ଆଜି ଓଡିଶା ଆସୁଛନ୍ତି ଉପରାଷ୍ଟ୍ରପତି : ଭୁବନେଶ୍ୱର ଏମ୍ସର ପ୍ରଥମ ସମାବର୍ତନ ଉତ୍ସବରେ ଯୋଗ ଦେବେ ଭେଙ୍କୟା ନାଇଡୁ

35

କନକ ବ୍ୟୁରୋ : ଆଜି ଭୁବନେଶ୍ୱରର ଏମ୍ସର ସମାବର୍ତନ ଉତ୍ସବରେ ଯୋଗ ଦେବେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ । ତେବେ ସେ ଏମ୍ସର ଛାତ୍ରଛାତ୍ରୀମାନଙ୍କୁ ଡିଗ୍ରୀ ପ୍ରଦାନ କରିବେ । ଭେଙ୍କେୟାଙ୍କ ଗସ୍ତକୁ ଦୃଷ୍ଟିରେ ରଖି କମିଶନରେଟ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି । ତେବେ ଆଗାମୀ ୨/୩ ମାସ ମଧ୍ୟରେ ୯୭୨ ଶଯ୍ୟା ପ୍ରତିଷ୍ଠା ହୋଇଯିବ। ୨୫ଟି ମଡ୍ୟୁଲାର୍ ଅପରେସନ୍ ଥିଏଟର୍ ଓ ୧୧୨ ଆଇସିୟୁ ଶଯ୍ୟା ପାଇଁ ପଦକ୍ଷେପ ନିଆଯାଉଛି। ୩୬ଟି ବିଭାଗରେ ପିଜି କୋର୍ସ ଖୋଲାଯିବାକୁ ସ୍ଥିର ହୋଇଛି। ଖୁବ୍ ଶୀଘ୍ର ପିଜି କୋର୍ସ ଏବଂ ସୁପରସ୍ପେସାଲିଟି କୋର୍ସ(ଡିଏମ୍/ଏମ୍ସି)ରେ ସିଟ୍ ସଂଖ୍ୟା ବୃଦ୍ଧି କରାଯିବ। ଶନିବାର ଅନୁଷ୍ଠିତ ହେବାକୁ ଯାଉଥିବା ଭୁବନେଶ୍ୱର ଏମ୍ସ ପାଇଁ ବହୁ ପ୍ରତୀକ୍ଷିତ ପ୍ରଥମ ସମାବର୍ତ୍ତନ ଉତ୍ସବର ଅବ୍ୟବହିତ ପୂର୍ବରୁ ନିର୍ଦେଶିକା ଡ. ଗୀତାଞ୍ଜଳି ବାଟମାନବାନେ ଏଭଳି ସୂଚନା ଦେଇଛନ୍ତି।

 

କେବଳ ସେତିକି ନୁହେଁ, ରେଡିଓଲୋଜି ବିଭାଗରେ ୩.୫ ଟେଲ୍ସା ଏମ୍ଆର୍ଆଇ ମେସିନ୍ ମଧ୍ୟ ଖୁବ୍ ଶୀଘ୍ର ପ୍ରତିଷ୍ଠା କରାଯିବ। ଚଳିତ ବର୍ଷ ଶେଷ ସୁଦ୍ଧା ୮୦୦ ନର୍ସ ଓ ୧୦୦ରୁ ଅଧିକ ରେସିଡେଣ୍ଟ ଡାକ୍ତରଙ୍କୁ ନିଯୁକ୍ତି ଦିଆଯିବାକୁ ପଦକ୍ଷେପ ନିଆଯାଉଛି। ଆସନ୍ତା ମାସ ସୁଦ୍ଧା ନେଫ୍ରୋଲୋଜି ବିଭାଗରେ ପ୍ରଫେସର ଯୋଗ ଦେଉଥିବାବେଳେ ଖୁବ୍ ଶୀଘ୍ର ଗ୍ୟାସ୍ଟ୍ରୋଏଣ୍ଟଲୋଜି ବିଭାଗରେ ଡାକ୍ତର ନିଯୁକ୍ତି ଦିଆଯିବ। ଏଥିସହିତ ୨୦୧୯ ସୁଦ୍ଧା ଭୁବନେଶ୍ୱର ଏମ୍ସ ପୂର୍ଣାଙ୍ଗ ରୂପ ନେବ ବୋଲି ଆଜି କର୍ତ୍ତୃପକ୍ଷ ସୂଚାଇଛନ୍ତି।