ଆଉ ସପ୍ତାହକ ଯାଏଁ ଲାଗିରହିବ ବର୍ଷା : ୨୨ ତାରିଖଠାରୁ ବଢ଼ିବ ବର୍ଷା ପରିମାଣ, ଉତ୍ତର ଓଡ଼ିଶାରେ ଅଧିକ ବର୍ଷିବ

1,152

କନକ ବ୍ୟୁରୋ : ଆଉ ସପ୍ତାହକ ଯାଏଁ ଲାଗିରହିବ ବର୍ଷା । ଅଧିକାଂଶ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ । ସ୍ଥାନେ ସ୍ଥାନେ ପ୍ରବଳ ବର୍ଷା ହେବ । ତେବେ ୨୨ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ । ୨୩ ଓ ୨୪ ତାରିଖରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାର ଅଧିକାଂଶ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ । ଏହାପରେ ଉତ୍ତର ଓ କେନ୍ଦ୍ରୀୟ ଓଡ଼ିଶାରେ ବର୍ଷା ପରିମାଣ ବଢ଼ିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର । ଆହୁରି କୁହାଯାଇଛି ଯେ ୨୨ ତାରିଖ ଅପରାହ୍ନ ପର୍ଯ୍ୟନ୍ତ ବିଜୁଳି ସହ ଝଡ଼ ବର୍ଷା ପ୍ରଭାବ ଅଧିକ ରହିବ । ଉତ୍ତର, ପଶ୍ଚିମ ଓ ଉପକୂଳ ଓଡ଼ିଶାରେ ପବନ ସହ ସହ ବଜ୍ରପାତର ଆଶଙ୍କା ରହିଛି । ଏଥିପ୍ରତି ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି ।

ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକଙ୍କ କହିବା କଥା ହେଉଛି ଯେ ବର୍ତମାନ ଓଡ଼ିଶା ସମେତ ପୂର୍ବ ଭାରତରେ ମୌସୁମୀ ସକ୍ରିୟ ରହିଛି । ତେଣୁ ଆସନ୍ତା ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ବର୍ଷା ଲାଗିରହିବ । ସପ୍ତାହର ସମୁଦାୟ ବର୍ଷା ପ୍ରାୟ ୯୦ ମିମିରୁ ଅଧିକ ହୋଇପାରେ । ଯାହାକି ସ୍ବାଭାବିକଠାରୁ ଅଧିକ ରହିବ । ୨୨ ତାରିଖଠାରୁ ବର୍ଷା ପରିମାଣ ବଢ଼ିବ । ୨୪ରେ ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ହେବ । ଆଜି ଏକ ଲଘୁଚାପ ବିହାର ଓ ସଂଲଗ୍ନ ଅଞ୍ଚଳରେ ରହିଥିଲା। ଏହି ଲଘୁଚାପ ଜନିତ ଘୂର୍ଣ୍ଣିବଳୟ ଦିଲ୍ଲୀ ଓ ହରିୟାଣା ପର୍ଯ୍ୟନ୍ତ ବ୍ୟାପି ରହିଛି ।

୨୨ ତାରିଖରେ ଏହି ଘୂର୍ଣ୍ଣିବଳୟ ଅଧିକ ‌ଘନୀଭୂତ ହେବ । ଯାହାକି ପଶ୍ଚିମ ଉତ୍ତର ପ୍ରଦେଶରୁ ବଙ୍ଗୋପସାଗର ପର୍ଯ୍ୟନ୍ତ ରହିବ । ଏହି ଘୂର୍ଣ୍ଣିବଳୟରେ ଦୁଇଟି ଲଘୁଚାପ ଅଞ୍ଚଳ ରହିବ । ପୂର୍ବ ଭାଗରେ ଥିବା ଲଘୁଚାପ ଅଞ୍ଚଳ ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ସ୍ଥଳ ଭାଗ ଉପରେ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାକି ପରବର୍ତୀ ଦୁଇଦିନ ପରେ ମଧ୍ୟପ୍ରଦେଶରୁ ବାଂଲାଦେଶ ମଧ୍ୟରେ ଅଧିକ ଘନୀଭୂତ ହେବ ।

ଅନୁମାନ କରାଯାଉଛି ଯେ ଏହାଦ୍ବାରା ଭୁବନେଶ୍ବର ସମେତ ‌କେନ୍ଦ୍ରୀୟ ଓ ଦକ୍ଷିଣ ଉପକୂଳରେ ୨୧ରୁ ୨୫ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ । ଅଭ୍ୟନ୍ତରୀଣ କେନ୍ଦ୍ରୀୟ ଓ ପଶ୍ଚିମ ଓଡ଼ିଶାରେ ୨୦ରୁ ୨୫ ପର୍ଯ୍ୟନ୍ତ ସ୍ବଳ୍ପ ବର୍ଷା, ମୟୂରଭଞ୍ଜ, କେନ୍ଦୁଝର ଓ ସୁନ୍ଦରଗଡ଼ରେ ୨୨ରୁ ୨୫ ତାରିଖ ମଧ୍ୟରେ ପ୍ରତ୍ୟେକ ଦିନ ବର୍ଷା ହେବାର ସମ୍ଭାବନା ରହିଛି । ବାଲେଶ୍ବର ସମେତ ଉତ୍ତର ଉପକୂଳରେ ୨୩ରୁ ୨୭ ଯାଏ ବର୍ଷା ହୋଇପାରେ । ଉତ୍ତର ଓଡ଼ିଶାରେ ସବୁଠାରୁ ଅଧିକ ବର୍ଷାର ସମ୍ଭାବନା ରହିଛି ।