ଆଜି ବିଶ୍ୱ ପର୍ଯ୍ୟଟନ ଦିବସ ! ଚିଲିକାରେ ପ୍ରତିଷ୍ଠା କରାଯିବ ଏକ ପର୍ଯ୍ୟଟନ ଜୋନ୍‌

79

ବଦଳିବ ପର୍ଯ୍ୟଟନର ଚେହେରା । ଫିଟିବ ପର୍ଯ୍ୟଟକ ଆସିବାର ବାଟ । ଉନ୍ନତ ଭିତ୍ତିଭୂମିଠୁ ନେଇ ବିଦେଶକୁ ଆକାଶ ପଥର ମାର୍ଗ ପ୍ରଶସ୍ତ ହେବ । ଆଜି ବିଶ୍ୱ ପର୍ଯ୍ୟଟନ ଦିବସରେ ପର୍ଯ୍ୟଟନ କ୍ଷେତ୍ରକୁ ନେଇ କିଛିଟା ଆଶା ଉଙ୍କି ମାରିଛି । ବିଭାଗୀୟ ନିର୍ଦ୍ଦେଶକଙ୍କ ସୂଚନା ମୁତାବକ ଚିଲିକାରେ ଏକ ପର୍ଯ୍ୟଟନ ଜୋନ୍‌ ପ୍ରତିଷ୍ଠା କରାଯିବ । ୩୦୦ ଏକର ଜମିରେ ଏହି ପ୍ରକଳ୍ପର ଶୁଭାରମ୍ଭ କରାଯିବ । ଏହା ମଧ୍ୟରେ ଷ୍ଟାର୍‌ ହୋଟେଲ୍‌ ସମେତ ଅନ୍ତର୍ଜାତୀୟସ୍ତରର ସମ୍ମିଳନୀ କକ୍ଷ, ସ୍ପା ଓ ୱେଲନେସ୍‌ ସେଣ୍ଟର, ଏଣ୍ଟରଟେନ୍‌ମେଣ୍ଟ୍‌ ଜୋନ୍‌ ସହ ଖେଳାଖେଳି ପାଇଁ ସୁଯୋଗ ରହିବ ।

ପର୍ଯ୍ୟଟନ କ୍ଷେତ୍ରରେ ପୁଞ୍ଜି ନିବେଶ ପାଇଁ ହୋଟେଲ୍‌ ଶିଳ୍ପ ବ୍ୟବସାୟୀଙ୍କ ପାଇଁ ଦ୍ୱାର ଉନ୍ମୁକ୍ତ କରାଯାଇଛି । ଏଥିପାଇଁ ଏବେ ସୁଦ୍ଧା ଓଡ଼ିଶା ସରକାର ୩୭୦୦ ଏକର ପର୍ୟ୍ୟଟନ ଅନୁକୂଳ ଜମି ଚିହ୍ନଟ କରିଛନ୍ତି । ପର୍ଯ୍ୟଟନ ଅନୁକୂଳ ଭିତ୍ତିଭୂମି କିମ୍ବା ହୋଟେଲ୍‌ ପାଇଁ ଏହି ଜମିକୁ ଲ୍ୟାଣ୍ଡ୍‌ ବ୍ୟାଙ୍କ୍‌ ଜରିଆରେ ପୁଞ୍ଜି ନିବେଶକାରୀଙ୍କୁ ଯୋଗାଇ ଦେବାପାଇଁ ବନ୍ଦୋବସ୍ତ କରାଯାଇଛି । ପୁଣି ସିଙ୍ଗିଲ୍‌ ଓ୍ଵିଣ୍ଡୋ ବ୍ୟବସ୍ଥାରେ ଜମି ହାତେଇବା ପାଇଁ ସମସ୍ତ ସୁବିଧା ଓ ସହଯୋଗ ପର୍ଯ୍ୟଟନ ବିଭାଗ ପକ୍ଷରୁ ଦିଆଯିବାକୁ ନିଷ୍ପତ୍ତି ହୋଇଛି। କ୍ୟାପିଟାଲ୍‌ ଇନଭେଷ୍ଟମେଣ୍ଟ୍‌ ସବସିଡି ୧୫ ପ୍ରତିଶତ ଯୋଗାଇ ଦିଆଯାଉଥିବାରୁ ଅନେକ ଏ କ୍ଷେତ୍ରରେ ଆଗ୍ରହ ପ୍ରକାଶ କଲେଣି ବୋଲି ବିଭାଗୀୟ ସୂତ୍ରରୁ ସୂଚନା ମିଳିଛି ।

