ପୁଲୱାମା ଆତଙ୍କବାଦୀ ଘଟଣାକୁ ନେଇ ଆଜି ଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ । ବୈଠକରେ ଯୋଗ ଦେବା ପାଇଁ ସମସ୍ତ ରାଜନୈତିକ ଦଳକୁ ଦିଆଯାଇଛି ଆହ୍ୱାନ

ପୁଲୱାମା ଆତଙ୍କବାଦୀ ଘଟଣାକୁ ନେଇ ଆଜି ଦିଲ୍ଲୀରେ ବସିବ ସର୍ବଦଳୀୟ ବୈଠକ

154

କନକ ବ୍ୟୁରୋ : ଜାମ୍ମୁ କାଶ୍ମୀରର ପୁଲୱାମାରେ ଆତଙ୍କବାଦୀଙ୍କ ହାମଲାପରେ ସାରା ଦେଶ ଏହାକୁ ତୀବ୍ର ନିନ୍ଦା କରିଛି । ତେବେ ମିଳିଥିବା ସୂଚନା ଅନୁସାରେ ଆଜି କେନ୍ଦ୍ର ସରକାର ସର୍ବଦଳୀୟ ବୈଠକ ପାଇଁ ଆହ୍ୱାନ କରିଛନ୍ତି । ରାଜନାଥ ସିଂହ ଆଜି ଏହି ବୈଠକ ଡାକିଥିବା ଜଣାପଡିଛି । ଆଜିର ଏହି ବୈଠକରେ ସମସ୍ତ ରାଜନୈତିକ ଦଳ ସାମିଲ ହେବା ନେଇ ସୂଚନା ମିଳିଛି । ଏହି ବୈଠକରେ ଗତ ଗୁରୁବାର ଦିନ ହୋଇଥିବା ଆତଙ୍କବାଦୀ ଆକ୍ରମଣ ଉପରେ ସରକାର କି ପଦକ୍ଷେପ ନେବେ ତାହା ସମ୍ପର୍କରେ ଆଲୋଚନା ହେବ ବୋଲି ଜଣାପଡିଛି । ଆତଙ୍କୀ ହାମଲାରେ ସିଆରପିଏଫର ୪୪ ଜଣ ଯବାନ ସହିଦ ହୋଇଛନ୍ତି ।

https://aajtak.intoday.in

ଏହାପରେ ସାରା ଦେଶରେ ଆତଙ୍କବାଦୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଦାବି ହୋଇଥିଲା । ତେବେ ଗତକାଲି ଏ ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିଲା ଏବଂ ସର୍ବଦଳୀୟ ବୈଠକ ଡକାଯିବ ନେଇ ଗତକାଲି ହିଁ ସ୍ଥିର ହୋଇଥିବା ଜଣାଯାଇଛି । ଜାତୀୟ ଗଣମାଧ୍ୟମରୁ ମିଳିଥିବା ସୂଚନା ଅନୁସାରେ ରାଜନାଥ ସିଂହ ଦିଲ୍ଲୀରେ ପହଂଚିବା ପରେ ବୈଠକ ହେବ । ତେବେ ଆତଙ୍କୀ ହାମଲାରେ ସରକାରଙ୍କ ସହ ସମସ୍ତ ବିରୋଧୀ ଦଳ ଏକତ୍ରୀତ ଥିବା ଗତକାଲି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ କହିଛନ୍ତି । ଦେଶରେ ବାରମ୍ବାର ଏପରି ଭାବରେ ଆକ୍ରମଣ ହେଉଥିବାରୁ ସରକାର ଦୃଢ ପଦକ୍ଷେପ ଗ୍ରହଣ କରିବାକୁ ଜୋରଦାର ଦାବି ହେଉଛି ।