ଉତ୍ତର-ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ! ଆସନ୍ତାକାଲି ସୁଦ୍ଧା ଲଘୁଚାପରେ ପରିଣତ ହେବା ସମ୍ଭାବନା

24

କନକ ବ୍ୟୁରୋ : ଦକ୍ଷିଣ ଓଡିଶା ପରେ ଏବେ ବିପଦରେ ଉତ୍ତର ଓଡିଶା ।  ଉତ୍ତର ବଙ୍ଗୋପସାଗର ଓ ଏହାର ଆଖପାଖ ଦକ୍ଷିଣ ବାଂଲାଦେଶ ଏବଂ ଗାଙ୍ଗେୟ ଉପତ୍ୟାକା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ପ୍ରଭାବରେ ଉତ୍ତର ଓଡ଼ିଶା ସମେତ ଉପକୂଳ ଓଡ଼ିଶାରେ ବର୍ଷା ହେବ । ଆସନ୍ତା ୪୮ଘଣ୍ଟା ମଧ୍ୟରେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବ । ଲଘୁଚାପ ପ୍ରଭାବରେ ଉତ୍ତର ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବ । ଉପକୂଳ ଓଡ଼ିଶାରେ ବି ଭଲ ବର୍ଷା ହେବ ବୋଲି ଭୁବନେଶ୍ୱର ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି।

ପାଣିପାଗ କେନ୍ଦ୍ର ନିର୍ଦ୍ଦେଶକ ଶରତ ସାହୁଙ୍କ ସୂଚନା ଅନୁଯାୟୀ, ଘୂର୍ଣ୍ଣିବଳୟ ପ୍ରଭାବରେ ସାରା ରାଜ୍ୟରେ ଆକାଶ ମେଘାଛନ୍ନ ରହିବା ସହ କେତେକ ସ୍ଥାନରେ ବର୍ଷା ଲାଗି ରହିଛି । ହେଲେ ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ପରେ ଉତ୍ତର ଓଡ଼ିଶାର ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ସମେତ ଉପକୂଳ ଓଡ଼ିଶାର ଖୋର୍ଦ୍ଧା, କଟକ, ଯାଜପୁର, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଓ ପୁରୀରେ ପ୍ରବଳ ବର୍ଷା ହେବ। ୨୪ରୁ ୨୬ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ।

ଭୁବନେଶ୍ୱର ପାଣିପାଗ କେନ୍ଦ୍ର ସୂଚନା ଅନୁଯାୟୀ, ଗତ ୨୪ଘଣ୍ଟା ମଧ୍ୟରେ ସୁନ୍ଦରଗଡ଼ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଛି । ସୁନ୍ଦରଗଡ଼ ଜିଲ୍ଲାର ଲହୁଣିପଡ଼ା, ଟେନ୍‌ସାରେ ସର୍ବାଧିକ ୫ସେମି ବର୍ଷା ହୋଇଥିବା ବେଳେ ବଣାଇଗଡ଼, ଗୁରୁଣ୍ଡିଆ, ମୟୂରଭଞ୍ଜର ବେତନଟି, କେନ୍ଦୁଝରର ଯୋଡ଼ା, ଝାରସୁଗୁଡ଼ାର କିରିମିରାରେ ୪ସେମି ବର୍ଷା ହୋଇଛି । ଗତ ୨୪ଘଣ୍ଟା ମଧ୍ୟରେ ଉତ୍ତର ଓଡ଼ିଶା ସମେତ ଆଭ୍ୟନ୍ତରୀଣ-ପଶ୍ଚିମ ଓଡ଼ିଶାରେ ଭଲ ବର୍ଷା ହୋଇଛି ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି । ସେହିପରି ଆଜି ବାଲେଶ୍ୱରରେ ୧୦ମିମି, ଚାନ୍ଦବାଲିରେ ୧୨ମିମି, କଟକରେ ୧୦ମିମି, ପାରାଦୀପରେ ୨ମିମି, ବାରିପଦାରେ ୩୬ମିମି, ଝାରସୁଗୁଡ଼ାରେ ୬ମିମି, କେନ୍ଦୁଝରରେ ୧୯ମିମି, ଢେଙ୍କାନାଳରେ ୫ମିମି, ସମ୍ବଲପୁରରେ ୦.୮ମିମି ବର୍ଷା ହୋଇଛି ।