ତାତିଲାଣି ରାଜଧାନୀ ! ଶୀତ ନ ସରୁଣୁ ମାଡ଼ି ଆସୁଛି ଖରା, ଫେବୃୟାରୀ ଆରମ୍ଭରୁ ୪ଟି ସହରରେ ତାପମାତ୍ର ୩୫ ଡିଗ୍ରୀ

27

କନକ ବ୍ୟୁରୋ: ଏବେଠାରୁ ତାତିଲାଣି ରାଜଧାନୀ । ଗତ ୪୮ ଘଣ୍ଟାରେ ସହରର ତାପମାତ୍ରା ଦେଢ଼ ଡିଗ୍ରୀ ବୃଦ୍ଧି ପାଇଛି । ସୋମବାର ଏଠାର ସର୍ବୋଚ୍ଚ ତାପମାତ୍ରା ୩୩.୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଗତକାଲି ତାହା ୩୫ ଡିଗ୍ରିରେ ପହଞ୍ଚିଛି । ମଧ୍ୟାହ୍ନ ବେଳକୁ ଏଠାରେ ତାପମାତ୍ରା ୩୨ ଡିଗ୍ରୀ ଛୁଇଁଥିଲା । ଧୀରେ ଧୀରେ ତାହା ବୃଦ୍ଧି ପାଇ ଅପରାହ୍ନ ୨ଟା ବେଳକୁ ୩୫ ଡିଗ୍ରିରେ ପହଞ୍ଚିଥିଲା। କେବଳ ଭୁବନେଶ୍ୱର ନୁହେଁ । ଅନୁଗୁଳ, ଟିଟିଲାଗଡ଼ ଓ ତାଳଚେରର ତାପମାତ୍ରା ମଧ୍ୟ ୩୫ ଡିଗ୍ରୀରେ ପହଞ୍ଚିଛି ।

ଫେବ୍ରୁଆରି ଦ୍ୱିତୀୟ ସପ୍ତାହରୁ ପ୍ରବଳ ତାତି ଅନୁଭୂତ ହୋଇଥିବାରୁ ଲୋକେ ଏବେଠାରୁ ଅସୁବିଧାର ସମ୍ମୁଖୀନ ହେଲେଣି । ସୋମବାର ପରି ଗତକାଲି ମଧ୍ୟ ପୁରୀ, ପାରାଦୀପ, ଗୋପାଳପୁରକୁ ଛାଡ଼ି ଅନ୍ୟ ସମସ୍ତ ସହରର ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ଟପିଯାଇଛି। ଅଧିକାଂଶ ସହରର ତାପମାତ୍ରା ୩୩ ଡିଗ୍ରୀରେ ପହଞ୍ଚିଛି । ଆସନ୍ତା ୩ ଦିନ ପର୍ଯ୍ୟନ୍ତ ପାଗରେ ସେଭଳି କୌଣସି ଆଖିଦୃଶିଆ ପରିବର୍ତନ ଦେଖା ଯାଉ ନାହିଁ । ଉପକୂଳ ଓଡ଼ିଶାରେ ପୂର୍ବଭଳି କୁହୁଡ଼ି ଜାରି ରହିବ। ହେଲେ ଆଜିଠାରୁ ଓଡ଼ିଶାର କେତେକ ସ୍ଥାନରେ ପାଗ କୋହଲା ରହିପାରେ । ୧୧ ତାରିଖ ବେଳକୁ ଗୋଟିଏ ଦୁଇଟି ସ୍ଥାନରେ ହାଲକା ବର୍ଷା ହେବାର ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ।

୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ସମ୍ଭାବନା ରହିଛି । ବିଶେଷକରି ଉତ୍ତର ଓଡ଼ିଶାର କେତେକ ସ୍ଥାନରେ କୋହଲା ପାଗ ରହିପାରେ । ପାଣିପାଗ କେନ୍ଦ୍ର ନିର୍ଦେଶକ ଶରତ ସାହୁଙ୍କ କହିବାନୁଯାୟୀ, ଓଡ଼ିଶା ଉପରେ ଏକ ଟ୍ରାପ୍ ଲାଇନ୍ ଯାଇଥିବାରୁ ତାହାର ପ୍ରଭବରେ ଗୋଟିଏ ଦୁଇଟି ସ୍ଥାନରେ ବର୍ଷା ହୋଇପାରେ । ଯଦି ବି ବର୍ଷା ହୁଏ ତାହାର ପ୍ରଭାବ ସେତେଟା ରହିବ ନାହିଁ। ଆସନ୍ତା ୩ ଦିନ ପର୍ଯ୍ୟନ୍ତ କେତେକ ସ୍ଥାନରେ ଠାଏ ଠାଏ ବାଦଲ ଦେଖିବାକୁ ମିଳିବ। ଆଉ ଦୁଇ ଦିନ ପରେ ବର୍ଷା ସ୍ଥିତି ନେଇ ସ୍ପଷ୍ଟ ଚିତ୍ର ଆସିପାରିବ ବୋଲି ସେ କହିଛନ୍ତି ।

ଗତ ୪୮ ଘଣ୍ଟା ମଧ୍ୟରେ ତାଳଚେର ଓ ଅନୁଗୁଳରେ ସର୍ବୋଚ୍ଚ ତାପମାତ୍ରା ୩୫.୧ ଡିଗ୍ରି ରେକର୍ଡ ହୋଇଛି। ଏହାବ୍ୟତୀତ ଭୁବନେଶ୍ୱର ଓ ଟିଟିଲାଗଡ଼ରେ ୩୫, ସୋନପୁରରେ ୩୪.୮, ସମ୍ବଲପୁରରେ ୩୩.୭, ବଲାଙ୍ଗିରରେ ୩୪.୫, ମାଲକାନଗିରି ଓ ଢ଼େଙ୍କାନାଳରେ ୩୪.୪, ଝାରସୁଗୁଡ଼ାରେ ୩୩.୨ ଡିଗ୍ରୀ ରେକର୍ଡ କରାଯାଇଛି। ସର୍ବନିମ୍ନ ତାପମାତ୍ରା ଫୁଲବାଣୀରେ ପୁଣିଥରେ ୭.୮ ଡିଗ୍ରୀ ରହିଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।