୨୫ ଯାଏଁ କାଁ ଭାଁ ବର୍ଷା

34

କନକ ବ୍ୟୁରୋ: ଓଡ଼ିଶାରୁ ଲଘୁଚାପ ଯାଇ ଗୁରୁବାର କେନ୍ଦ୍ରୀୟ ମଧ୍ୟ ପ୍ରଦେଶର ଉତ୍ତର ଭାଗ ଏବଂ ଏହାର ଆଖପାଖ ଅଞ୍ଚଳରେ ଓ୍ଵଲମାର୍କ ଲଘୁଚାପର ରୂପ ନେଇଛି । ଏହା ସତ୍ତ୍ୱେ ଉପକୂଳରେ ଘଣ୍ଟାକୁ ୪୫ରୁ ୬୦ କି.ମି. ପର୍ଯ୍ୟନ୍ତ ବେଗରେ ବହୁଛି ପବନ । ଫଳରେ ସମୁଦ୍ର ଭୀଷଣ ଅଶାନ୍ତ ହୋଇଉଠିଛି । ଏଣୁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ଭିତରକୁ ଯିବାକୁ ବାରଣ କରାଯାଇଛି । ଲଘୁଚାପ ବିଦାୟ ନେଇଥିବାରୁ ରାଜ୍ୟରେ ବର୍ଷାର ପରିମାଣ କମିଛି । ଆଗାମୀ ୨୫ ତାରିଖ ପର୍ଯ୍ୟନ୍ତ କାଁ ଭାଁ ବର୍ଷା ହେବ । କିନ୍ତୁ ଏହାର ପରିମାଣ ବି କମ୍ ରହିବ।

ଏଭଳି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଏହି ପୂର୍ବାନୁମାନ ଅନୁଯାୟୀ ୨୫ ତାରିଖ ଯାଏ କାଁ ଭାଁ ବର୍ଷା ହେବ । କିନ୍ତୁ ୨୬ ତାରିଖରୁ ରାଜ୍ୟର ଅନେକ ସ୍ଥାନରେ ଆରମ୍ଭ ହୋଇଯିବ ବର୍ଷା । ପରେ ପରେ ବର୍ଷାର ପରିମାଣ ବଢ଼ିବ । ସ୍କାଏମେଟ୍ ସଂସ୍ଥାର ସୂଚନା ମୁତାବକ, ବୁଧବାରଠାରୁ ଏକ ମୌସୁମୀ ଟ୍ରଫ୍ ରାଜସ୍ଥାନର ବିକାନେରଠାରୁ ଝାରସୁଗୁଡ଼ା ଦେଇ ବଙ୍ଗୋପ ସାଗରକୁ ଲମ୍ବିଯାଇଛି । ଫଳରେ ବର୍ଷା ଲାଗି ରହିବ ।

ଗତ ୨୪ ଘଣ୍ଟା ମଧ୍ୟରେ ନିଶ୍ଚିନ୍ତକୋଇଲିରେ ୬୦ ମିଲିମିଟର ବର୍ଷା ହୋଇଥିଲା । ବୌଦ୍ଧର କଣ୍ଟାମାଳରେ ୪୦ ମି.ମି. ବର୍ଷା ହୋଇଥିବା ବେଳେ ଯୁଯୁମରା, ପାନପୋଷ, ବାମରା, କୋଲାବିରା, କୁଚିଣ୍ଡା, ପାଇକମାଳ, ସୋନପୁରର ଉଲୁଣ୍ଡା, ବୁର୍ଲା ଆଦି ସ୍ଥାନରେ ପ୍ରାୟ ୩୦ ମି.ମି., ଲଇକେରା, ଝାରସୁଗୁଡ଼ାର କିରମିରା, ସୋନପୁର, ଅତାବିରା, ରାଜଗାଙ୍ଗପୁର, ହୀରାକୁଦ, ସମ୍ବଲପୁର, ଦେଓଗାଁ, ନିଆଳି ଆଦି ସ୍ଥାନରେ ୨୦ ମି.ମି. ବର୍ଷା ହୋଇଥିଲା । ଗତକାଲି ସନ୍ଧ୍ୟା ସୁଦ୍ଧା ଫୁଲବାଣୀରେ ୮୩ ମି.ମି. ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୧୨ ମି.ମି., ପାରାଦୀପରେ ୯ ମି.ମି., ଚାନ୍ଦବାଲିରେ ୮ ମି.ମି. ବର୍ଷା ହୋଇଛି ।