ଦୁଇଟି ଘୂର୍ଣ୍ଣିବଳୟ ! ଲଘୁଚାପ ଆଶଙ୍କା

67

କନକ ବ୍ୟୁରୋ: ଉତ୍ତର ପୂର୍ବ ବଙ୍ଗୋପସାଗର ଓ ଏହା ଆଖପାଖ ଅଞ୍ଚଳ ଏବଂ ତେଲେଙ୍ଗନାର ଉତ୍ତର ପାର୍ଶ୍ୱ ଓ ଏହା ଆଖପାଖ ଅଞ୍ଚଳରେ ଦୁଇଟି ଘୂର୍ଣ୍ଣିବଳୟ ଥିବାରୁ ଏହା ପ୍ରଭାବରେ ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି । ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପୂର୍ବାନୁମାନ କରିଛି । ପାଣିପାଗ ବିଭାଗର ପୂର୍ବାନୁମାନ ପରେ ରାଜ୍ୟର ଅଧିକାଂଶ ସ୍ଥାନରେ ଏଥରର ଦୁର୍ଗା ପୂଜା ପୂରା ଧୋଇଯିବା ସମ୍ଭାବନା ସୃଷ୍ଟି ହୋଇଛି ।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଏହି ଦୁଇଟି ଘୂର୍ଣ୍ଣିବଳୟ ଏବେ ଲଘୁଚାପର ରୂପ ନେଇନଥିଲେ ହେଁ ସ୍ଥଳଭାଗ ଉପରେ ଥିବାରୁ ଉତ୍ତର ଓ ଉପକୂଳ ଓଡ଼ିଶାର କେତେକ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଆସନ୍ତା ୧ ତାରିଖ ପର୍ଯ୍ୟନ୍ତ ଏହିପରି ପାଗ ଲାଗି ରହିବ । ଘୂର୍ଣ୍ଣିବଳୟ ପ୍ରଭାବରେ ଉତ୍ତର ଓଡ଼ିଶାର ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଆଦି ଜିଲ୍ଲାରେ ୨୪ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ବର୍ଷା ସହ ୪୦ରୁ ୫୦କିମି ବେଗରେ ବି ପବନ ବହିପାରେ ।

ସେହିପରି ଉପକୂଳ ଓଡ଼ିଶାର ପୁରୀ, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡ଼ା, ଜଗତସିଂହପୁର, ଯାଜପୁର ଆଦି ଜିଲ୍ଲାରେ ତୁହାକୁ ତୁହା ବର୍ଷା ସହ ଘଡ଼ଘଡ଼ି ଓ ପବନ ବହିପାରେ । ଅପରାହ୍ନରେ ଅଧିକ ଘଡ଼ଘଡ଼ି ମାରିବାର ସମ୍ଭାବନା ରହୁଛି । ତେଣୁ ଆକାଶରେ କଳାହାଣ୍ଡିଆ ମେଘ ଦେଖିଲେ ଖୋଲା ସ୍ଥାନରେ ନ ରହିବାକୁ ପାଣିପାଗ କେନ୍ଦ୍ର ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି । ଏହାବାଦ୍ ଦକ୍ଷିଣ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ବି ଆକାଶ ମେଘୁଆ ରହିବା ସହ ସାମାନ୍ୟ ବର୍ଷା ହୋଇପାରେ ।

ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଗତକାଲି ଭୁବନେଶ୍ୱରରେ ସର୍ବାଧିକ ୬୩.୭ମିମି ବର୍ଷା ହୋଇଥିବାବେଳେ ଢେଙ୍କାନାଳରେ ୫୫ମିମି, କଟକରେ ୪୪ମିମି, ଚାନ୍ଦବାଲି ଓ ପାରାଦୀପରେ ୧୧ମିମି, ପୁରୀରେ ୧୫ମିମି, ଅନୁଗୁଳରେ ୩ମିମି, ଗୋପାଳପୁରରେ ୨ମିମି, ତାଳଚେରରେ ୨ମିମି ବର୍ଷା ହୋଇଛି।