୨୮ରୁ ୩୧ ଯାଏଁ ସ୍ୱଳ୍ପ ବର୍ଷା

33

କନକ ବ୍ୟୁରୋ: ରାଜ୍ୟରେ ପାଗ ଶୁଖିଲା ରହିଛି । ଏଭଳି ଆହୁରି ୪/୫ ଦିନ ଶୁଖିଲା ରହିପାରେ । ଏହାପରେ ଏକ ଟ୍ରଫ୍ ଲାଇନ ସୃଷ୍ଟି ହେବାର ପୂର୍ବାନୁମାନ କରାଯାଇଛି । ଏହାର ପ୍ରଭାବରେ ୨୮ ତାରିଖ ବେଳକୁ ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ହେବ । ୩୦ରୁ ୩୧ ତାରିଖ ପର୍ଯ୍ୟନ୍ତ ସେଠାରେ ବର୍ଷା ଲାଗି ରହିବ। ଏଭଳି ପାଗ ପରେ ଦିନର ତାପମାତ୍ରା କେତେକାଂଶରେ କମିବାର ସମ୍ଭାବନା ରହିଛି ।

ଗତକାଲି ଏଭଳି ପୂର୍ବାନୁମାନ କରିଛି ପାଣିପାଗ କେନ୍ଦ୍ର । ଏହି ପୂର୍ବାନୁମାନ ଅନୁଯାୟୀ, ୨୬ ତାରିଖ ପରେ ଏକ ଟ୍ରଫ୍ ଲାଇନ ସୃଷ୍ଟି ହେ ବ। ଏହା ଦେଶର ପଶ୍ଚିମ ଦିଗରୁ ପୂର୍ବ ଦିଗ ପର୍ଯ୍ୟନ୍ତ ଲମ୍ବିଆସିବ । ଏହାର ବିଶେଷ ପ୍ରଭାବ ରହିନପାରେ । ତଥାପି ଉତ୍ତର ଓଡ଼ିଶାର କିଛି ସ୍ଥାନରେ ସ୍ୱଳ୍ପ ପରିମାଣର ବର୍ଷା କରାଇବାର ସମ୍ଭାବନା ରହିଛି । ବର୍ଷା ଚାଲିଯିବା ପରେ ଉତ୍ତର ସହିତ ବିଭିନ୍ନ ସ୍ଥାନରେ ଥଣ୍ଡା ଅନୁଭୂତ ହେବ ।

ଗତ ୨୪ ଘଣ୍ଟା ମଧ୍ୟରେ ଆସ୍କାରେ ସର୍ବାଧିକ ୮୦ ମିଲିମିଟର ବର୍ଷା ହୋଇଥିଲା । ସେହିପରି ଜଗନ୍ନାଥପ୍ରସାଦରେ ୩୦ ମି.ମି., ନବରଙ୍ଗପୁର, କୋରାପୁଟ, ଡାବୁଗାଁ, ଜୟପୁର, ନବରଙ୍ଗପୁର ଜିଲ୍ଲାର ତେନ୍ତୁଳିଖୁଣ୍ଟିରେ ୨୦ ମି.ମି., ଭଦ୍ରକର ଆଖୁଆପଦା, ରାୟଗଡ଼ାର ବିଷମ-କଟକ, ଗଜପତିର ମହେନ୍ଦ୍ରଗଡ଼ରେ ୧୦ ମି.ମି. ବର୍ଷା ହୋଇଥିଲା । ଗତକାଲି ସନ୍ଧ୍ୟା ସୁଦ୍ଧା କୌଣସି ସ୍ଥାନରେ ବର୍ଷା ହୋଇନଥିବା ପାଣିପାଗ କେନ୍ଦ୍ର ସୂଚନାରୁ ଜଣାଯାଇଛି ।