ଆଜି ଘୋଷଯାତ୍ରା : ଭକ୍ତଙ୍କୁ ଦର୍ଶନ ଦେବା ପାଇଁ ବଡଦାଣ୍ଡକୁ ଓହ୍ଲାଇ ଆସିବେ ଜଗତ ଠାକୁର, ସିଂହଦ୍ୱାରରେ ପ୍ରସ୍ତୁତ ନନ୍ଦିଘୋଷ, ତାଳଧ୍ୱଜ ଓ ଦେବଦଳନ

49

ନନ୍ଦିଘୋଷ, ଦର୍ପଦଳନ, ତାଳଧ୍ୱଜ ରଥ ସିଂହଦ୍ୱାରରେ ବିଶ୍ୱବ୍ରହ୍ମାଣ୍ଡ କର୍ତ୍ତାଙ୍କୁ ଅପେକ୍ଷା କରିଛନ୍ତି। ପ୍ରଭୁଙ୍କର ଟିକିଏ ସ୍ପର୍ଶ ମିଳିଗଲେ, ସେମାନେ ଦେବତା ହୋଇଯିବେ। ଲକ୍ଷ ଲକ୍ଷ ଭକ୍ତ ଆଜିଠାରୁ ରୁଣ୍ଡ ହୋଇଗଲେଣି ଶ୍ରୀକ୍ଷେତ୍ରରେ। ଚତୁର୍ଧାମୂର୍ତ୍ତିଙ୍କୁ ରଥରେ ଟିକିଏ ଆଖି ପୂରାଇ ଦେଖିବେ ବୋଲି ଉତ୍କଣ୍ଠାର ସହିତ ଅପେକ୍ଷା କରିଛନ୍ତି। ବିଶ୍ୱାସ ଅଛି, ଶ୍ରୀ ବିଗ୍ରହଙ୍କୁ ବାମନ ରୂପରେ ଦର୍ଶନ ଦ୍ୱାରା ପୁନର୍ଜନ୍ମରୁ ମୁକ୍ତି ମିଳିବ।

ସମସ୍ତଙ୍କର ସେହି ମୁହୂର୍ତକୁ ଅପେକ୍ଷା, କେତେବେଳେ ବାଜିବ ବିଜେ କାହାଳି। ଆରମ୍ଭ ହେବ, ମହାପ୍ରଭୁଙ୍କ ନବ ଦିନାତ୍ମକ ଏହି ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା।

ଆଜି ଆଷାଢ ଶୁକ୍ଳ ପକ୍ଷ ଦ୍ୱିତୀୟା ତିଥିରେ ଭକ୍ତ ଓ ଭଗବାନଙ୍କ ଏଭଳି ଦୁର୍ଲଭ ମିଳନ ପାଇଁ ଗତକାଲିଠାରୁ ନିଜେ ମହାପ୍ରଭୁ ସ୍ୱୟଂ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ଦଇତାପତି ସେନାପଟା କାର୍ଯ୍ୟ ଆରମ୍ଭ କରି ସାରିଲେଣି। ଅର୍ଥାତ୍‌ ରିପୋର୍ଟ ଲେଖା ହେବା ବେଳକୁ ବିଶ୍ୱପ୍ରସିଦ୍ଧ ଘୋଷଯାତ୍ରା ପାଇଁ ରଥ, ପଥ ଓ ଭକ୍ତ ପ୍ରସ୍ତୁତ ହୋଇ ରହିଛନ୍ତି । ସେପଟେ ପ୍ରଶାସନ ବି ଶୃଙ୍ଖଳାର ସହିତ ରଥଯାତ୍ରାର ସମାପନ ପାଇଁ କସରତ ଚଳାଇଛି। ପୁଲିସ ଛାଉଣି ଭିତରେ ପୁରୀ ସହରକୁ ଘେରି ଦିଆଯାଇଛି। ଗତକାଲି ମହାପ୍ରଭୁଙ୍କ ନବଯୌବନ ଦର୍ଶନ ସଅଳ ସରିଥିବାରୁ ଆଜି ଠିକଣା ସମୟରେ ରଥଯାତ୍ରା ନୀତି ସଂପନ୍ନ ହେବ ବୋଲି ଆଶା କରାଯାଉଛି।

