ଘୂର୍ଣ୍ଣିବଳୟ ପ୍ରଭାବରେ ୭ ଦିନ ବର୍ଷା

44

କନକ ବ୍ୟୁରୋ: ଉତ୍ତର ପଶ୍ଚିମ ବଙ୍ଗୋପ ସାଗର ଏବଂ ଏହାର ଆଖପାଖ ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର କିଛି ସ୍ଥାନରେ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେଉଛି । ଆଗାମୀ ୨୪ ଘଣ୍ଟା ଭିତରେ ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ପ୍ରବଳ ବର୍ଷା ଏବଂ ଉତ୍ତରର କିଛି ସ୍ଥାନରେ ଘଡ଼ଘଡ଼ି ସହିତ ପ୍ରବଳ ବର୍ଷା ହୋଇପାରେ ।

ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଘୂର୍ଣ୍ଣିବଳୟ ସୃଷ୍ଟି ହେବା ଫଳରେ ରାଜ୍ୟର ଅନେକ ସ୍ଥାନରେ ଦକ୍ଷିଣ ପଶ୍ଚିମ ମୌସୁମୀ ପ୍ରବାହ ସ୍ୱାଭାବିକ ହୋଇଛି । ବାୟୁମଣ୍ଡଳରେ ଭରିଯାଇଛି ଜଳୀୟବାଷ୍ପ । ତେବେ ଦିନରେ ତାତି ଅଧିକ ରହୁଥିବାରୁ ଅପରାହ୍ଣ ବେଳକୁ ଅନେକ ସ୍ଥାନରେ ଘଡ଼ଘଡ଼ି, ବିଜୁଳି ମାରିବା ସହିତ ବର୍ଷା ହେଉଛି । ବର୍ତ୍ତମାନ ବର୍ଷା ପରିମାଣ ଅଧିକ ନାହିଁ । କିନ୍ତୁ ୧୮ ତାରିଖ ବେଳକୁ ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଲେ, ବର୍ଷା ପରିମାଣ ବଢ଼ିବ ବୋଲି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଫଳରେ ଆହୁରି ୭ ଦିନ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ।

ଗତ ୨୪ ଘଣ୍ଟା ମଧ୍ୟରେ ନୂଆପଡ଼ା ଜିଲ୍ଲାର ବୋଡ଼େନରେ ସର୍ବାଧିକ ୬୦ ମିଲିମିଟର ବର୍ଷା ହୋଇଥିଲା । ଗତକାଲି ଚାନ୍ଦବାଲିରେ ୩୦ ମି.ମି. ଏବଂ ଭୁବନେଶ୍ୱର ସହିତ ଅନ୍ୟାନ୍ୟ ସ୍ଥାନରେ ସାମାନ୍ୟ ବର୍ଷା ହୋଇଛି ।