ଆଜିଠାରୁ ହାଲକା ବର୍ଷା, ଥଣ୍ଡା ଜାରି ରହିବ । ଭୁବନେଶ୍ୱର ସମେତ ୨୦ଟି ସ୍ଥାନରେ ୨୦ ଡିଗ୍ରୀ ତଳେ ପାରଦ

35

କନକ ବ୍ୟୁରୋ: ଗତକାଲି ଶ୍ରୀଲଙ୍କା ଏବଂ ତାମିଲନାଡ଼ୁ ଉପକୂଳରେ ଲଘୁଚାପ ସ୍ଥିର ରହିଥିଲା । ଏହାର ପ୍ରଭାବରେ ଆଜି ଏବଂ ଆସନ୍ତାକାଲି ଉପକୂଳ, ଦକ୍ଷିଣ ଓଡ଼ିଶାର କିଛି ସ୍ଥାନରେ ହାଲକା ବର୍ଷା ହେବ । ପବନ ବି ବହିବ । ତାପମାନରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । ଏହା ସତ୍ତ୍ୱେ ଥଣ୍ଡା ଜାରି ରହିବ । ବର୍ଷା ଚାଲିଗଲା ପରେ ଥଣ୍ଡାର ପ୍ରକୋପ ଆହୁରି ବଢ଼ିବ । ଗତକାଲି ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର। ସୂଚନାନୁସାରେ ଲଘୁଚାପ ପ୍ରଭାବରେ ଉପକୂଳ ଏବଂ ଦକ୍ଷିଣର କିଛି ସ୍ଥାନରେ ପାଗ ମେଘୁଆ ରହିବ । ଅଧିକାଂଶ ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ । ଗୋଟିଏ କି ୨ଟି ସ୍ଥାନରେ ୧୦ ମିଲିମିଟରରୁ ଅଧିକ ବର୍ଷା ହେବାର ସମ୍ଭାବନା ରହିଛି ।

ଗତକାଲି ରାୟଗଡ଼ା ସହିତ କିଛି ସ୍ଥାନରେ ସାମାନ୍ୟ ବର୍ଷା ହୋଇଥିବା କୁହାଯାଉଛି । ଲଘୁଚାପ ଯୋଗୁଁ ଦକ୍ଷିଣ ପୂର୍ବ ଦିଗରୁ ସାମୁଦ୍ରିକ ପବନ ବହିବ । ପବନର ବେଗ ଘଣ୍ଟାକୁ ୨୦ରୁ ୨୫ କି.ମି. ରହିପାରେ। ବର୍ତ୍ତମାନ ଉତ୍ତର ପୂର୍ବ ଦିଗରୁ ଥଣ୍ଡା ପବନ ବହୁଛି । ସେତେବେଳକୁ ସାମୁଦ୍ରିକ ପବନ ବହିବାର ସମ୍ଭାବନା ଥିବାରୁ ଥଣ୍ଡା ପବନର ବେଗ କମିପାରେ । ତଥାପି ଥଣ୍ଡା ଅନୁଭୂତ ହେବ ବୋଲି ପାଣିପାଗ କେନ୍ଦ୍ର ନିର୍ଦେଶକ ଡ. ଶରତ ଚନ୍ଦ୍ର ସାହୁ କହିଛନ୍ତି ।

ଗତ କିଛିଦିନ ଭଳି ଗତକାଲି ମଧ୍ୟ ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ଅନ୍ୟାନ ସ୍ଥାନ ତୁଳନାରେ ସବୁଠାରୁ କମ୍ ୧୨.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଫୁଲବାଣୀରେ ୧୪.୨ ଡିଗ୍ରୀ, ହୀରାକୁଦରେ ୧୫ ଡିଗ୍ରୀ, କେନ୍ଦୁଝରରେ ୧୫.୧ ଡିଗ୍ରୀ, କୋରାପୁଟରେ ୧୫.୪ ଡିଗ୍ରୀ, ଭବାନୀପାଟଣାରେ ୧୬ ଡିଗ୍ରୀ, ସୁନ୍ଦରଗଡ଼ରେ ୧୬.୫ ଡିଗ୍ରୀ, ଝାରସୁଗୁଡ଼ାରେ ୧୭.୧ ଡିଗ୍ରୀ, ଅନୁଗୁଳରେ ୧୭.୬ ଡିଗ୍ରୀ, ସମ୍ବଲପୁର, ବାଲେଶ୍ୱରରେ ୧୭.୮ ଡିଗ୍ରୀ, ସୋନପୁରରେ ୧୮.୨ ଡିଗ୍ରୀ, ବାରିପଦାରେ ୧୮.୪ ଡିଗ୍ରୀ, ଢେଙ୍କାନାଳରେ ୧୮.୭ ଡିଗ୍ରୀ, ଟିଟିଲାଗଡ଼ରେ ୧୯ ଡିଗ୍ରୀ, ମାଲକାନଗିରିରେ ୧୯.୪ ଡିଗ୍ରୀ, ବଲାଙ୍ଗୀର, ଚାନ୍ଦବାଲି, କଟକରେ ୧୯.୫ ଡିଗ୍ରୀ, ଭୁବନେଶ୍ୱରରେ ୧୯.୭ ଡିଗ୍ରୀ ରହିଛି । ପ୍ରଥମ ଥର ପାଇଁ ଭୁବନେଶ୍ୱର ପାରଦ ୨୦ ଡିଗ୍ରୀ ତଳକୁ ଖସିଛି ।