ବିଧି ବ୍ୟବସ୍ଥା ଅନୁସାରେ, ଆଜି ସକାଳେ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପ ଲାଗି ଓ ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ବେଶ ଲାଗି, ଦ୍ଵାରପାଳ ପୂଜା ଗତକାଲି କରାଯାଇଛି। ମୁଦିରସ୍ତ, ପତିମହାପାତ୍ର ଓ ବଡ଼ପଣ୍ଡାମାନେ ମଙ୍ଗଳାର୍ପଣ କରିବା ପରେ ଦଇତାପତି ଶ୍ରୀଜିଉଙ୍କୁ ପୁଷ୍ପାଞ୍ଜଳି ପ୍ରଦାନ କରିବେ। ଖୁଣ୍ଟିଆ ‘ମଣିମା’ ଡାକ ଦେବା ପରେ ଆରମ୍ଭ ହେବ ଚତୁର୍ଧାବିଗ୍ରହଙ୍କ ପହଣ୍ଡି। ଶ୍ରୀମନ୍ଦିର ପ୍ରଶାସନ ଧାର୍ଯ୍ୟ କରିଥିବା ସମୟ ଅନୁଯାୟୀ, ସକାଳ ୬ଟାରେ ମଙ୍ଗଳଆଳତି, ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପଲାଗି ଓ ରୋଷହୋମ, ୭ଟାରେ ଅବକାଶ, ୭ଟା ୧୦ରେ ସୂର୍ଯ୍ୟପୂଜା, ୭ଟା ୩୦ରେ ବେଶ ଶେଷ ଓ ଦ୍ଵାରପାଳ ପୂଜା ହେବ। ସକାଳ ୮ଟାରେ ଗୋପାଳ ବଲ୍ଲଭ ଓ ସକାଳ ଧୂପ, ୯ଟାରେ ରଥ ପ୍ରତିଷ୍ଠା, ୯ଟା ୧୫ରେ ମଙ୍ଗଳାର୍ପଣ, ୯ଟା୩୦ରେ ପହଣ୍ଡି ଆରମ୍ଭ ହେବ। ଅପରାହ୍ନ ୧୨ଟା ୩୦ରେ ପହଣ୍ଡି ଶେଷ ହେବା ପରେ ତୁରନ୍ତ ମଦନମୋହନ ବିଜେ କରିବେ। ଚିତାଲାଗି ୧ଟା ୩୦ରୁ ୨ଟା ମଧ୍ୟରେ ଶେଷ ହେବ। ୨ଟାରୁ ୩ଟା ମଧ୍ୟରେ ଛେରାପହଁରା, ଚାରମାଳ ଫିଟା, ସାରଥୀ ଲାଗି ଓ ଘୋଡ଼ା ଲାଗି ହେବ। ଆଜି ୪ଟା ବେଳେ ରଥଟଣା ପାଇଁ ନୀତି ନିର୍ଘଣ୍ଟ ହୋଇଛି।

ମହାପ୍ରଭୁଙ୍କ ଟାହିଆ ସୁରକ୍ଷିତ ରଖିବା, ଶ୍ରୀଜିଉଙ୍କୁ ସ୍ପର୍ଶ ନକରିବା ଓ ରଥ ଉପରକୁ ଚଢିବା କଟକଣା ବଳବତ୍ତର ରଖାଯାଇଛି। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ ଓ ଏସ୍‌ପିଙ୍କ ତତ୍ତ୍ଵାବଧାନରେ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ରଥଯାତ୍ରା ପାଇଁ ପୁଲିସ ପକ୍ଷରୁ ୧୪୦ ପ୍ଲାଟୁନ୍‌ ପୁଲିସ ଫୋର୍ସ ବିଭିନ୍ନ ସ୍ଥାନରେ ମୁତୟନ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଗତକାଲି ଅପରାହ୍ନ ୪ଟାରେ ତିନି ରଥରେ ମହାପ୍ରଭୁଙ୍କ ଲାଗି ଆଜ୍ଞାମାଳ ବିଜେ କରାଯାଇଥିଲା। ପରେ ସିଂହଦ୍ଵାର ରଥଚକଡ଼ାକୁ ବିଜେ କରିଥିଲେ ତିନି ରଥ। ଅପରାହ୍ନ ୪ଟା ୧୦ରେ ଆଜ୍ଞାମାଳ ବିଜେ ହେବାକୁ ଧାର୍ଯ୍ୟ ହୋଇଥିବା ବେଳେ ୧୦ ମିନିଟ୍‌ ପୂର୍ବରୁ ଏହି ନୀତି ସଂପନ୍ନ ହୋଇଥିଲା। ଆଜ୍ଞାମାଳ ବିଜେ ହେବା ପରେ ପ୍ରଥମେ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥ ସିଂହଦ୍ଵାରସ୍ଥିତ ଚକଡାରେ ଲାଗିଥିଲା। ପରେ ମା’ସୁଭଦ୍ରାଙ୍କ ଦେବଦଳନ, ବଡଠାକୁରଙ୍କ ତାଳଧ୍ୱଜ ରଥ ସିଂହଦ୍ଵାର ଚକଡାରେ ଲାଗିଥିଲା।