଳୟଗୁଡ଼ିକୁ ସବୁ ବର୍ଗର ଲୋକ ଯଥା ଶିଶୁ, ବରିଷ୍ଠ ନାଗରିକ ଏବଂ ଭିନ୍ନକ୍ଷମଙ୍କୁ ସୁହାଇବା ଭଳି ନିର୍ମାଣ କରାଯାଇଛି । ଭିନ୍ନକ୍ଷମଙ୍କ ସୁବିଧା ପାଇଁ ଏଥିରେ ର‍୍ୟାମ୍ପ୍‌ ବ୍ୟବସ୍ଥା କରାଯାଇଥିବା ବେଳେ ଶିଶୁମାନଙ୍କୁ ସୁବିଧା ହେବା ପାଇଁ ଲୋ ଲେବଲ୍‌ ପ୍ୟାନ୍‌ ଏବଂ ବେସିନ୍‌ର ବ୍ୟବସ୍ଥା କରାଯାଇଛି । ସ୍ମାର୍ଟ ସିଟିକୁ ଶିଶୁ ଉପଯୋଗୀ ସହର କରିବାକୁ ଯୋଜନା ହୋଇଥିବାରୁ ଶୌଚାଳୟଗୁଡ଼ିକରେ ଏହି ସବୁ ସୁବିଧା ଯୋଗାଇ ଦିଆଯାଇଛି । ଏହି ସବୁ ଶୌଚାଳୟରେ ୫ରୁ ୧୨ଟି ଲେଖାଏଁ ସିଟ୍‌ର ବ୍ୟବସ୍ଥା ରହିଛି। ଚିରାଗଟୋଲା ବସ୍ତିରେ ୧୨ଟି ସିଟ୍‌ ବିଶିଷ୍ଟ ଶୌଚାଳୟ ନିର୍ମାଣ କରାଯାଇଛି । ପ୍ରୋଜେକ୍ଟ ସମ୍ମାନରେ ରାଜଧାନୀରେ ୨୭ଟି ଶୌଚାଳୟ ନିର୍ମାଣ ହେବାକୁ ଥିବାବେଳେ ବର୍ତ୍ତମାନ ସୁଦ୍ଧା ୧୭ଟି ଶୌଚାଳୟ ନିର୍ମାଣ ହୋଇଛି । ଆସନ୍ତା ମାର୍ଚ୍ଚ ସୁଦ୍ଧା ସମସ୍ତ ଶୌଚାଳୟ ପ୍ରକଳ୍ପ ନିର୍ମାଣ କରିବାକୁ ଟାର୍ଗେଟ ରଖାଯାଇଛି ।