ପୁଣି ଭାସିବ ଦକ୍ଷିଣ ଓଡ଼ିଶା। ଲଘୁଚାପର ରୂପ ନେବ ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟ ଘୂର୍ଣ୍ଣିବଳୟ, ୩ଦିନ ଧରି ପ୍ରବଳ ବର୍ଷିବ
କନକ ବ୍ୟୁରୋ: ପୁଣି ଭାସିବ ଦକ୍ଷିଣ ଓଡ଼ିଶା। ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ଫଳରେ ଉକ୍ତ ଜିଲ୍ଲାଗୁଡ଼ିକ ଦେଇ ପ୍ରବାହିତ ନଦୀର ଜଳସ୍ତର ବୃଦ୍ଧି ପାଇବ। ଏଣୁ ବନ୍ୟା ପ୍ରଭାବିତ ହୋଇପାରେ ମାଲକାନଗିରି, କୋରାପୁଟ, କଳାହାଣ୍ଡି, ରାୟଗଡ଼ା ଜିଲ୍ଲା।
Kanak News is now on WhatsApp
Join and get latest news updates delivered to you via WhatsApp
ଉତ୍ତର ପଶ୍ଚିମ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ଏବେ ପଶ୍ଚିମବଙ୍ଗ ଓ ଓଡ଼ିଶା ଉପକୂଳ ନିକଟରେ ଘନୀଭୂତ ହୋଇଛି। ଆସନ୍ତା ୨୪ ଘଣ୍ଟା ମଧ୍ୟରେ ତାହା ଲଘୁଚାପର ରୂପ ନେବ। ପ୍ରଭାବରେ ଆଜିଠାରୁ ମାଲକାନଗିରି, କୋରାପୁଟ, କଳହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଞ୍ଜାମ, ଗଜପତି ଜିଲ୍ଲାରେ ପ୍ରବଳ ବର୍ଷା ଲାଗିରହିବ। ୨୦ ତାରିଖ ବେଳକୁ କିନ୍ତୁ ଉପକୂଳ ଓଡ଼ିଶାରେ ଅଧିକ ବର୍ଷିବ। ପୁରୀ, ଖୋର୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଜିଲ୍ଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବ। ସମୁଦ୍ର ମଧ୍ୟ ଅଶାନ୍ତ ରହିବ। ତେଣୁ ମତ୍ସ୍ୟଜୀବୀମାନେ ଉତ୍ତର-ପଶ୍ଚିମ ଓ ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରର ଗଭୀର ସମୁଦ୍ରକୁ ନ ଯିବା ପାଇଁ ବାରଣ କରାଯାଇଛି। ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସତର୍କର୍ ସୂଚନା ଜାରି ହୋଇଛି।
ପାଣିପାଗ ବିଶେଷଜ୍ଞ ତଥା ଓୟୁଏଟି କୁଳପତି ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ ପୂର୍ବାନୁମାନ ଅନୁଯାୟୀ, ଓଡ଼ିଶା ନିକଟସ୍ଥ ଉତ୍ତର ପଶ୍ଚିମ ବଙ୍ଗୋପସାଗର ନିକଟରେ ଗତକାଲି ସକାଳେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଆଜି ତାହା ଲଘୁଚାପରେ ପରିଣତ ହେବ। ୨୧ ସୁଦ୍ଧା ତାହା ଅବପାତରେ ପରିଣତ ହେବାର ସମ୍ଭାବନା ରହିଛି। ଏହି ଲଘୁଚାପ ଓଡ଼ିଶା ସଂଲଗ୍ନ ବଙ୍ଗୋପସାଗର ଉପରେ ଦୁଇ ଦିନ ରହିବ। ତାହା ପରେ ଉତ୍ତର ପୂର୍ବ ଦିଗରେ ଗତି କରି ୨୩ ତାରିଖ ବେଳକୁ ପଶ୍ଚିମବଙ୍ଗ ଓ ବାଙ୍ଗଲାଦେଶ ସଂଲଗ୍ନ ବଙ୍ଗୋପସାଗରରେ ଅବସ୍ଥିତ ହେବ।
ଅନୁମାନ କରାଯାଉଛି, ଲଘୁଚାପ ଦ୍ୱାରା ଆସନ୍ତା ୭ ଦିନ ପର୍ଯ୍ୟନ୍ତ ଉପକୂଳ ଅଞ୍ଚଳରେ ବର୍ଷା ଲାଗିରହିବ। ୧୯ ଓ ୨୦ ତାରିଖରେ ଉତ୍ତର ଉପକୂଳ ଓଡ଼ିଶା ବ୍ୟତୀତ ରାଜ୍ୟର ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ହେବ। ୧୯ ତାରିଖ ଦିନ ଦକ୍ଷିଣ ଓଡ଼ିଶାରେ ଅପେକ୍ଷାକୃତ ଅଧିକ ହେବ। ୨୦ ତାରିଖ ଦିନ ସାରା ରାଜ୍ୟରେ ବର୍ଷାର ପ୍ରକୋପ ବଢ଼ିବ। ଅନେକ ସ୍ଥାନରେ ଭାରି ବର୍ଷା ହେବାର ସମ୍ଭାବନା ରହିଛି। ୨୧ ତାରିଖ ବେଳକୁ ଦକ୍ଷିଣ ଓଡ଼ିଶାରେ ବର୍ଷା କମିଯିବ। କିନ୍ତୁ ଅନ୍ୟାନ୍ୟ ଅଞ୍ଚଳରେ ବର୍ଷା ଲାଗିରହିବ। ଏହା ୨୫ ତାରିଖ ପର୍ଯ୍ୟନ୍ତ ଜାରି ରହିବାର ସମ୍ଭାବନା ରହିଛି। କେନ୍ଦ୍ରୀୟ ଓ ଉତ୍ତର ପଶ୍ଚିମ ଓଡ଼ିଶା ଏବଂ ଭୁବନେଶ୍ୱର ସମେତ ଉପକୂଳ ଅଞ୍ଚଳର କେତେକ ସ୍ଥାନରେ ୨୦୦ ମିମି ବର୍ଷା ହୋଇପାରେ ବୋଲି ପ୍ରଫେସର ପଶୁପାଳକ ଆକଳନ କରିଛନ୍ତି।