ପ୍ରହସନ ପାଲଟିଛି ସ୍ୱଚ୍ଛ ଭାରତ ମିଶନ୍ : ବୌଦ୍ଧ ହରଭଙ୍ଗାରେ ଗୋଟିଏ ପାଇଖାନାରେ ଏକାଧିକ ହିତାଧିକାରୀଙ୍କ ନାଁ ଲେଖି ଟଙ୍କା ହଡପ ଅଭିଯୋଗ

51

କନକ ବ୍ୟୁରୋ :  ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ଅନ୍ତର୍ଗତ କୁଶଙ୍ଗ ପଂଚାୟତର କୁଶଙ୍ଗ ଗ୍ରାମ । ଗୋଟିଏ ପାଇଖାନାର ଦୁଇ ପାଶ୍ୱର୍ରେ ଲେଖା ଯାଇଛି ୨ ଗୋଟି ଗାଁର ୨ ଜଣ ହିତାଧିକାରୀଙ୍କ ନାଁ । ଗୋଟିଏ ପଟେ ଗ୍ରାମ କୁଶଙ୍ଗ ଲେଖାଥିବା ବେଳେ ଅନ୍ୟପଟେ ରହିଛି ଗ୍ରାମ କୁଶାସିଙ୍ଗା ।ଗୋଟିଏ ପାଇଖାନା ନିର୍ମାଣ କରି ସେହି ପାଇଖାନାରେ ଅନ୍ୟ ଗାଁ ଓ ଅନ୍ୟ ହିତାଧିକାରୀଙ୍କ ନାଁ ଲେଖି ତାହାର ଫାଟୋ ଉଠାଯାଉଛି । ଆଉ ମିଥ୍ୟା ଭାଉଚର ପ୍ରସ୍ତୁତ କରି ବିଲ୍ ମଧ୍ୟ ହେଉଛି । କେବଳ ଗୋଟିଏ କି ଦୁଇଟି ନୁହେଁ ପୂରା ପଂଚାୟତରେ ଏଭଳି ପାଇଖାନା ଦୁର୍ନୀତି କରି ଲକ୍ଷ ଲକ୍ଷ ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ଏନେଇ ବିଭାଗୀୟ ଅଧିକାରୀଙ୍କ ଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ପର୍ଯ୍ୟନ୍ତ ଗୁହାରୀ କରିବା ପରେ ମଧ୍ୟ ହତାଶ ହୋଇଥିବା କହିଛନ୍ତି ଗ୍ରାମବାସୀ ।

ଅନ୍ୟପଟେ ନିର୍ମାଣ ହୋଇଥିବା ଏହି ପାଇଖାନା ଗୁଡିକ ଅତି ନିମ୍ନ ମାନର ହୋଇଥିବା ଯୋଗୁଁ ହିତାଧିକାରୀଙ୍କ କାର୍ଯ୍ୟରେ ଆସିପାରୁନି । ଫଳରେ ପାଇଖାନା ଥାଇ ମଧ୍ୟ ଶୌଚ ପାଇଁ ବାହାରକୁ ଯାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ଏପରିକି ହିତାଧିକାରୀ ନିଜ ଖର୍ଚ୍ଚରୁ ପାଇଖାନା ନିର୍ମାଣ କରି ବର୍ତମାନ ସୁଦ୍ଧା ଅର୍ଥ ପାଇ ନଥିବା ମଧ୍ୟ ଅଭିଯୋଗ ହୋଇଛି । ଖାଲି ସେତିକି ନୁହେଁ, ଅନେକ ସ୍ଥାନରେ ପାଇଖାନା ନିର୍ମାଣ ନାଁରେ କେବଳ ଗାତ ଖୋଳି ଦେଇ ଚାଲିଯାଇଛନ୍ତି ଠିକାଦାର ।

ତେବେ କେବଳ କୁଶଙ୍ଗ ପଂଚାୟତ ନୁହେଁ, ସମଗ୍ର ଜିଲ୍ଲାପରିଷଦ ଜୋନରେ ଏଭଳି ଦୁର୍ନୀତି ହୋଇଥିବା ଅଭିଯୋଗ କରିଛନ୍ତି ସ୍ଥାନୀୟ ଜିଲ୍ଲା ପରିଷଦ ସଭ୍ୟ । ବାରମ୍ବାର ଅଭିଯୋଗ ପରେ ବି କୌଣସି ପଦକ୍ଷେପ ନିଆ ଯାଉନଥିବାରୁ ବାଧ୍ୟ ହୋଇ ଆଗକୁ ଆନ୍ଦୋଳନକୁ ଜୋରଦାର କରିବାକୁ ସେ ଚେତାବନୀ ଦେଇଛନ୍ତି । ସେପଟେ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ ବିଭାଗର ନିର୍ବାହୀ ଯନ୍ତ୍ରୀ କହିଛନ୍ତି ଘଟଣାର ତଦନ୍ତ କରାଯାଇ ପଦକ୍ଷେପ ନିଆଯିବ । ସରକାର ପରିମଳକୁ ଗୁରୁତ୍ୱ ଦେବା ସହ ବିଜ୍ଞାପନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ସରକାରୀ ଅଧିକାରୀଙ୍କ କାର୍ଯ୍ୟ ଦେଖି ପ୍ରଶ୍ନ ଉଠୁଛି, ପ୍ରହସନ ପାଲଟିଛି କି କେନ୍ଦ୍ର ସରକାରଙ୍କ ସ୍ୱଚ୍ଛ ଭାରତ ମିଶନ ।