ଆଇସିସି ବିଶ୍ୱକପରେ ନଟିଂହମରେ ଆଜି କଡା ଟକ୍କର । ଟିମ୍ ଇଣ୍ଡିଆକୁ ଚ୍ୟାଲେଂଜ ଦେବ ମ୍ୟାନ ଇନ୍ ବ୍ଲାକ୍ : କ୍ରମାଗତ ଚତୁର୍ଥ ବିଜୟ ଆଶାରେ ନ୍ୟୁଜିଲାଣ୍ଡ

ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ

166

କନକ ବ୍ୟୁରୋ : ଆଇସିସି ବିଶ୍ୱକପରେ ଆଜି ଲିଗ୍ ପର୍ଯ୍ୟାୟରେ ଏକ ମୁକାବିଲାରେ ନଟିଂହୋମରେ ମୁହାଁମୁହିଁ ହେବେ ଭାରତ ଓ ନ୍ୟୁଜିଲାଣ୍ଡ । ଓପନର ଶିଖର ଧୱନ ବାଦ୍ ପଡିବା ପରେ ମ୍ୟାଚରେ ତାଙ୍କର ବିକଳ୍ପ ଓ ସମ୍ଭାବ୍ୟ ବର୍ଷାକୁ ନେଇ ଚର୍ଚା ଜୋର ଧରିଛି । ରୋହିତ- ଧୱନଙ୍କ ବାମ-ଡାହାଣ ଯୋଡି ଭାଙ୍ଗିବା ପରେ ଧୱନଙ୍କ ସ୍ଥାନରେ ଲୋକେଶ ରାହୁଲଙ୍କୁ ଖେଳାଇବା ନେଇ ଦଳ ସଂକେତ ଦେଇ ସାରିଛି । ଅନ୍ୟପଟେ ୪ ନମ୍ବର ସ୍ଥାନରେ କିଏ ବ୍ୟାଟିଂ କରିବ ଏହାକୁ ନେଇ ମଧ୍ୟ ଚର୍ଚା ଜାରି ରହିଛି । ମ୍ୟାଚରେ ଦୀନେଶ କାର୍ତିକ ଓ ବିଜୟ ଶଙ୍କରଙ୍କ ମଧ୍ୟରୁ ଜଣକୁ ସୁଯୋଗ ମିଳିବାର ସମ୍ଭାବନା ରହିଛି । ତେବେ ବର୍ତମାନ ସୁଦ୍ଧା ଟିମ୍ ଇଣ୍ଡିଆ କ୍ରମାଗତ ୨ଟି ବିଜୟ ହାସଲ କରିଥିବା ବେଳେ ନ୍ୟୁଜିଲାଣ୍ଡ କ୍ରମାଗତ ୩ଟି ମ୍ୟାଚ୍ ଜିତି ଟେବୁଲର ଶୀର୍ଷରେ ରହିଛି ।

ବିଶ୍ୱକପ୍ ମୁକାବିଲାରେ ଦୁଇ ଦେଶ ମଧ୍ୟରେ ୭ଟି ମ୍ୟାଚ୍ ଖେଳାଯାଇଛି । ସେଥି ମଧ୍ୟରୁ ୩ଟିରେ ଭାରତ ଜିତି ଥିବା ବେଳେ ନ୍ୟୁଜିଲାଣ୍ଡ ୪ଟିରେ ବିଜୟୀ ହୋଇଛି । ଅନ୍ୟପଟେ ଇଂଲଣ୍ଡରେ ଖେଳାଯାଇଥିବା କୌଣସି ମ୍ୟାଚରେ ଭାରତ ନ୍ୟୁଜିଲାଣ୍ଡଠୁ ଜିତି ପାରି ନାହିଁ । ଏହା ସହ ଅଭ୍ୟାସ ମ୍ୟାଚରେ ମଧ୍ୟ ନୁଜିଲାଣ୍ଡ ଭାରତକୁ ପରାସ୍ତ କରିଛି । ତେଣୁ ଆଜିର ମ୍ୟାଚ ବିରାଟ ବାହିନୀ ପାଇଁ ଏକ ବଡ ଚ୍ୟାଲେଂଜ ସୃଷ୍ଟି କରିବ । ଧୱନଙ୍କ ଆହତ ହେବା ଟିମ୍ ଇଣ୍ଡିଆର ସନ୍ତୁଳନକୁ ବିଗାଡି ଦେଇଛି ।