ବଙ୍ଗୋପସାଗରରେ ସୃଷ୍ଟି ଘୂର୍ଣ୍ଣିବଳୟ ନେଲା ଲଘୁଚାପର ରୂପ ! ୨୪ ଘଂଟା ମଧ୍ୟରେ ଦକ୍ଷିଣ-ଉପକୁଳ ଓଡିଶାରେ ପ୍ରବଳ ବର୍ଷା ଆଶଙ୍କା

26

କନକ ବ୍ୟୁରୋ : ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଆସନ୍ତା ୨୪ ଘଂଟା ମଧ୍ୟରେ ଘନୀଭୂତ ହୋଇ ଲଘୁଚାପର ରୂପ ନେଇଛି । ଏହାର ପ୍ରଭାବରେ ଉଭୟ ଦକ୍ଷିଣ ଏବଂ ଉପକୂଳ ଓଡିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆଶଙ୍କା ରହିଛି । ଆଭ୍ୟନ୍ତରୀଣ ତଥା ପଶ୍ଚିମ ଓଡିଶାର ଅଧିକାଂଶ ସ୍ଥାନରେ ବି ବର୍ଷା ହେବାର ସୂଚନା ମିଳିଛି । ଏଥିସହିତ ଆସନ୍ତା ୨୮ ତାରିଖରେ ବଙ୍ଗୋପସାଗରରେ ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହେବ । ତେଣୁ ଚଳିତ ମାସ ଶେଷ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗି ରହିବ । ଯାହାର ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର ।

ପୂର୍ବାନୁମାନ ଅନୁଯାୟୀ, ଘୂର୍ଣ୍ଣିବଳୟ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ପାରାଦ୍ୱୀପ-ଗୋପାଳପୁର ଉପକୂଳରେ ଲଘୁଚାପରେ ପରିଣତ ହୋଇଛି । ଏଥିଲାଗି ଅନେକ ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ଓ ସମୁଦ୍ର ଜୁଆରିଆ ରହିବ । ଏଥିପାଇଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ନ ଯିବାକୁ ସତର୍କ କରାଯାଇଛି । ତେବେ ଗତକାଲି ବର୍ଷା ସାମାନ୍ୟ କମ୍ ହୋଇଥିଲା । କିନ୍ତୁ ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ସକାଳୁ ଉପକୂଳର ବିଭିନ୍ନ ସ୍ଥାନରେ ଅଧିକ ପରିମାଣରେ ବର୍ଷା ହୋଇଛି ।