ଜଳୁଛି ପଶ୍ଚିମ ଓଡିଶା : ଉପକୂଳ ସହ ସାରା ଓଡିଶାରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମପ୍ରବାହ । ସେପଟେ ସନ୍ଧ୍ୟାରେ ଝଡତୋଫାନର ଚେତାବନୀ ଦେଲା ପାଣିପାଗ ବିଭାଗ

2

କନକ ବ୍ୟୁରୋ: ଡରାଉଛି କାଳବୈଶାଖୀ, ସେପଟେ ଜଳୁଛି ପଶ୍ଚିମ ଓଡିଶା । ଉପକୂଳ ସହ ସାରା ଓଡିଶାରେ ଏବେ ପ୍ରବଳ ଗ୍ରୀଷ୍ମପ୍ରବାହ ଜାରି ରହିଛି । ପଶ୍ଚିମ ଓଡିଶାରେ ଅନେକ ସ୍ଥାନରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିବା ସୂଚନା ମିଳିଛି । ବଲାଙ୍ଗିରରେ ପ୍ରବଳ ଖରାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ଡହଡହ ଖରାରେ ସିଝୁଛି ସହରଠୁ ଗାଆଁ । ତେବେ ଖରା ତାତିରେ ସାରା ଓଡିଶା ସିଝୁଥିବା ବେଳେ କାଳବୈଶାଖୀ ଡର ଯୋଗୁ ଲୋକଙ୍କ ମନରେ ଛନକା ପଶିଛି । କାରଣ ଆଜି ସନ୍ଧ୍ୟା ବେଳେ ରହିଛି ଝଡତୋଫାନର ଭୟ ।

ଭୁବନେଶ୍ୱର ସ୍ଥିତ ଆଂଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ପୂର୍ବାନୁମାନ ଅନୁଯାୟୀ ଆଜି ଓ ଆସନ୍ତାକାଲି ଓଡିଶାରେ କାଳବୈଶାଖୀ ଝଡ ଆସିପାରେ । ମୁଖ୍ୟତଃ ଉପକୂଳ ଓଡିଶା ଓ କେନ୍ଦୁଝର-ମୟୂରଭଂଜରେ କାଳବୈଶାଖୀ ସମ୍ଭାବନା ଅଧିକ ରହିଛି ବୋଲି କୁହାଯାଇଛି । ଏହି ସମୟରେ ଘଂଟାପ୍ରତି ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିପାରେ । ଉପକୂଳ ଜିଲ୍ଲାରେ ତାପମାତ୍ରା ଅଧିକ ରହୁଥିବାରୁ ଓ ସମୁଦ୍ର ପଟରୁ ଦକ୍ଷିଣ-ପଶ୍ଚିମ ବାୟୁ ପ୍ରବାହିତ ହେଉଥିବାରୁ ଏହା କାଳବୈଶାଖୀ ସୃଷ୍ଟି କରିବାରେ ସହାୟକ ହେବ । ତେବେ ଅପରାହ୍ନ କିମ୍ବା ରାତି ସମୟରେ ଏହା ସୃଷ୍ଟି ହେବାର ସମ୍ଭାବନା ରହିଛି ।

Comments are closed.