ସଂପ୍ରତି ରାଜ୍ୟରେ ମୋଟ୍‌ ୧୮ ହଜାର ହୋଟେଲ୍‌ ରହିଥିବା ବେଳେ ମାତ୍ର ୧୮ଟି ଷ୍ଟାର୍‌ ହୋଟେଲ୍‌ ରହିଛି ।World-Tourism-Day- ତେଣୁ ଆସନ୍ତା ୪ ବର୍ଷରେ ମିସନ୍‌ ୨୧ରେ ଏହାକୁ କିଭଳି ୪ ଗୁଣା କରାଯିବ ସେ ଦିଗରେ ସମସ୍ତ ସହଯୋଗ ଯୋଗାଇ ଦେବାକୁ ବିଭାଗ ବ୍ୟାପକ ପଦକ୍ଷେପ ନେଇଛି । ନିକଟରେ କୋଣାର୍କର ସୂର୍ଯ୍ୟମନ୍ଦିରରେ ଲାଇଟ୍‌ ଓ ସାଉଣ୍ଡ୍‌ ସୋ ଆରମ୍ଭ ହୋଇଥିବା ବେଳେ ଏଠାରେ ଉପଲବ୍ଧ ଅତ୍ୟାଧୁନିକ ବ୍ୟବସ୍ଥା ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି । ରାଜ୍ୟର ସମସ୍ତ ପର୍ଯ୍ୟଟନ କ୍ଷେତ୍ରରେ ପିଇବା ପାଣି, ଶୌଚାଳୟ ଓ ପିଇବା ପାଣିର ସୁବିଧା କରିବା ପାଇଁ ବିଭାଗ ଅଣ୍ଟା ଭିଡ଼ିଛି ।

World-Tourism-Dayତେବେ ପରିଚାଳନା ଅଭାବରୁ ପ୍ରଭାବିତ ହେଉଥିବା ଏହି ଶୌଚାଳୟକୁ ଏବେ ପଞ୍ଚାୟତିରାଜ ବିଭାଗ ପରିଚାଳନା କରିବାର ଦାୟିତ୍ୱ ନେବା ପାଇଁ ନିଷ୍ପତ୍ତି ହୋଇଛି । ସୋସିଆଲ୍‌ ମିଡିଆରେ ପର୍ଯ୍ୟଟନ ବିଭାଗର ସକ୍ରିୟତା ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ବାଟ ଫିଟାଇଛି ବୋଲି ଆଇଆଇଟିଟିଏମର ସର୍ବେକ୍ଷଣରୁ ସ୍ପଷ୍ଟ ହୋଇଛି । ଦକ୍ଷ ଗାଇଡ୍‌ ସୃଷ୍ଟି ପାଇଁ ଏଥର ଭୁବନେଶ୍ୱରରେ ଅନୁଷ୍ଠିତ ଇଆଟୋ ସମ୍ମିଳନୀରେ ଇଆଟୋ ସହ ଇଣ୍ଡିଆନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟ୍ରାଭେଲ୍‌ ଆଣ୍ଡ୍‌ ଟୁରିଜମ ମ୍ୟାନେଜମେଣ୍ଟ୍‌ର ଏମ୍‌ଓୟୁ ହୋଇଛି । ଏହା ରାଜ୍ୟରେ ଦକ୍ଷ ଗାଇଡ୍‌ ସୃଷ୍ଟି କରିପାରିଲେ ଏହାର ସୁଫଳ ମଧ୍ୟ ରାଜ୍ୟ ପର୍ଯ୍ୟଟନ କ୍ଷେତ୍ରରେ ପଡ଼ିବ ବୋଲି ଶ୍ରୀ ଜଓ୍ଵାଲେ କହିଛନ୍ତି । ପର୍ଯ୍ୟଟନ କ୍ଷେତ୍ରରେ ଅନେକ ଅବହେଳା ରହିଛି ଏଥିରେ ଦ୍ୱିରୁକ୍ତି ନାହିଁ ମାତ୍ର ଏଥିପାଇଁ ବିଭାଗୀୟ ପଦକ୍ଷେପ ବି କିଛି କମ୍‌ ନାହିଁ ।